ବିତର୍କରେ ଫସିଲା ଓବିସି, ଏସ୍‌ଇବିସି ପ୍ରସଙ୍ଗ

କେନ୍ଦ୍ରକୁ ରାଜ୍ୟ ସଂକଳ୍ପ ଜଣାଇଲେ ମୁଖ୍ୟ ସଚିବ
ରାଜ୍ୟର ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଜନଗଣନା ପ୍ରକ୍ରିୟାରେ ସାମିଲ କରି ଓବିସି ଓ ଏସ୍‌ଇବିସି ବର୍ଗଙ୍କ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ଓ ଏହାକୁ ଆଧାର କରି ସେମାନଙ୍କ ବିକାଶ ପାଇଁ ନକ୍ସା ଆଙ୍କିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଙ୍କେତ ଦେଇଛନ୍ତି, ତାହାକୁ ନେଇ ରାଜ୍ୟ ରାଜନୀତି ହଠାତ୍ ଉଷ୍ଣ ହୋଇପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ଅନେକ ମାଷ୍ଟର ଷ୍ଟ୍ରୋକ୍ ବୋଲି କହୁଥିବା ବେଳେ ବିରୋଧୀ କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିତର୍କ ଆରମ୍ଭ କରିବା ସହିତ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ପ୍ରସଙ୍ଗଟି ଆଜି ଅଧିକ ପ୍ରଭାବୀ ରୂପ ନେଇଛି ଏଇଥିପାଇଁ ଯେ ଗୋଟିଏ ପଟେ ଏ ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍ ନେଇଥିବା ସଂକଳ୍ପ ଆଧାରରେ ପଦକ୍ଷେପ ନେବା ଲାଗି ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ନିକଟକୁ ପତ୍ର ପଠାଇଛନ୍ତି। ସେପଟେ ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଥିବା ବା ମାପିଚୁପି ମନ୍ତବ୍ୟ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ନିଜର ଅସନ୍ତୋଷ ଝାଡି ଲେଖିିଛନ୍ତି ଯେ ଓବିସି ଓ ଏସ୍‌ଇବିସି ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଦରକାର।

ଆଜି ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କ୍ୟାବିନେଟ୍ ସଚିବଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି େଯ ଗତ ୧୧ ତାରିଖରେ ରାଜ୍ୟ କ୍ୟାବିନେଟ୍ ଏକ ସଂକଳ୍ପ ଅନୁମୋଦନ କରିଛନ୍ତି। ଏଥିରେ ଜନଗଣନା ସମୟରେ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଏହି ବର୍ଗର ସାମାଜିକ ଅର୍ଥନୈତିକ ତଥା ଶିକ୍ଷାଗତ ସ୍ଥିତି ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଆନୁଷ୍ଠାନିକ ଭାବେ ଜାତି ଭିତ୍ତିକ ଜନଗଣନା ଶେଷ ଥର ପାଇଁ ରାଜ୍ୟରେ ୧୯୩୧ ମସିହାରେ ହୋଇଥିଲା। ଏକଥା ଅନୁଭବ କରାଯାଉଛି ଯେ ଏମାନଙ୍କ ସଂପର୍କରେ ଅବିକଳ ପରିସଂଖ୍ୟାନର ଅଭାବ ରହିଛି। ଏହି ବର୍ଗର ବିକାଶକୁ ରାଜ୍ୟ ସରକାର ଏବେ ସର୍ବାଦୌ ଗୁରୁତ୍ବ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ସହିତ ୨୦୨୧ ଜନଗଣନା ବେଳେ ଏସ୍‌ଇବିସି ଓ ଓବିସି ବର୍ଗଙ୍କ ଗଣନା ସଂପର୍କରେ ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ୍ ବୋଲି ମୁଖ୍ୟଶାସନ ସଚିବ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜଣାଇଛନ୍ତି ଓ ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସ୍‌ଇବିସି ବର୍ଗ ଅନ୍ତର୍ଭୁକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ ଏସ୍‌ଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନ ଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଲୁଚାଇ ରଖିବାର ଏକ ଉଦ୍ୟମ। ଏହି ପ୍ରସଙ୍ଗକୁ ବିଚାର କରିବା ପାଇଁ ରାଜ୍ୟରେ ଓବିସି ଆୟୋଗ ଗଠନ ନକରି ଜନଗଣନାରେ ପଛୁଆ ଜାତି ଗଣନା କଥା କହିବା ରାଜ୍ୟ ସରକାରଙ୍କର ଏହି ବର୍ଗ ପାଇଁ ଆନ୍ତରିକତା ନଥିବାର ବଳିଷ୍ଠ ପ୍ରମାଣ ବୋଲି କୁହାଯାଇପାରେ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଆହୁରି କହିଛନ୍ତି ଯେ ୨୦୯ଟି ଜାତିବିଶେଷ ରାଜ୍ୟର ଏସ୍‌ଇବିସି ବର୍ଗରେ ସାମିଲ ହେବା ସହ ଐତିହାସିକ ଭାବେ ଦାରିଦ୍ର୍ୟ ଓ ଅଶିକ୍ଷାରେ ପୀଡିତ ଅଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ବି ଓଡିଶା ସରକାର କାହିଁକି ଏମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ତାହାର ଜବାବ ଦେବା ଦରକାର।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୂନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ରହିଛି। ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ଅଛନ୍ତି। ଶ୍ରୀ ପ୍ରଧାନ ସୁପ୍ରିମକୋର୍ଟଙ୍କ ରାୟକୁ ତାଙ୍କ ଚିଠିରେ ଉଦ୍ଧାର କରିଛନ୍ତି। ଜଣାଇଛନ୍ତି ଯେ ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିର୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ ପାଇଥିଲା। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ଓବିସି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କର ଏଭଳି କଠୋର ଆଭିମୁଖ୍ୟ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି। ଏହି ଘଟଣାରେ ରାଜ୍ୟ ସରକାର କି ପ୍ରତ୍ୟୁତ୍ତର ଦେଉଛନ୍ତି, ତାହା ଏଯାଏ ଜଣାପଡିନାହିଁ।

ସମ୍ବନ୍ଧିତ ଖବର