ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ପୁଣି ଘେରିଲା ବିଜେପି

ଦିନବେଳେ ଲଣ୍ଠନ ଦେଖାଉଛି ବିଜେଡି: ପିଙ୍କି

ଭୁବନେଶ୍ବର : ଓଡିଶାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ବିଜୁ ଜନତା ଦଳର ଦଳୀୟ ବୈଠକରେ ସଂକଳ୍ପ ଅନୁମୋଦନ ଲାଭ କରିଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି। ଜଣେ ଜ୍ଞାନୀ ଗୁଣୀ ଲୋକ ହୋଇ ଦଳ ଏବଂ ସରକାର ଭିତରେ ଫରକକୁ ଡ. ସସ୍ମିତ ପାତ୍ର ବୁଝି ନାହାନ୍ତି କି ସବୁ ଜାଣି ଅଜଣା ହେଉଛନ୍ତି ବୋଲି ଆଜି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ବିଜେଡିକୁ ଘେରିଛନ୍ତି। ଶ୍ରୀମତୀ ପ୍ରଧାନ କହିଛନ୍ତି, ମଣ୍ଡଳ କମିସନ ସୁପାରିସ ପରେ ଦେଶରେ ଓବିସି ସଂରକ୍ଷଣ ଲାଗୁ ହୋଇସାରିଛି। କେନ୍ଦ୍ର ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବାବେଳେ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛନ୍ତି। ସେହିପରି ମୋଦୀ ସରକାର ଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗ (ଇଡବ୍ଲୁଏସ)ଙ୍କ ପାଇଁ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। କିନ୍ତୁ ରାଜ୍ୟସରକାର ଓବିସି ଓ ଇଡବ୍ଲୁଏସ ସଂରକ୍ଷଣ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଲାଗୁ କରିନାହାଁନ୍ତି। ଏବେ ଦଳୀୟ ବୈଠକରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଠନ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।

ବିଜେପି କହିଛି, ଓଡିଶାରେ ଓବିସି ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ଲାଗି ଅନେକ ଦିନରୁ ଦାବି ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ପୂର୍ବରୁ କେନ୍ଦ୍ର ଓବିସି କମିସନଙ୍କ ବାରମ୍ବାର ତାଗିଦ ପରେ ଗତ ଫେବୃଆରି ୨୦୨୦ରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରି କେବଳ ଔପଚାରିକତା ପୂରଣକରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ନଦେଇ କେବେଳ ଭାଷଣ ବାଜି କରି ସେମାନଙ୍କ କଟା ଘା’ ରେ ଚୂନ ମାରୁଛନ୍ତି ବୋଲି ବିଜେପି କହିଛି।

ସଂରକ୍ଷଣ ଦେଲେ କାଳେ ମୋଦୀ ସରକାରଙ୍କୁ ଲୋକ ଶ୍ରେୟ ଦେବେ ସେହି ଭୟରେ ବିଜେଡି ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରୁନାହିଁ ବିଜେପି ଅଭିଯୋଗ କରିଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର