ଭୁବନେଶ୍ବର: ଓଏଏସ୍‌ ଆନ୍ଦୋଳନକୁ ବଢ଼ାଇବା ପାଇଁ କିଏ ଉସ୍‌‌କାଇ ଥିଲା? ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପ‌ରେ ଓଏଏସ୍‌ ସଂଘର ନିଷ୍ପତ୍ତି ବଦଳିଲା କେମିତି? ଓଏଏସ୍‌ ଅଧିକାରୀମାନେ ନେଇଥିବା ତିନି ଦିନ ଛୁଟିକୁ ସରକାର ମଞ୍ଜୁର କରିନାହାନ୍ତି। ସେହି ତିନି ଦିନ ସେମାନଙ୍କ ଦରମା କଟାଯିବ କି ନାହିଁ? ବିନା କାମରେ ସେମାନଙ୍କୁ ଦରମା ଦେଲେ ଠିକ୍ ବାର୍ତ୍ତା ଯିବ ତ? ଓଏଏସ୍‌ ଆନ୍ଦୋଳନ ଯୋଗୁ ସରକାର ଅପଦସ୍ଥ ହୋଇଥିବାରୁ ଆଗକୁ ଏସବୁକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯିବ? ଗତ ସପ୍ତାହରେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଓଏଏସ୍‌ ସଂଘର କାର୍ଯ୍ୟଧାରାକୁ ନେଇ ଏବେ ଏଭଳି ଖୋଳତାଡ଼ ଚାଲିଛି। ପ୍ରତିବାଦ ଓ ଆନ୍ଦୋଳନର ବହୁ ତରିକା ଥିଲା ବେଳେ ଓଏଏସ୍‌ ସଂଘ ଯେପରି ସରକାରଙ୍କୁ ଅପଦସ୍ଥ କରିଦେଲେ, ତାହା ଉପରେ ସରକାର ଓ ଶାସକ ଦଳର ଶୀର୍ଷ ସ୍ତରରେ ତନାଘନା ହେଉଛି। ଏ ପ୍ରସଙ୍ଗରେ ସରକାର କିଛି ଗୋଟିଏ ବଡ଼ ନିଷ୍ପତ୍ତି ନେଇପାରନ୍ତି।

Advertisment

କମିସନରଙ୍କୁ ମାଡ଼ ଘଟଣାରେ କମିସନରେଟ୍ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। କିନ୍ତୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପାଇଁ ଓଏଏସ୍ ସଂଘ ଅଡ଼ି ବସିଲା। ଶେଷରେ ସରକାର ଚାପ ଆଗରେ ମୁଣ୍ଡ ନୁଆଁଇଲେ ଏବଂ ଜଗନ୍ନାଥ ଆତ୍ମସମର୍ପଣ କଲେ। କିନ୍ତୁ ଜଗନ୍ନାଥଙ୍କ ଗିରଫଦାରୀକୁ ନେଇ ଶାସକ ଦଳର ନେତାମାନେ ଖୁସି ନାହାନ୍ତି। ଜଗନ୍ନାଥଙ୍କ ଆତ୍ମସମର୍ପଣଠାରୁ ଜେଲ୍‌ରୁ ବାହାରିବା ପର୍ଯ୍ୟନ୍ତ ଘଟଣାକ୍ରମକୁ ଦେଖିଲେ, ଏହା ସ୍ପଷ୍ଟ ହୋଇଯାଉଛି। ସାଧାରଣତଃ କୌଣସି ନେତା ଗିରଫ ହେଲା ମାତ୍ରେ ଦଳରୁ ନିଲମ୍ବିତ ହୁଅନ୍ତି। କିନ୍ତୁ ଜଗନ୍ନାଥଙ୍କ କ୍ଷେତ୍ରରେ ତାହା ହେଲା ନାହିଁ। ବରଂ ସେ ଜେଲ୍‌ରୁ ବାହାରିଲା ପରେ ସିଧାସଳଖ ଦଳୀୟ କାର୍ଯ୍ୟାଳୟକୁ ଆସି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ। ଆହୁରି ମଧ୍ୟ ଗିରଫ ବେଳେ ଓ ଗତକାଲି ଜେଲ୍‌ରୁ ବାହାରିଲା ବେଳେ ଶାସକ ଦଳର ବିଧାୟକ ତାଙ୍କ ପାଖେ ପାଖେ ରହିଥିବା ଦେଖିବାକୁ ମିଳିଥିଲା। ପୁଣି ଶାସକ ଦଳର ବହୁ ନେତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଭାବେ ଜଗନ୍ନାଥଙ୍କ ସମର୍ଥନରେ ବାହାରିଥିଲେ। 

ଛୁଟିରେ ଦରମା ମିଳିବ ନା ନାହିଁ?
ଅଡ଼ୁଆ କିଏ ବଢ଼ାଇଲା, ଖୋଜା ଚାଲିଛି
ଶାସକ ଦଳ ପକ୍ଷରୁ ଚାପ ବଢ଼ୁଛି

ଏହି ସ୍ଥିତିରେ ଓଏଏସ୍ ସଂଘର ଆନ୍ଦୋଳନକୁ ସରକାର ଓ ଶାସକ ଦଳର ସର୍ବୋଚ୍ଚ ସ୍ତରରେ ସହଜରେ ଗ୍ରହଣ କରାଯାଇ ନାହିଁ। ଘଟଣା ଘଟିବା ଦିନ ସନ୍ଧ୍ୟାରେ ଓଏଏସ୍ ସଂଘର କର୍ମକର୍ତ୍ତା ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ଭେଟି ଆଲୋଚନା କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ବିଳମ୍ବିତ ରାତିରେ ଲୋକସେବା ଭବନରେ ସେମାନଙ୍କ ସହ ଆଲୋଚନା କଲେ। ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଭରସା କରି ସଂଘ ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖିଲା ବୋଲି ରାତିରେ ହିଁ ଘୋଷଣା କରିଥିଲା। କିନ୍ତୁ ସକାଳୁ ନିଷ୍ପତ୍ତି ବଦଳିଗଲା। ପ୍ରଥମେ କିଛି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ ଛୁଟିରେ ଯାଇ ଆନ୍ଦୋଳନ କଲେ। ଅପରାହ୍ଣରେ ରାଜ୍ୟ ସଂଘ ବି ସିଧାସଳଖ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଦାବିରେ ସମୂହ ଛୁଟି ଘୋଷଣା କଲା। ୩ ତାରିଖ ରାତିରେ ଜଗନ୍ନାଥ ଆତ୍ମସମର୍ପଣ କଲା ପରେ ସଂଘ ଆନ୍ଦୋଳନରୁ ଓହରିଲା। ୧, ୨ ଓ ୩ ତାରିଖରେ ଜିଲ୍ଲା ସ୍ତରରେ ଓଏଏସ୍ ଅଧିକାରୀମାନେ ଛୁଟିରେ ଯାଇଥିଲା ବେଳେ ୨ ଓ ୩ ତାରିଖରେ ରାଜ୍ୟ ସ୍ତରରେ ଅଧିକାରୀମାନେ ଛୁଟିରେ ଯାଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ସରକାର ଓଏଏସ୍ ସଂଘ ସହ ମୁକାବିଲାକୁ ନ ଯାଇ ଜଗନ୍ନାଥଙ୍କ ଗିରଫଦାରୀକୁ ଫୋକସ୍ କଲେ। ଉପରସ୍ତରରେ ଅନୁମାନ କରାଯାଉଛି ଯେ କିଛି ଅଧିକାରୀ ସଂଘ ଭିତରେ ରହି ଆନ୍ଦୋଳନକୁ ବଢ଼ାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିଥିଲେ। ଏହି ଷଡ଼୍‌ଯନ୍ତ୍ର ପଛରେ ନିର୍ଦ୍ଦିଷ୍ଟ ଭାବେ କିଛି ଅଧିକାରୀଙ୍କ ନାମ ତାଲିକା କରାଯାଇଛି। ସେମାନଙ୍କ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅମାନ୍ୟ କରିବାକୁ କିଏ ସାହସ କଲା, ତାହା ମଧ୍ୟ ଜଣାପଡ଼ିଲାଣି। ରାଜ୍ୟ ସଂଘ ଓ ଜିଲ୍ଲା ସଂଘ ମଧ୍ୟରେ ତାଳମେଳ ନଥିଲା ନା ଏହା ପ୍ରାୟୋଜିତ ଥିଲା, ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି। 

ସମୂହ ଛୁଟି ଆନ୍ଦୋଳନ ବେଆଇନ ବୋଲି ଓଏଏସ୍ ଅଧିକାରୀମାନେ ଭଲ ଭାବେ ଜାଣନ୍ତି। ତାହା ସତ୍ତ୍ବେ ସେମାନେ ଛୁଟିରେ ଯାଇ ସରକାରଙ୍କୁ ଅପଦସ୍ଥ କଲେ। ତେଣୁ ଏହି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶାସକ ଦଳ ପଟୁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ନଚେତ୍ ଆଗାମୀ ଦିନରେ ଏମିତି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା ରହିଛି ବୋଲି ବରିଷ୍ଠ ନେତାମାନେ ଶୁଣାଇ ଦେଇଛନ୍ତି। ନୋ ୱାର୍କ ନୋ ପେ’ ବ୍ୟବସ୍ଥା ଲାଗୁ କରିବାକୁ ବି ବିଚାର ଆଲୋଚନା ଚାଲିଛି। କିନ୍ତୁ ସରକାର ଏହି ପ୍ରସଙ୍ଗରେ ତରବରିଆ ନିଷ୍ପତ୍ତି ନ ନେଇ ବିଭିନ୍ନ ଦିଗରୁ ତର୍ଜମା କରୁଥିବା ଜଣାପଡ଼ିଛି।