ପଂଚାୟତରେ ଓବିସି ସଂରକ୍ଷଣ ପ୍ରସଂଗ: ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନାକଲେ

କଂଗ୍ରେସ ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଆସନ ସଂରକ୍ଷଣ ନ ରହିବା ପ୍ରସଂଗକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଦାୟର ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଜାନୁଆରି ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ। ଏଭଳି ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରିବା ପାଇଁ ହାଇକୋର୍ଟ ମନା କରିଛନ୍ତି। ନିର୍ବାଚନ ଶେଷ ହେବାପରେ ଆବେଦନକାରୀ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି କହିବା ସହିତ ହାଇକୋର୍ଟ ଏ ସଂପର୍କିତ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ପାଇଁ ପ୍ରକାଶିତ ସଂଶୋଧିତ ସଂରକ୍ଷଣ ଚିଠା ତାଲିକାକୁ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ ଅଧ୍ୟକ୍ଷଙ୍କ ତରଫରୁ ଏହି ମାମଲା ଦାୟର କରାଯାଇଥିଲା। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ପୂର୍ବରୁ ଓବିସିଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷିତ ଥିବାବେଳେ ହାଇକୋର୍ଟଙ୍କ ରାୟ ପରେ ସରକାର ପ୍ରକାଶ କରିଥିବା ସଂଶୋଧିତ ସଂରକ୍ଷଣ ତାଲିକାରେ ଓବିସି ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରଖାଯାଇ ନଥିଲା।  ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଂଗରେ କେବଳ ସରକାର ଏକ କମିସନ ବସାଇ ଚୁପ୍ ହୋଇ ଯାଇଛନ୍ତି। ଓବିସିଙ୍କ  ପାଇଁ ଆସନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନାହିଁ ବୋଲି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ସରକାର ସାନି ଚିଠା ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ହାଇକୋର୍ଟଙ୍କୁ କହିଥିଲେ।

ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ହାଇକୋର୍ଟ କିଛି ମତ ଦେଇ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରାଯାଇଛି ବୋଲି ସରକାର କହିଥିଲେ, ଯାହା କି ଗ୍ରହଣୀୟ ନୁହେଁ।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ଲାଗି ସରକାର ତରବରିଆ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। କେ. କ୍ରିଷ୍ଣମୂର୍ତ୍ତି ମାମଲା ଓ ବିକାଶ କୁମାର ଗୱାଲି ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସରକାର ପାଳନ କରୁ ନାହାନ୍ତି। ଓବିସି ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନ‌ରେ ଆସନ ସଂରକ୍ଷଣ ନ ଦେବା ଅସାମ୍ବିଧାନିକ ବୋଲି ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର