ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ମାମଲା: ନିର୍ବାଚନ ପ୍ରକ୍ରିୟା ଉପରେ ରହିତାଦେଶ ଦେଲେନି ହାଇକୋର୍ଟ

କମିସନ୍ ରିପୋର୍ଟ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ, ଜୁନ୍ ୨୯ରେ ପରବର୍ତ୍ତୀ ଶୁଣାଣି

କଟକ : ପୌର ନିର୍ବାଚନରେ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖା ନ ଯିବା ପ୍ରସଙ୍ଗ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି। ୮ ସପ୍ତାହ ଭିତରେ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର, ଏପ୍ରିଲରେ ପୌର ନିର୍ବାଚନ ହେବ ବୋଲି ଆକଳନ କରାଯାଉଥିବାବେଳେ ନିର୍ବାଚନ ପ୍ରକ୍ରିୟା ଉପରେ ‌ହାଇକୋର୍ଟ କିନ୍ତୁ କୌଣସି ରହିତାଦେଶ ଜାରି କରିନାହାନ୍ତି। ଯଦି ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଂଗରେ କମିସନ ରିପୋର୍ଟ ଦାଖଲ କରନ୍ତି, ତୁରନ୍ତ ଏ ନେଇ ରାଜ୍ୟ ସରକାର ଅବଗତ କରିବେ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ଦଳ ପକ୍ଷରୁ ଦୁଇ ଜଣ ପୂର୍ବତନ କର୍ପୋରେଟର ଚାରୁଲତା ସାହୁ ଓ ସନ୍ତୋଷ କୁମାର ଭୋଳ ଏହି ମାମଲା ଦାୟର କରିଥିଲେ। ପଛୁଆବର୍ଗଙ୍କ ପ୍ରସଙ୍ଗରେ ରିପୋର୍ଟ ଦାଖଲ ପାଇଁ ଗଠିତ କମିସନ୍ ସର୍ଭେ କାର୍ଯ୍ୟ ଗତବର୍ଷରୁ ଶେଷ କରିଥିବାବେଳେ ରିପୋର୍ଟ ଦାଖଲ ନେଇ ସ୍ଥିତି ଅସ୍ପଷ୍ଟ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଥିବାରୁ ଅନ୍ତରୀଣ ରହିତାଦେଶ ଜାରି କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ମାତ୍ର, ହାଇକୋର୍ଟ ଏହି ପ୍ରସଙ୍ଗରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ପରେ ପଛୁଆବର୍ଗଙ୍କ ପାଇଁ ପୌର ନିର୍ବାଚନରେ ଆସନ ସଂରକ୍ଷଣ ନ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସରକାର ୨୦୨୧, ଡିସେମ୍ବର ୩୦ରେ ଅଧ୍ୟାଦେଶ ଆଣିଥିଲେ। ଓଡ଼ିଶା ପୌର ଆଇନ ସଂଶୋଧନ ଅଧ୍ୟାଦେଶ, ୨୦୨୧କୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନରେ ଦର୍ଶାଇଛନ୍ତି ଯେ, ପଛୁଆ ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ଟ୍ରିପଲ ଟେଷ୍ଟ ଅନୁସାରେ ପ୍ରଥମେ ପଛୁଆବର୍ଗଙ୍କ ସଂପର୍କିତ ତଥ୍ୟ ସଂଗ୍ରହ ପାଇଁ ଏକ କମିସନ୍ ଗଠନ କରାଯିବା କଥା। ଦ୍ବିତୀୟରେ, କମିସନଙ୍କ ଅନୁମୋଦନ ଅନୁସାରେ କେତେ ସଂରକ୍ଷଣ ପ୍ରଦାନ କରାଯିବା ଅାବଶ୍ୟକ, ତାହା ସ୍ପଷ୍ଟ କରାଯିବ। ତୃତୀୟ ଆବଶ୍ୟକତା ‌େହଉଛି କୌଣସି ପରିସ୍ଥିତିରେ ଏସ୍‌ସି, ଏସଟି ଓ ପଛୁଆ ବର୍ଗ ପାଇଁ ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ କମିସନଙ୍କୁ ନିଯୁକ୍ତି ଦିଆଯାଇଛି। କମିସନ୍ ପଛୁଆବର୍ଗଙ୍କ ପ୍ରସଙ୍ଗରେ ଗତ ବର୍ଷରୁ ସର୍ଭେ ଶେଷ କରି ସାରିଛନ୍ତି। ଏଭଳି ସ୍ଥିତିରେ କମିସନ ରିପୋର୍ଟ ଦେବା କଥା। କିନ୍ତୁ ରିପୋର୍ଟ ସଂକ୍ରାନ୍ତରେ ସ୍ଥିତି ଅସ୍ପଷ୍ଟ ରହିଥିବାବେଳେ ସରକାର ତରବରିଆ ଭାବେ ପୌର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ଅଧ୍ୟାଦେଶ ଆଣିଥିଲେ। ରାଜ୍ୟର ଅଧିକାଂଶ ସ୍ଥାନରେ ପୌରପରିଷଦ ଗୁଡିକର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୩/୪ ବର୍ଷ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ସରକାର ନିର୍ବାଚନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିଲେ। କିନ୍ତୁ ଏବେ କାହିଁକି ତର ତର ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏ ସଂପର୍କିତ ୨୦୨୧ର ଅଧ୍ୟାଦେଶକୁ ରଦ୍ଦ କରିବା ସହିତ ପଛୁଆବର୍ଗଙ୍କୁ ପୌର ନିର୍ବାଚନରେ ସଂରକ୍ଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ତରଣୀକାନ୍ତ ବିଶ୍ବାଳ ସହାୟତା କରୁଥିଲେ। ଜୁନ୍ ୨୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର