ପଞ୍ଚାୟତ ପାଇଁ ଓବିସି କାର୍ଡ, ନିର୍ବାଚନରେ ୨୭% ପ୍ରାର୍ଥୀ ଦେବ ବିଜେଡି

ଅଦାଲତି କଟକଣା ଏଡ଼ାଇବାକୁ ରାଜନୈତିକ ଗୋଟିଚାଳନା
ମହିଳା କାର୍ଡ ପରି ଭିନ୍ନ ଢଙ୍ଗରେ ଓବିସି କାର୍ଡ ଖେଳିଲେ ନବୀନ
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନ ଦେଇ ବିଭ୍ରାନ୍ତ କରୁଛି ବିଜେଡି : ବିରୋଧୀ

ଭୁବନେଶ୍ବର : ୨୦୧୯ ଲୋକସଭା ନିର୍ବାଚନରେ ଭିନ୍ନ ଢଙ୍ଗରେ ମହିଳା କାର୍ଡ ଖେଳିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ରଖିବାର ବ୍ୟବସ୍ଥା ନ ଥିବାରୁ ନିଜ ଦଳରୁ ୩୩% ମହିଳା ପ୍ରାର୍ଥୀ ଦେଇଥିଲେ ନବୀନ। ଏହାକୁ ନେଇ ସାରାଦେଶରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ସମାନ ଢଙ୍ଗରେ ଓବିସି କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ। ସରକାରୀ ଭାବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ନିଷ୍ପତ୍ତି ନେବାରେ ବାଧା ରହିଥିବାରୁ ଏହି ପ୍ରସଙ୍ଗରେ ରାଜନୈତିକ ଗୋଟିଚାଳନା କରିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଅତିକମ୍‌ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟ ଦଳ ମଧ୍ୟ ଏପରି ଘୋଷଣା କରିବା ପାଇଁ ବିଜେଡି ଆହ୍ବାନ ଦେଇଛି।

ଦୁଇଦିନ ତଳେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଗଣନା ସହ ୫୦% ସଂରକ୍ଷଣ ସୀମା ହଟାଇବାକୁ କେନ୍ଦ୍ରୀୟ ଆଇନ ଆଣିବାକୁ ଦାବି କରିଥିଲେ। କେନ୍ଦ୍ର ଏହି ଦାବି ଉପରେ ଆଗକୁ କି ପଦକ୍ଷେପ ନେବ, ତାହାକୁ ଅପେକ୍ଷା କରି ନାହାନ୍ତି ବିଜେଡି ସଭାପତି। ରାଜନୈତିକ ଭାବେ ବିଜେଡି ୨୭% ଓବିସିଙ୍କୁ ପ୍ରାର୍ଥୀ କରିବ ବୋଲି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛନ୍ତି। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ ବୋଲି ଘୋଷଣା କରାଯାଇଛି। ବିଜେଡିର ଏହି ଘୋଷଣାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା ବି କରିଛନ୍ତି। ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନ ଦେଇ ବିଜେଡି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

ବିଜେଡିର ନିଷ୍ପତ୍ତି ସମ୍ପର୍କରେ ଦଳର ଦୁଇ ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେମାନେ କହିଥିଲେ, ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ ନ ଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ଠିକ୍ ପରିସଂଖ୍ୟାନ ଅଭାବରୁ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ପଛୁଆବର୍ଗଙ୍କ ସଂଖ୍ୟାର ଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତି କରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇପାରିବେନାହିଁ।

ସଂରକ୍ଷଣ ସୀମା ୫୦% ସୀମିତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି। ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ-୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଏହି ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ। ରାଷ୍ଟ୍ରପତିଙ୍କ ଦ୍ବାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଓ ଏବେ ମଧ୍ୟ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାଗୁଡ଼ିକରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି। ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଉଛନ୍ତି।

ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଓ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି। ପୂର୍ବ ପରି ରାଜ୍ୟଗୁଡ଼ିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧୀ ଦଳ ଏହାକୁ ବିରୋଧ କରି ନାହାନ୍ତି। କିନ୍ତୁ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବା ପାଇଁ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ, ତେବେ ୧୧.୦୮.୨୦୧୮(୧୦୨ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିସନ୍ – ଆଇନ) ପରେ ଯେପରି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ବାଇଁ ଓ ଶ୍ରୀ ସାହୁ କହିଛନ୍ତି।

