ଅନଲାଇନ୍ କ୍ଲାସରେ ଅଶ୍ଳୀଳ ଭିଡିଓ ସେୟାର, ଥାନାରେ ମାମଲା; କ୍ଲାସ୍ ବନ୍ଦ

କଟକ : କଟକ ଚାଉଳିଆଗଞ୍ଜ ପରେ ଅନଲାଇନ କ୍ଲାସରେ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭିଡିଓ କଲରେ ପାଠ ପଢ଼ାଉଥିବାବେଳେ ଅଶ୍ଳୀଳ ଫଟୋ ସେୟାର କରିଛନ୍ତି ଶିକ୍ଷକ। ଏହି ଅଶ୍ଳୀଳ ଫଟୋ କ୍ଲାସର ସମସ୍ତ ଛାତ୍ରଛାତ୍ରୀ ଦେଖିବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ପ୍ୟାରୀମୋହନ ଏକାଡେମି ସ୍କୁଲରେ ଘଟିଛି। ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି। ଅନଲାଇନ କ୍ଲାସ ପାଇଁ ଖୋଲିଥିବା ହ୍ବାଟସଆପ ଗ୍ରୁପରେ ଏଭଳି ଅଶ୍ଳୀଳ ଫଟୋ ସେୟାର ପରେ ସ୍କୁଲ ପକ୍ଷରୁ ଗ୍ରୁପକୁ ଡିଲିଟ୍ କରି ଦିଆଯାଇଛି। ଦୁଇ ଦିନ ହେଲା ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବି ବନ୍ଦ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କରୋନା ପାଇଁ ଏବେ ଶିକ୍ଷାନୁଷ୍ଠାନରେ ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢ଼ାଯାଉଥିବା ବେଳେ ପ୍ୟାରୀ ମୋହନ ଏକାଡେମିରେ ହ୍ବାଟସଆପ୍ ଗ୍ରୁପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବି ସମାନ ଶୈଳୀରେ ପାଠ ପଢ଼ାଯାଉଛି। ଗଲା ୩୦ ତାରିଖରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବାବେଳେ ଏକ ଅଶ୍ଳୀଳ ଫଟୋ ଜଣେ ଶିକ୍ଷକ ସେୟାର କରି ଦେଇଥିଲେ। ଏହି ଘଟଣା ଅଭିଭାବକମାନେ ଜାଣିବା ପରେ ପ୍ରତିକ୍ରିୟା ହେବାରୁ ଫଟୋ ଡିଲିଟ୍ କରିବା ସହିତ ଗ୍ରୁପ ବି ଡିଲିଟ୍ କରି ଦିଆଯାଇଥିଲା। ଫଳରେ ଦୁଇ ଦିନ ହେଲା ପଞ୍ଚମ ଶ୍ରେଣୀର ଅନଲାଇନ କ୍ଲାସ ବନ୍ଦ ରହିଛି।

Oneindia Tamil

ସ୍କୁଲ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ସେକ ରହେମତ ଏବଂ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଏଭଳି ଅଶ୍ଳୀଳ ଫଟୋ ସେୟାର ଘଟଣା ସମ୍ପର୍କରେ ଉଭୟ ଜିଲ୍ଲାପାଳ ଏବଂ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ, କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଢ଼ୁଥିବାରୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଅନ୍ୟପଟେ ଦରଘାବଜାର ଥାନା ଆଇଆଇସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅନଲାଇନ୍ କ୍ଲାସ ବେଳେ ଏଭଳି ଅଶ୍ଳୀଳ ଫଟୋ ସେୟାର ଘଟଣା ସଂକ୍ରାନ୍ତରେ ଖବର ମିଳିଛି। ରିପୋର୍ଟ ଆଧାରରେ ଅନୁସନ୍ଧାନ କରାଯିବା ନେଇ ଶ୍ରୀ ଜେନା ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲର ଜୁମ ଆପ ମାଧ୍ୟମରେ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଅଶ୍ଳୀଳ ଭିଡିଓ ସେୟାର ହୋଇଥିଲା। ଏପ୍ରିଲ ୭ ତାରିଖରେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବେଳେ କେହି ଦୁର୍ବୃତ୍ତ ୟୁଜର ନେମ୍ ଓ ପାସଓ୍ବାର୍ଡ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ସେୟାର କରିଥିବା ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଏତଲା ହୋଇଥିଲା।

ସମ୍ବନ୍ଧିତ ଖବର