ଭୁବନେଶ୍ବର : ମଣ୍ଡଳ କମିସନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆବର୍ଗଙ୍କୁ ସରକାରୀ ଚାକିରି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା, ପଞ୍ଚାୟତ ଓ ମ୍ୟୁନିସିପାଲ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। କେନ୍ଦ୍ର ସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। କିନ୍ତୁ ରାଜ୍ୟ ସରକାର ଆରକ୍ଷଣ ବ୍ୟବସ୍ଥା ପଛୁଆ ବର୍ଗ ପାଇଁ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ବାଇଁ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଆରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିବା କଥା ନୁହେଁ। ସମ୍ବିଧାନର ନିୟମ ଅନୁଯାୟୀ, ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ୨୨.୫ଭାଗ ସଂରକ୍ଷଣ ଦିଆଯିବା କଥା। ଓଡ଼ିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ଅଛନ୍ତି। ଏହା ସତ୍ତ୍ବେ ମଧ୍ୟ ୨୭ପ୍ରତିଶତ ଆରକ୍ଷଣ ସେମାନଙ୍କୁ ମିଳୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଯେତେବେଳେ କାଟି ଦିଆଗଲା, ସେତେବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୋଧରେ ଲଢ଼ି ପାରିଥାନ୍ତେ। କିନ୍ତୁ ରାଜ୍ୟ ସରକାର ତାହା କଲେ ନାହିଁ।
୩ ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡ଼ିଶା ଆସିଥିଲେ। ତାଙ୍କୁ ବିଜେପି ପକ୍ଷରୁ ସମସ୍ତ ଘଟଣା ଜଣାଇବା ପରେ ରାଜ୍ୟ ସରକାର ହଠାତ ପଛୁଆ ବର୍ଗ କମିସନ ଘୋଷଣା କରିଛନ୍ତି। ପଛୁଆ ବର୍ଗ ଅଧ୍ୟକ୍ଷ ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହା ଶୁଣି ନ ଥିଲେ। ଏ ସରକାର ପଛୁଆ ବର୍ଗ ବିରୋଧୀ। ଆଗାମୀ ଦିନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବା ପ୍ରସଙ୍ଗ ଆମେ କମିସନଙ୍କୁ ଜଣାଇବୁ। ରାଜ୍ୟ ସରକାର ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ନ କଲେ ଚଳିତ ମାସ ୨୫ ତାରିଖରୁ ସାରା ରାଜ୍ୟରେ ଓବିସି ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପଛୁଆ ବର୍ଗଙ୍କ ପ୍ରତି ବିଜେପିର ପ୍ରତିବଦ୍ଧତା ନାହିଁ: ବିଜେଡି
ଭୁବନେଶ୍ବର : ପଛୁଆ ବର୍ଗଙ୍କ ଉପରେ ବିଜେପିର ମନ୍ତବ୍ୟକୁ ବିଜେଡି ନିନ୍ଦା କରିଛି। ଆଜି ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ଯଦି ବିଜେପିର ଏହି ବର୍ଗଙ୍କ ବିକାଶ ପ୍ରତି କୌଣସି ପ୍ରତିବଦ୍ଧତା ଥାଏ, ତେବେ ୨୦୧୧ରେ ହୋଇଥିବା ଜାତିଭିତ୍ତିକ ଜନଗଣନା ପରିସଂଖ୍ୟାନ ପ୍ରକାଶ କରିବା ଆବଶ୍ୟକ। କେନ୍ଦ୍ର ସରକାର ୨୦୧୧ର ଜାତିଭିତ୍ତିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କଲେ ଓଡ଼ିଶା ସରକାର ସେହି ଆଧାରରେ ଏହି ବର୍ଗକୁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରିବେ। ଏପରିକି ଯଦି ପଛୁଆ ବର୍ଗଙ୍କ ପ୍ରତି ବିଜେପିର କୌଣସି ପ୍ରତିବଦ୍ଧତା ରହିଛି, ତେବେ ୨୦୨୦ ଜନଗଣନାରେ ଜାତି ଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଗ୍ରହଣ କରିବା ଆବଶ୍ୟକ। ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଜେପି ଠକିବା ଉଚିତ୍ ନୁହେଁ ବୋଲି ବିଜେଡି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/kharvelaswain.jpg)