ବିଜେଡିର ଏହି ଘୋଷଣାକୁ କଟାକ୍ଷ କରି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ କହିଛନ୍ତି, ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓବିସି ବର୍ଗରୁ ୩୫%ରୁ ଅଧିକ ପ୍ରାର୍ଥୀ କରିଥିଲା। ରାଜ୍ୟରେ ଓବିସି ସଂଖ୍ୟା ୫୪%ରୁ ଅଧିକ ଥିବାରୁ ସେମାନଙ୍କ ବିନା ପ୍ରାର୍ଥିତ୍ବରେ ନିର୍ବାଚନ ଅସମ୍ଭବ। ତେଣୁ ବିଜେଡି କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏହାଦ୍ବାରା ପଛୁଆ ବର୍ଗଙ୍କର କୌଣସି ଲାଭ ହେବ ନାହିଁ। ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବହୁ ଦିନ ଧରି ରାଜ୍ୟ ସରକାର ବଞ୍ଚିତ କରି ରଖିଛନ୍ତି। ଶିକ୍ଷା ଓ ଚାକିରି କ୍ଷେତ୍ରରେ ସବୁ ରାଜ୍ୟରେ ଓବିସିମାନଙ୍କ ପାଇଁ ୨୭% ସଂରକ୍ଷଣ ଥିଲା ବେଳେ ଓଡ଼ିଶାରେ କାହିଁକି ନାହିଁ ? ଏଥି ପାଇଁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରି ନାହିଁ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଓବିସି ବର୍ଗଙ୍କ ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବାରେ କୌଣସି ପ୍ରତିବନ୍ଧକ ନାହିଁ। ଅନ୍ୟ ରାଜ୍ୟରେ ମଧ୍ୟ ତାହା ଲାଗୁ କରାଯାଇଛି। କିନ୍ତୁ ଓଡ଼ିଶାରେ ବିଜେଡି ସରକାର ସଂରକ୍ଷଣ ପ୍ରସଙ୍ଗକୁ ଏଡ଼ାଇ ଚାଲିଛି। ବିଜେଡିର ଏହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବନାହିଁ। ପଛୁଆ ବର୍ଗର ଲୋକମାନେ ସେମାନଙ୍କ ଅଧିକାର ପାଇବା ପାଇଁ ସ୍ବର ଉଠାଇବେ ଓ ବିଜେପି ତାହାର ନେତୃତ୍ବ ନେବ। ରାଜ୍ୟରେ ଓବିସି କମିସନ୍ ଅଧ୍ୟକ୍ଷ ପଦବି ଖାଲି ପଡ଼ିବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ତିନି ଥର ଚିଠି ଲେଖିଲା ପରେ ବାଧ୍ୟବାଧକତାରେ ଅଧ୍ୟକ୍ଷ ନିଯୁକ୍ତି କଲେ। କିନ୍ତୁ ସେହି କମିସନ୍ କି କାର୍ଯ୍ୟ କରୁଛି, ତାହା ଜଣାପଡ଼ୁ ନାହିଁ। ସେହିପରି ପଛୁଆ ବର୍ଗଙ୍କ ଆତ୍ମନିଯୁକ୍ତି କ୍ଷେତ୍ରରେ ଗଠନ କରାଯାଇଥିବା ଓବିସି ଡେଭଲପମେଣ୍ଟ୍‌ ଫାଇନାନ୍ସ କର୍ପୋରେସନ୍ କିପରି କାର୍ଯ୍ୟ କରୁଛି ବୋଲି ଶ୍ରୀ ବିଶ୍ବାଳ ପ୍ରଶ୍ନ କରିଛନ୍ତି।

କଂଗ୍ରେସର ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦ ବର୍ଷ ଧରି ରାଜ୍ୟରେ ୫୦%ରୁ ଅଧିକ ଓବିସି/ଏସ୍ଇବିସି ବର୍ଗର ବ୍ୟକ୍ତିଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ପ୍ରତାରଣା କରିବା ପରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନର ଫାଇଦା ପାଇଁ ହୀନ ରାଜନୀତି ଆରମ୍ଭ କରିଛନ୍ତି। ଏହି ବର୍ଗର ଲୋକଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ସରକାର ବଞ୍ଚିତ କରିଛନ୍ତି। ରାଜ୍ୟରେ ଲକ୍ଷାଧିକ ଓବିସି ଛାତ୍ରଛାତ୍ରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ନବୀନ ବାବୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ନ୍ୟାୟ ପ୍ରଦାନ ନ କରି ବିଜେଡିର ଦଳୀୟ ଟିକେଟ୍ ପ୍ରଦାନ କରିବା ଘୋଷଣା କରିବା ସମଗ୍ର ଓବିସି ବର୍ଗଙ୍କ ପ୍ରତି ଘୋର ଅନ୍ୟାୟ। କେଉଁ ଆଧାରରେ ବିଜେଡି ୨୭% ଓିବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ବିଜେଡିର ସଭାପତି ଓ ମୁଖ୍ୟମନ୍ତ୍ରୀ ଉଭୟ ପଦରେ ଜଣେ ଉଚ୍ଚବର୍ଗର ବ୍ୟକ୍ତିଙ୍କୁ ଏତେ ବର୍ଷ ହେଲା ରଖାଯାଇଛି। ଯଦି ବିଜେଡି ବାସ୍ତବରେ ସାମାଜିକ ନ୍ୟାୟରେ ବିଶ୍ବାସ ରଖିଥାଏ, ତେବେ ଏଥିରୁ ଗୋଟିଏ ପଦବି ଓବିସି/ଏସ୍ଇବିସି ବର୍ଗରୁ ଦେବାକୁ କଂଗ୍ରେସ ଆହ୍ବାନ ଦେଇଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ଜ୍ଞାନଦେବ ବେଉରା ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର