ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ସରି ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏବେ ମାଟିତଳର କୀର୍ତ୍ତିରାଜି ସମ୍ପର୍କରେ ରାତିଅଧିଆ ଜିପିଆର୍ ସର୍ଭେ ସାଧାରଣରେ ସନ୍ଦେହ ସୃଷ୍ଟିକରିଛି। ଓବିସିସିର ଏହି କାମକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ରାଜ୍ୟବ୍ୟାପୀ ଏହାକୁ ନେଇ ତମ୍ବିତୋଫାନ ଚାଲିଥିବାବେଳେ ଆଜି ଓବିସିସି ଏମାର ମଠ ଖନନସ୍ଥଳରେ ଜିପିଆର ସର୍ଭେ ଓ ଧଳାଗାର ଏହି ସନ୍ଦେହକୁ ଦ୍ବିଗୁଣିତ କରିଛି।
ଆଜି ସକାଳେ ଏକାଧିକ ଜିପିଆର ମେସିନ୍ ଧରି କିଛି ଯନ୍ତ୍ରୀ, ଅଧିକାରୀମାନେ ଏମାର ମଠ ଖନନସ୍ଥଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ପଛପାର୍ଶ୍ବ ଖନନସ୍ଥଳ ଓ ଏହାର ଚତୁଃପାର୍ଶ୍ବ ଜିପିଆର ସର୍ଭେ ମେସିନ୍ ବୁଲାଇବା ପରେ କିଛି ସ୍ଥାନରେ ନିୟୋଜିତ ଅଧିକାରୀମାନେ ଧଳା ଦାଗ ଦେଇଛନ୍ତି। ଲମ୍ବାର ଯୁକ୍ତ ଚିହ୍ନ ଦେଇ ସ୍ଥାନ ଚିହ୍ନଟ କରିଛନ୍ତି। ୧୦ରୁ ଅଧିକ ସ୍ଥାନରେ ଏଭଳି ଦାଗ ଦିଆଯାଇଛି।
ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, ଜିପିଆର ସର୍ଭେ ଦ୍ବାରା ମାଟି ତଳେ କ’ଣ ସବୁ ରହିଛି ଜାଣିହେବ। କାରଣ ଏହାର ରାଡାର ମାଟି ତଳେ ଥିବା ଜିନିଷରେ ମାଡ଼ ହୋଇ ରିଫ୍ଲେକ୍ସନ୍ କରିବ। ଏଭଳି ରିଫ୍ଲେକ୍ସନ୍ ହେଲେ ମାଟି ତଳେ କିଛି ଜିନିଷ ରହିଥିବା ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଯେଉଁ ସ୍ଥାନରେ ଧଳାଦାଗ ଦିଆଯାଇଛି, ସେଠାରେ ମାଟି ତଳେ କିଛି କୀର୍ତ୍ତିରାଜି ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।