ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଜି ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଭାଗୀୟ ତଦନ୍ତ କମିସନର (ସିଡିଆଇ) ଭାବେ କାର୍ଯ୍ୟରତ ଅତିରିକ୍ତ ଶାସନ ସଚିବ ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ପତିଙ୍କୁ ପୁଣି ଥରେ ସେହି ବିଭାଗରେ କାର୍ଯ୍ୟ କରିବାକୁ ଆଦେଶ ଜାରି କରାଯାଇଛି। ପୂର୍ବରୁ ଶ୍ରୀ ପତିଙ୍କୁ ଇଲେକ୍ଟ୍ରୋନିକ୍‌ସ୍‌ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଥିଲା। ସେହି ବଦଳି ଆଦେଶକୁ ରଦ୍ଦ କରାଯାଇଛି। ସେହିପରି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ଅତିରିକ୍ତ ଶାସନ ସଚିବ ଥିବା ମୋହନ ଚରଣ ଦାସ ପୂର୍ବପରି କାର୍ଯ୍ୟ କରିବେ। ଗତମାସ ୩୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଦାସଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି କରାଯାଇଥିଲା। ସୋମବାର ଜାରି ହୋଇଥିବା ବିଜ୍ଞପ୍ତିରେ ପୂର୍ବ ବଦଳି ଆଦେଶକୁ ରଦ୍ଦ କରାଯାଇଛି। ସମ୍ବଲପୁର ଏଡିଏମ୍‌ ଓ ସମ୍ବଲପୁର ବିକାଶ କର୍ତ୍ତୃପକ୍ଷଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ସୂର୍ଯ୍ୟନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ୍‌ ଭାବେ ନିଯୁକ୍ତ କରାଯାଇଛି। ଗତ ୩୧ ତାରିଖରେ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ଶାସନ ସଚିବ ନିତ୍ୟାନନ୍ଦ ବାରିକଙ୍କ ବଦଳି ଆଦେଶ ରଦ୍ଦ କରାଯାଇ ପୁଣି ଥରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଅବସ୍ଥାପିତ କରାଯାଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସିଇଓ ଭାବେ କାର୍ଯ୍ୟରତ ଶତ୍ରୁଘ୍ନ କରଙ୍କୁ ମୟୂରଭଞ୍ଜ ଜିଲ୍ଲା ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଭବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୨ ଜଣ କନିଷ୍ଠ ବର୍ଗ ଓଏଏସ୍‌ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତ ଦିଆଯାଇଥିବାବେଳେ ୩ ଜଣ ଅଧିକାରୀଙ୍କ ପୂର୍ବ ବଦଳି ଆଦେଶକୁ ରଦ୍ଦ କରାଯାଇଛି। ଏହାସହିତ ଦୁଇ ଜଣ ଅଧିକାରୀଙ୍କୁ ମୂଳ ବିଭାଗ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରେଇ ଅଣାଯାଇଛି। ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଦୁଇଟି ବିଜ୍ଞପ୍ତି ଅନୁଯାୟୀ ୨୪ ଜଣ ଅଧିକାରୀଙ୍କ ବଦଳି ହେବା ସହ ନୂଆ ପଦବିରେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର