ଚନ୍ଦ୍ରମଣି, ସୁରେନ୍ଦ୍ର ଓ ଶ୍ରୀଜଗନ୍ନାଥ

ଅସିତ ମହାନ୍ତି

ଆଜି ୮୨ ବର୍ଷ ବୟସରେ ବିୟୋଗ ଘଟିଛି ଚନ୍ଦ୍ରମଣି ନାରାୟଣ ସ୍ୱାମୀଙ୍କର। ସେ କେବଳ ଜଣେ ପ୍ରଶାସିକା ନଥିଲେ; ଥିଲେ ମଧ୍ୟ ଲେଖିକା, ଅନୁବାଦିକା ଓ ଶ୍ରୀଜଗନ୍ନାଥଙ୍କର ଏକନିଷ୍ଠ ଭକ୍ତ।
କେରଳର ଆଲିପ୍ପି ଠାରେ ୧୯୩୮ରେ ଜନ୍ମିତା ଚନ୍ଦ୍ରମଣିଙ୍କର ମାତା-ପିତା ଥିଲେ ଏସ୍. ରାଜମ୍ମଲ ଓ ଏନ୍. ରାମା ଆୟାର। ୧୯୬୯ରେ ଭି. ନାରାୟଣ ସ୍ବାମୀଙ୍କୁ ବିବାହ କରିବା ପରେ ତାଙ୍କର ନାମ ହୋଇଥିଲା ଚନ୍ଦ୍ରମଣି ନାରାୟଣ ସ୍ବାମୀ।
ଚନ୍ଦ୍ରମଣିଙ୍କ ପରିବାର ମୂଳତଃ ଥିଲେ ତାମିଲ‌। କିନ୍ତୁ ପରେ ଆସି ବସବାସ କରିଥିଲେ କେରଳରେ। ୧୯୫୯ରେ କେରଳ ବିଶ୍ବବିଦ୍ୟାଳୟରୁ ସେ ବି.ଏ./ବି.ଏସସି.ରେ ଉଭୟ ଇଂରାଜୀ ଓ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିଲେ। ପରେ ୧୯୬୧ରେ ସେ ଗଣିତରେ ରେକର୍ଡ ନମ୍ବର ରଖି ଏମ୍.ଏସସି. ପାସ୍ କରିବା ସହିତ ତିନିଟି ସ୍ବର୍ଣ୍ଣ ପଦକ ପାଇଥିଲେ। ୧୯୬୧ରୁ ୧୯୬୫ ପର୍ଯ୍ୟନ୍ତ ମଧ୍ୟ ସେ ଗଣିତରେ ଇଣ୍ଡିଆନ୍ ମାଥମେଟିକ୍ସ କନଫରେନ୍ସରୁ କ୍ବିନକ୍ବିନିଏଲ୍ ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କରିଥିଲେ।


