ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଓ ଓଡ଼ିଶା ରାଜସ୍ବ ସେବା(ଓଆର୍ଏସ୍) ସ୍ତରରେ ରାଜ୍ୟ ସରକାର ଆଜି ଅଦଳବଦଳ କରିଛନ୍ତି। ୧୭ ଜଣ ବରିଷ୍ଠ ଓଏଏସ୍ଙ୍କ ବଦଳି ହୋଇଥିଲା ବେଳେ ୩୮ ଓଆର୍ଏସ୍ ଅଫିସର୍ଙ୍କ ବଦଳି ହୋଇଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇ ଜଣ ଅଧିକାରୀଙ୍କ ବଦଳିଛନ୍ତି। ପ୍ରଶାସକ(ନୀତି) ବିଶ୍ବଜିତ ବିଶ୍ବାଳଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଏବଂ ପ୍ରଶାସକ(ଉନ୍ନୟନ) ବିଶ୍ବନାଥ ସାହୁଙ୍କୁ ଭିମ୍ସାର୍ର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଉଭୟଙ୍କ ସ୍ଥାନରେ ମନ୍ଦିର ପ୍ରଶାସନକୁ ଆସିଥିବା ଦୁଇ ଅଧିକାରୀ ହେଲେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା ଓ ନୟାଗଡ଼ର ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ। ଶ୍ରୀ ଜେନା ପ୍ରଶାସକ(ଉନ୍ନୟନ) ଓ ଶ୍ରୀ ସାହୁ ପ୍ରଶାସକ(ନୀତି) ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଶ୍ରୀମନ୍ଦିର ପ୍ରଶାସନର ଓଏସ୍ଡି ଭାବେ ଓଆର୍ଏସ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।
ପ୍ରଦୀପ କୁମାର ସାହାଣୀଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୁରୀର ଅତିରିକ୍ତ ଜିଲ୍ଲାପାଳ(ଆର୍ ଆଣ୍ଡ୍ ଆର୍) ବିନୟ କୁମାର ଦାସ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ତାଙ୍କୁ ପୁରୀକୁ ଡେପୁଟେସନ୍ରେ ପଠାଯାଇଛି ଓ ସେଠାରେ ଅତିରିକ୍ତ ଜିଲ୍ଲାପାଳ(ଆର୍ ଆଣ୍ଡ୍ ଆର୍) ଭାବେ କାର୍ଯ୍ୟ କରିବେ। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ବିଶ୍ବଜିତ କେଶରୀ ଦାସଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ, ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ମିଶ୍ରଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ବଲାଙ୍ଗୀର ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାସଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ଉଦଳା ଆଇଟିଡିଏ ପିଏ ବିଧାନ ଚନ୍ଦ୍ର ରାୟଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ, ଶୁଭାଶିଷ ମାନସିଂହଙ୍କୁ ସର୍ଭେ ଆଣ୍ଡ୍ ମ୍ୟାପ୍ ପବ୍ଲିକସେନ୍ର ଯୁଗ୍ମ ନିର୍ଦ୍ଦେଶକ, କେନ୍ଦୁଝର ତହସିଲ୍ଦାର ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବୀରମହାରାଜପୁର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଓଡ଼ିଶା ଯୋଗାଣ ନିଗମ ମହାପ୍ରବନ୍ଧକ ସନ୍ତୋଷ କୁମାର ଦାସଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନକୁ ଆସିଛନ୍ତି ବର୍ତ୍ତମାନର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର। କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ କୁଶଲ ଚନ୍ଦ୍ର ନାୟକଙ୍କୁ କେନ୍ଦୁଝର କାନପୁର ଜଳେସଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ(ଆର୍ ଆଣ୍ଡ୍ ଆର୍) ଭାବେ ବଦଳି କରାଯାଇଥିଲା ବେଳେ ସେଠାରେ ଥିବା ସୁଶାନ୍ତ କୁମାର ସିଂହଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ପଞ୍ଚାୟତିରାଜ ବିଭାଗରେ ଯୋଗ ଦେଇଥିବା କ୍ଷୀରାବ୍ଦୀ ବେହେରାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ବଦଳି କରାଯାଇଛି।
ସେହିପରି ବିଭିନ୍ନ ଜିଲ୍ଲାରେ ସହ ଜିଲ୍ଲାପାଳ, ଅତିରିକ୍ତ ତହସିଲ୍ଦାର ଭାବେ କାର୍ଯ୍ୟରତ ଥିବା ୩୮ ଓଆର୍ଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/secretariate-1.jpg)