ଷୋଡ଼ଶ ବିଧାନସଭା ପାଇଁ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ : ଗୁରୁବାର ଶପଥ ନେଲେ ୧୦୬ ବିଧାୟକ

ବିଜେଡି ୯୩, କଂଗ୍ରେସ ୬, ବିଜେପିର ୬ ବିଧାୟକଙ୍କ ସମେତ ସ୍ବାଧୀନ ବିଧାୟକଙ୍କ ଶପଥ ଗ୍ରହଣ

ଭୁବନେଶ୍ବର : ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଶପଥ ପାଠ ସମାରୋହ ପରେ ଆଜି ବିଧାନସଭାରେ ବିଧାୟକମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ୯୩ ବିଧାୟକ ଶପଥ ନେଇଥିବାବେଳେ ବିଜେପି ଓ କଂଗ୍ରେସରୁ ୬ଜଣ ଲେଖାଏଁ ବିଧାୟକ ଶପଥ ନେଇଛନ୍ତି। ରାୟଗଡ଼ା ଆସନରୁ ବିଜୟୀ ହୋଇଥିବା ଜଣେ ସ୍ବାଧୀନ ବିଧାୟକଙ୍କୁ ମିଶାଇ ମୋଟ ୧୦୬ ଜଣ ବିଧାୟକ ଶପଥ ନେଇଛନ୍ତି।

ଗୁରୁବାର ପୂର୍ବାହ୍ନ ୧୦ଟା ୫୧ ମିନିଟରେ ଅସ୍ଥାୟୀ ବାଚସ୍ପତି ଅମର ପ୍ରସାଦ ଶତପଥୀ ପ୍ରଥମେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ ଅରୁଣ ସାହୁ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସମେତ ସନ୍ଧ୍ୟା ୫ଟା ସୁଦ୍ଧା ବିଜେଡିର ୯୩ ଜଣ ବିଧାୟକ ଶପଥ ନେଇଥିଲେ। ସେହିପରି ବିଜେପିର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ୬ ଜଣ ବିଜେପି ବିଧାୟକ ଓ କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ୬ ଜଣ କଂଗ୍ରେସ ବିଧାୟକ ଶପଥ ନେଇଥିଲେ। ରାୟଗଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିବା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଶପଥ ନେବା ପରେ କହିଥିଲେ, ରାୟଗଡ଼ା ନିର୍ବାଚନମଣ୍ଡଳୀର ଲୋକଙ୍କ ଶ୍ରଦ୍ଧା ଓ ସହଯୋଗ ଯୋଗୁଁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଆଗକୁ ବିଜେଡି ଦଳରେ ଯୋଗଦେବା ନେଇ ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡ଼ାଇ ନଯାଇ ଶ୍ରୀ ମୁଦୁଲି କହିଥିଲେ ସରକାରଙ୍କ ସହ ମିଶି କରି ସେ ତାଙ୍କ ନିର୍ବାଚନମଣ୍ଡଳୀ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବେ। ପ୍ରଥମ ଦିନରେ ୧୦୬ ଜଣ ବିଧାୟକଙ୍କ ଭିତରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ବିଧାୟକ ଇଂରାଜି ଭାଷାରେ ଶପଥ ପାଠ କରିଥିବାବେଳେ ବାକି ବିଧାୟକମାନେ ଓଡ଼ିଆରେ ଶପଥ ନେଇଥିଲେ।

ଶପଥ ପାଠ ଚାଲିଥିବା ବେଳେ ବିଧାନସଭା ଗୃହ ଭିତରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ ତଥା ବିଜେଡିର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତାଙ୍କ ବାପାଙ୍କୁ ନିର୍ବାଚନରେ ପରାସ୍ତ କରିଥିବା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ସହ ରାଜନୈତିକ ଶତ୍ରୁତା ଭୁଲି ମନଖୋଲି କଥା ହୋଇଥିଲେ। ବାକି ଥିବା ସଦସ୍ୟମାନେ ଆସନ୍ତାକାଲି ଶପଥ ନେବେ। ୧ ତାରିଖରେ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ପଦରେ ବିଜେଡିର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନିର୍ବାଚିତ କରିବାକୁ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି।

ସମ୍ବନ୍ଧିତ ଖବର