ଚନ୍ଦ୍ରମଣି ନାରାୟଣ ସ୍ବାମୀ ୧୯୬୩ରେ ଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ଓଡ଼ିଶା ଥିଲା ତାଙ୍କର କର୍ମ ଭୂମି। ୧୯୯୪ରେ ସେଥିରୁ ସ୍ଵେଚ୍ଛା ଅବସର ନେଇ ସେ ଓଡ଼ିଶା ପ୍ରାଶାସନିକ ନ୍ୟାୟାଧିକରଣର ସମ୍ମାନନୀୟ ସଦସ୍ୟା ଭାବେ କାମ କରିଥିଲେ ଏବଂ ପରେ ତାହାର ଉପାଧ୍ୟକ୍ଷା ପଦକୁ ଉନ୍ନୀତା ହୋଇଥିଲେ।
ଚନ୍ଦ୍ରମଣି ନାରାୟଣ ସ୍ବାମୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ଜିଲାପାଳ ଏବଂ ଓଡ଼ିଶା ସରକାରରେ ପ୍ରଥମ ମହିଳା ସଚିବ।
ଏ ସବୁ ପଦ-ପଦବିର ଊର୍ଦ୍ଧ୍ବ ରେ କିନ୍ତୁ ସେ ଥିଲେ ଜଣେ ସୃଜନଶୀଳ କବି, ଲେଖିକା ଓ ଅନୁବାଦିକା। ଇଂରାଜୀ, ହିନ୍ଦୀ ଓ ମାଲାୟାଲମ୍- ତିନିଟି ଭାଷାରେ ସେ କବିତା, ଗଳ୍ପ ଓ ଶିଶୁସାହିତ୍ୟ ରଚନା କରିଛନ୍ତି। ଓଡ଼ିଆ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଗଭୀର ପ୍ରୀତି ଥିଲା ଏବଂ ସେ ଓଡ଼ିଶା ଲେଖକ ସାମ୍ମୁଖ୍ୟ ଓ ଓଡ଼ିଶା ଲେଖିକା ସଂସଦର ଆଜୀବନ ସଦସ୍ୟା ହୋଇଥିଲେ। ବଛା ବଛା ବେଶ୍ କିଛି ଓଡ଼ିଆ ସାହିତ୍ୟ କୃତିର ଅନୁବାଦ କରିବା ସହିତ, ଓଡ଼ିଆ ନାରୀ କବିଙ୍କର କବିତାକୁ ନେଇ ସେ ଦୁଇଟି ସଂକଳନ ଇଂରାଜୀରେ ପ୍ରକାଶ କରିଛନ୍ତି।
ଅନୁବାଦିକା ଭାବରେ ତାଙ୍କର ଏକ ଉଲ୍ଲେଖନୀୟ କୃତି ହେଉଛି ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ‘ଅଚଳାୟତନ’ର ଅନୁବାଦ ‘ଦି କଲୋସସ୍’। ଆଜିଠୁ ୨୦ ବର୍ଷ ପୂର୍ବେ, ୨୦୦୧ରେ ରାଇଟର୍ସ ଓ୍ବାର୍କସପ୍ ପକ୍ଷରୁ ଏହା ପ୍ରକାଶ ପାଇଥିଲା। ସେ ଥିଲେ ଅଖିଳ ମୋହନ ପଟ୍ଟନାୟକଙ୍କ ପରିବାର ସହ ଅତ୍ୟନ୍ତ ଘନିଷ୍ଠ। ସେଥିପାଇଁ ସେ ଅଖିଳ ମୋହନଙ୍କ ସ୍ତ୍ରୀ ତଥା ସୁରେନ୍ଦ୍ର ମହାନ୍ତିଙ୍କ ସମୁଦୁଣୀ ଜ୍ଞାନଦା ଦେବୀଙ୍କୁ ଅନୂଦିତ ପୁସ୍ତକଟିକୁ ଉତ୍ସର୍ଗ କରିଥିଲେ।
ଚନ୍ଦ୍ରମଣି ନାରାୟଣ ସ୍ବାମୀ ମଧ୍ୟ ଶ୍ରୀଜଗନ୍ନାଥଙ୍କର ଜଣେ ଏକନିଷ୍ଠ ଭକ୍ତ। କିଛିବର୍ଷ ପୂର୍ବେ ନିଜର ଫ୍ଲାଟ୍ ଘରଟିକୁ ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଦାନ କରିବା ପାଇଁ ଇଚ୍ଛାପତ୍ର ପ୍ରସ୍ତୁତ କରିଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ବରର ଅନନ୍ୟ ଜଗନ୍ନାଥ ସଂସ୍ଥାନ ପକ୍ଷରୁ ସୁଭଦ୍ରା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।

-ସଂପାଦକ ‘ପୌରୁଷ’, ଭୁବନେଶ୍ବର

ସମ୍ବନ୍ଧିତ ଖବର

Comments are closed.