କଟକ: ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜାମିନ୍ ନାମଞ୍ଜୁର ପରେ ଚୌଦ୍ବାର ସର୍କଲ ଜେଲ୍‌ ଯାଇଛନ୍ତି ଶ୍ରୀ ରଥ। ବର୍ତ୍ତମାନ ସୁଦ୍ଧା ତାଙ୍କର ମୋଟ ୧୪ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲାଣି। ବେଆଇନ ଉପାୟରେ ସମ୍ପତ୍ତି ଓ ଅର୍ଥ ଠୁଳ ଭଳି କାରବାରରେ ପତ୍ନୀ ଓ ପୁଅଙ୍କର ସମ୍ପୃକ୍ତି ରହିଥିବାରୁ ସେମାନଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।

Advertisment

ଆର୍‌ଆଣ୍ଡବି (କଟକ ସର୍କଲ୍‌)ର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କର ୧୨ଟି ସ୍ଥାନରେ କଟକ ଭିଜିଲାନ୍ସ ଚଢ଼ଉ କରିଥିଲା। ମଙ୍ଗଳବାର ତାଙ୍କୁ ଗିରଫ ପରେ କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଠାବ ହୋଇଥିବା ସମ୍ପତ୍ତି କେଉଁ ଉତ୍ସରୁ କିଣାଯାଇଛି, ସେ ସମ୍ପର୍କରେ ଶ୍ରୀ ରଥ ଭିଜିଲାନ୍ସ ଟିମ୍‌କୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଯାଞ୍ଚ ସମୟରେ ପତ୍ନୀ ଓ ପୁଅଙ୍କ ନାଁରେ ବି ସମ୍ପତ୍ତି ଠାବ ହୋଇଥିଲା। ଏହି ସମ୍ପତ୍ତି ତାଲିକାରେ ଭୁବନେଶ୍ବର ସତ୍ୟବିହାରରେ ୬ ହଜାର ୬୬୦ ବର୍ଗଫୁଟ୍‌ ଜମିରେ ତିନିମହଲା କୋଠା, ଭଦ୍ରକରେ ୭ ହଜାର ୭୬ ବର୍ଗଫୁଟ ଜମିରେ ତିନି ମହଲା କୋଠା, ଭୁବନେଶ୍ବରରେ ତିନୋଟି ଦାମୀ ଫ୍ଲାଟ୍, ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟ୍‌ରେ ଗୋଟିଏ ଦୁଇ ମହଲା କୋଠା (ଔଷଧ ଦୋକାନ ସହିତ ଆବାସିକ ଘର), ଢେଙ୍କାନାଳ ଘଟିପିରି ଅଞ୍ଚଳରେ ଗୋଟିଏ କ୍ରସର୍‌ ୟୁନିଟ୍ ସହିତ ୨ଟି ଜେସିବି, ଗୋଟିଏ ଏସ୍କାଭେଟର୍‌ ଓ ଗୋଟିଏ ପଥରଭଙ୍ଗା ମେସିନ୍ ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାଛଡ଼ା ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବର, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ୫୦ଟି ପ୍ଲଟ୍‌ ଠାବ ହୋଇଛି। ଏହି ସମ୍ପତ୍ତିର ମୂଲ୍ୟ ୨ କୋଟି ୩୬ ଲକ୍ଷ ହେବ। କିନ୍ତୁ ଏହାର ବଜାର ମୂଲ୍ୟ ଢେର ଅଧିକ ହେବ ବୋଲି କୁହାଯାଉଛି। ସେହିପରି ସୁନା ଏକ କେଜି ଓ ରୁପା ଏକ କେଜି ଜବତ ହୋଇଛି। ବ୍ୟାଙ୍କ, ଡାକଘର ଏବଂ ବୀମାରେ ଶ୍ରୀ ରଥ ୨ କୋଟି ଟଙ୍କା ନିବେଶ କରିଛନ୍ତି। ବ୍ୟବସାୟରେ ପାଖାପାଖି ଏକ କୋଟି ଟଙ୍କା ନିବେଶ କରିଛନ୍ତି।