କୋଭିଡ୍‌ ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍‌ଡାଉନ ଲାଗୁ ହେବ: ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ନିରାପଦ ରଖିବାରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି। ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ ପରେ କେତେକ ମାର୍କେଟରେ ଭିଡ ହେଉଛି। ଏହା ଅତ୍ୟନ୍ତ ବିପଦପୂଣ୍ଣ। ଏହାଦ୍ଵାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ।

ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ। ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି। ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଓଡ଼ିଶା ଧୀରେ ଧୀରେ ଅନ୍‌ଲକ ହେଉଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛ। ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ଵାହା ହିଁ ଆମେ ତୃତୀୟ ଲହରର ଇନଟେନ୍‌ସିଟିକୁ କମ୍‌ କରିଦେଇପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍‌ କାହାରିକୁ ଛାଡି ନାହିଁ। ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି। ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି। କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ। ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି। ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି।

ଦ୍ଵିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ। ଜୀବନ ଅମୂଲ୍ୟ। ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ। ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ।

ସମ୍ବନ୍ଧିତ ଖବର