ବିରୋଧୀଙ୍କ ନିଷ୍ଫଳ ପ୍ରତିବାଦ, ଗୃହରେ କୋଭିଡ୍ କଟକଣା ହଟାଇବାକୁ ଦାବି

ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ବାତିଲ, କଟକଣା ଉଠାଇବାକୁ ବାଚସ୍ପତି ମନା କଲେ

ଭୁବନେଶ୍ବର : ବିଧାନସଭା ଗୃହ ଭିତରେ ଉଦ୍ଦିଷ୍ଟ ଆସନରେ ସବୁ ବିଧାୟକ ବସୁ ନାହାନ୍ତି। ଦର୍ଶକ ଗ୍ୟାଲେରିରେ ଦୂରତା ରଖାଯାଇ ବିଧାୟକମାନଙ୍କ ବସିବା ବ୍ୟବସ୍ଥା ହୋଇଛି। ପୁଣି ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ମଧ୍ୟ ସଭ୍ୟମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହେଉଛନ୍ତି। ପ୍ରେସ୍ ଗ୍ୟାଲେରିରେ ସାମ୍ବାଦିକଙ୍କୁ ବସିବା ପାଇଁ ଅନୁମତି ମିଳୁନି। ସେମାନେ ସମ୍ମିଳନୀ କକ୍ଷରେ ବସି ପରଦାରେ ସିଧାପ୍ରସାରଣ ଦେଖି ରିପୋର୍ଟିଂ କରୁଛନ୍ତି। ୨୦୨୦ ମସିହା ମୌସୁମୀ ଅଧିବେଶନ ସମୟରୁ କୋଭିଡ୍‌ ପାଇଁ କରାଯାଇଥିବା ଏହି ବ୍ୟବସ୍ଥା ଏବେ ବି ଜାରି ରହିଛି। ବର୍ତ୍ତମାନ କୋଭିଡ୍‌ କଟକଣା ରାଜ୍ୟରୁ ହଟି ସବୁ ସ୍ବାଭାବିକ ଚାଲିଥିଲେ ବି ବିଧାନସଭାରେ ଏହି କଟକଣା ବଳବତ୍ତର ରହିଛି। ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରି‌ଥିଲେ। ତୁରନ୍ତ କଟକଣା ଉଠାଇ ସବୁ ସ୍ବାଭାବିକ କରିବାକୁ ଦାବି କରିଥିଲେ। କିନ୍ତୁ କିଛି ଫଳ ମିଳି ନଥିଲା। ଚଳିତ ଅଧିବେଶନରେ ଏହି କଟକଣା ଉଠିପାରିବ ନାହିଁ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ସିଧାସଳଖ ଶୁଣାଇ ଦେଇଥିଲେ।

ଶୁକ୍ରବାର ଦିନ ପ୍ରଶ୍ନକାଳରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ପ୍ରେସ୍ ଗ୍ୟାଲେରିରେ ସାମ୍ବାଦିକଙ୍କୁ ଓ ଗୃହ ଭିତରେ ବିଧାୟକଙ୍କୁ ବସିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାକୁ ଉଦ୍ୟମ କରିବାରୁ ବିଧାୟକମାନେ ହୋହଲ୍ଲା କରି ନାରାବାଜି କରିଥିଲେ। ବାଚସ୍ପତି କହିଥିଲେ, ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଗୃହ ଚାଲିଛି। ତେଣୁ ବିଧାୟକମାନେ ଏଥିରେ ସହଯୋଗ କରନ୍ତୁ। କିନ୍ତୁ ବିରୋଧୀ ସଭ୍ୟମାନେ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ।

୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କିଛି ବିଧାୟକ ଗୃହ ଭିତରେ ବସୁଥିଲା ବେଳେ ଆଉ କିଛି ବିଧାୟକ ଗ୍ୟାଲେରିରେ ବସୁଛନ୍ତି। ସେମାନେ ନିଜକୁ ଦ୍ବିତୀୟ ଶ୍ରେଣୀର ବିଧାୟକ ବୋଲି ଅନୁଭବ କରୁଛନ୍ତି। ସେହିପରି ପ୍ରେସ୍ ଗ୍ୟାଲେରିରୁ ସାମ୍ବାଦିକ ଆସୁ ନ ଥିବାରୁ ଏଠାରେ ଆଲୋଚନା ଠିକ୍ ଭାବେ ଗଣମାଧ୍ୟମରେ ବାହାରିପାରୁ ନାହିଁ। ବରିଷ୍ଠ ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ସଂସଦ ସମେତ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ସ୍ବାଭାବିକ ଭାବେ ଚାଲିଛି। କିନ୍ତୁ ଆମ ବିଧାନସଭାରେ କଟକଣା ଜାରି ରହିଛି। ବାଚସ୍ପତି ଏହାକୁ ସ୍ବାଭାବିକ କରନ୍ତୁ। ଦର୍ଶକ ଓ ପ୍ରେସ୍ ଗ୍ୟାଲେରି ଖୋଲି ଦିଅନ୍ତୁ।

କଂଗ୍ରେସ ବରିଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ପ୍ରେସ୍ ଗ୍ୟାଲେରିରେ ସାମ୍ବାଦିକମାନେ ନ ବସିଲେ ସେମାନେ ଠିକ୍ ଭାବେ ସମ୍ବାଦ ପରିବେଷଣ କରିବେ କେମିତି? ରାଜ୍ୟବାସୀ ବିଧାନସଭାରେ କ’ଣ ଘଟୁଛି ‌ଜାଣିବେ କେମିତି? ସଂସଦରେ ଗୋଟିଏ ଗୃହରେ ଯଦି ୫୪୫ ଜଣ ବସୁଛନ୍ତି, ଏଠାରେ ୧୪୭ ଜଣ ବିଧାୟକ ଗୋଟିଏ ଜାଗାରେ ବସିପାରିବେନି? ବିଧାୟକମାନଙ୍କୁ ଗୋଟିଏ ଜାଗାରେ ନ ବସାଇଲେ ତାହା ଭୁଲ୍‌ ବାର୍ତ୍ତା ଦେଉଛି। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହି‌ଲେ, ଲୋକସେବା ଭବନରେ ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ସାମଲ ବସି ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି। ଗତକାଲି ସେ କହିଲା ବେଳେ ମାଇକ କଟିଗଲା। ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ। ତେଣୁ ସବୁ ବିଧାୟକଙ୍କୁ ଗୋଟିଏ ଜାଗାରେ ବସାଯିବା ସହ ପ୍ରେସ୍ ଗ୍ୟାଲେରି, ଦର୍ଶକ ଗ୍ୟାଲେରି ଖୋଲିଦିଆଯାଉ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ବିଧାୟକମାନଙ୍କର ସମ୍ମାନ ଅଛି। ସେମାନେ ସମ୍ମାଜନକ ଭାବେ ନିଜ କାର୍ଯ୍ୟ କରନ୍ତୁ। ଗୃହ ଭିତରେ ସମସ୍ତଙ୍କୁ ବସାଇଲେ ସେମାନେ ନିଜ କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିପାରିବେ। ଏହା ସହ ପ୍ରେସ୍ ଗ୍ୟାଲେରିରେ ମଧ୍ୟ ସାମ୍ବାଦିକଙ୍କୁ ଅନୁମତି ଦିଆଯାଉ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ।

ବାଚସ୍ପତି ଶ୍ରୀ ଆରୁଖ କହିଥିଲେ, ବିଧାନସଭାର ସବୁ ସଭ୍ୟମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ବସିବା ବ୍ୟବସ୍ଥା କରାଯାଇଥିଲା। ଏହି କଟକଣାରେ ଚଳିତ ଅଧିବେଶନରେ ଗୃହ ଚାଲିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଧାୟକମାନଙ୍କ ପଦମର୍ଯ୍ୟାଦା ଓ ଅଧିକାର କ୍ଷୁର୍ଣ୍ଣ ହେଲା ପରି କିଛି କରାଯାଇ ନାହିଁ। ଚଳିତ ଅଧିବେଶନରେ ଏହି କଟକଣା ଜାରି ରହିବ। ଆସନ୍ତା ଅଧିବେଶନରେ ପରିସ୍ଥିତି ଓ ପରିବେଶକୁ ଦେଖି ପଦ‌କ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର