ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାଗତ କାର୍ଯ୍ୟକ୍ରମକୁ ସଫଳ କରିବା ପରେ ବିଜେଡି ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଚଳଚଞ୍ଚଳ ରଖିବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି। ଏବେ ଠାରୁ ନିୟମିତ ବ୍ୟବଧାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂଗଠନିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡକାଯାଇଥିଲା। ଜିଲ୍ଲା ସ୍ତରରେ ସାଂଗଠନିକ ସ୍ଥିତିକୁ ଆହୁରି ଦୃଢ଼ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା ହୋଇଥିଲା। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେବାକୁ ଥିବା ଦଳର ପଦଯାତ୍ରାକୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
ସେହିପରି ସନ୍ଧ୍ୟାରେ ଯୁବ ଓ ଛାତ୍ର ଶାଖାର କର୍ମକର୍ତ୍ତାମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀ କାର୍ଯ୍ୟକ୍ରମ ସହ ଗତକାଲିର ଭୁବନେଶ୍ବର କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଥିଲେ। ଦଳର ସଂଗଠନକୁ ଦୃଢ଼ କରିବା ପାଇଁ ନିଷ୍ଠାପର ଭାବେ ଉଦ୍ୟମ କରିବାକୁ କହିଥିଲେ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୁବ ଓ ଛାତ୍ର ଶାଖାର ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ।