ବିଧାନସଭାରେ ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ
୫୦%ରେ ସୀମିତ ରହିବ ସଂରକ୍ଷଣ
ବିରୋଧୀ ଦଳ ଅନୁପସ୍ଥିତିରେ ପାରିତ ହେଲା ବିଲ୍
ଭୁବନେଶ୍ବର : ପୌର ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ବି ସଂରକ୍ଷଣ ସୀମା ୫୦% ଭିତରେ ରହିବ। ଏଥିପାଇଁ ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇଛି। ବିଧାନସଭାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି। ଫଳରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ସଂରକ୍ଷିତ ସିଟ୍ କମିବ। ଏହି ବିଲ୍ ପାରିତ ହେଲା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାରେ ଥିବା ପ୍ରତିବନ୍ଧକ ହଟିଛି।
ଯେହେତୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନି ବୋଲି ସରକାର ସ୍ପଷ୍ଟ କରିଥିବାରୁ ଏବେ କେବଳ ସଂରକ୍ଷଣ କାର୍ଯ୍ୟ ଶେଷ କରି ନିର୍ବାଚନ କମିସନ୍ଙ୍କୁ ଅବଗତ କରାଇବାକୁ ପଡ଼ିବ। ଏହା ପରେ କମିସନ୍ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବେ। ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧୦ ତାରିଖରେ ଶେଷ ହେଉଛି। ଆଜି ବିଲ୍ ପାରିତ ହେଲା ବେଳେ ବିରୋଧୀ ଦଳ ସଦସ୍ୟମାନେ ଅନୁପସ୍ଥିତ ଥିଲେ।
ଗତ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ୧୭.୧, ଅନୁସୂଚିତ ଜନଜାତି ପାଇଁ ୨୨.୮ ଓ ଓବିସି ପାଇଁ ୩୭% ଆସନ ସଂରକ୍ଷିତ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା। ସଂଶୋଧିତ ବିଲ୍ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ କମାଯିବ ନାହିଁ। ଉଭୟ ବର୍ଗ ପାଇଁ ସଂରକ୍ଷଣ ପୂର୍ବ ପରି ୩୯.୯% ରହିବ। ତେଣୁ ପୌର ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗ ପାଇଁ ସଂରକ୍ଷଣ ୧୦ ପ୍ରତିଶତକୁ ଖସିବା ଏକ ପ୍ରକାର ସ୍ପଷ୍ଟ ହେଉଛି।
କିନ୍ତୁ ଏହି ସଂଶୋଧିତ ବିଲ୍ରେ ଓବିସି ସଂରକ୍ଷଣ ନେଇ ସ୍ପଷ୍ଟ ଉଲ୍ଲେଖ କରାଯାଇ ନାହିଁ। ବିଲ୍ରେ କୁହାଯାଇଛି ଯେ ନିର୍ବାଚନ ନିମନ୍ତେ ଏସ୍ସି, ଏସ୍ଟି ଓ ଓବିସି ନାଗରିକଙ୍କ ନିମନ୍ତେ ସମୁଦାୟ ସ୍ଥାନ ସଂରକ୍ଷଣର ସର୍ବୋଚ୍ଚ ସୀମାକୁ ୫୦% ରଖାଯିବ। କିନ୍ତୁ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣର ସର୍ବୋଚ୍ଚ ସୀମାକୁ ୨୭% ଭିତରେ ରଖାଯିବ। ଏସ୍ସି, ଏସ୍ଟିଙ୍କ ପାଇଁ ୩୯.୯ ପ୍ରତିଶତ ସଂରକ୍ଷଣ କଲା ପରେ କେଉଁ ତରିକାରେ ଓବିସିଙ୍କୁ ୨୭% ଯାଏ ସଂରକ୍ଷଣ ଦିଆଯିବ, ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଗତକାଲି ପୌର ନିର୍ବାଚନ ସଂଶୋଧନ ବିଲ୍ ଆଲୋଚନା ବେଳେ ବିରୋଧୀ ଦଳ ଏହି ଦ୍ବନ୍ଦ୍ବ ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। କିନ୍ତୁ ମନ୍ତ୍ରୀ ଗୃହ ଭିତରେ ଏହାକୁ ସ୍ପଷ୍ଟ କରି ନ ଥିଲେ। ଗଣମାଧ୍ୟମରେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।