ସବୁ ଅଟକିଗଲା : ବସ୍‌, ଅଟୋ, ଟ୍ୟାକ୍ସି ଚାଲିଲାନି, ଦୋକାନବଜାର ବନ୍ଦ

୫ଟା ବେଳେ ବାଜିଲା ଘଣ୍ଟଘଣ୍ଟା, ତାଳି/ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ବଜାଇଲେ ଘଣ୍ଟ

ଭୁବନେଶ୍ବର : କରୋନା ପାଇଁ ସତର୍କତା‌ ଅବଲମ୍ବନ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଜନତା କର୍ଫ୍ୟୁ’ର ଆହ୍ବାନ ଦେଇଥିଲେ। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛି। ପୂରା ଦିନଟି ସାରା ରାଜ୍ୟ ଯେମିତି ଅଟକିଯାଇଥିଲା। ସ୍ବତଃପ୍ରବୃତ୍ତ ଭାବେ ଲୋକମାନେ ଘରେ ରହିଥିଲେ। ରାସ୍ତାଘାଟ, ବଜାର ସବୁ ଶୂନ୍‌ଶାନ୍ ଥିଲା। ବସ୍, ଅଟୋ, ଟ୍ୟାକ୍ସି କିଛି ଗଡ଼ି ନ ଥିଲା। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁଠି ତାଲା ପଡ଼ିଯାଇଥିଲା। ଅପରାହ୍ନ ୫ଟାରେ ସମସ୍ତେ ଘଣ୍ଟ ଘଣ୍ଟା, ତାଳି ବଜାଇଥିଲେ।

ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଓଡ଼ିଶାର ସବୁ କୋଣରୁ ଏହି ଆହ୍ବାନକୁ ସମର୍ଥନ ମିଳିଥିଲା। ଘରେ ରହି କରୋନା ଭାଇରସ୍‌ ଠାରୁ ଦୂରେଇ ରହିବାକୁ ସମସ୍ତେ ଯେପରି ସଂକଳ୍ପ ନେଇଥିଲେ। ଜନତା କର୍ଫ୍ୟୁକୁ ସମର୍ଥନ କରି ବସ୍‌, ଅଟୋ ଚାଳକ, ଟ୍ୟାକ୍ସି ସଂଘ ସର୍ବସାଧାରଣ ପରିବହନ ବନ୍ଦ ରଖିବେ ବୋଲି ଆଗୁଆ ଘୋଷଣା କରିଥିଲେ। ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ‌ଯଦିଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିଲେ, କିନ୍ତୁ ଅଧିକାଂଶ ଦୋକାନ ବନ୍ଦ ହୋଇଯାଇଥିଲା। ରାସ୍ତାରେ କାଁ ଭାଁ ଘରୋଇ ଗାଡ଼ି ଦେଖିବାକୁ ମିଳିଥିଲା। ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ କେହି ଘରୁ ବାହାରି ନ ଥିଲେ। ସବୁଆଡ଼େ ନିର୍ଜନତା ଦେଖିବାକୁ ମିଳୁଥିଲା। ସନ୍ଧ୍ୟା ପରେ ମଧ୍ୟ କୌଣସି ସ୍ଥାନରେ ଦୋକାନ, ବଜାର ଖୋଲି ନ ଥିଲା। ରାଜଧାନୀ ଭୁବନେଶ୍ବର ସମେତ ସାରା ଓଡ଼ିଶା ଯେପରି ଠପ୍ ହୋଇଯାଇଥିଲା। ବିଭିନ୍ନ ଜିଲ୍ଲାର ମୁଖ୍ୟ ରାସ୍ତାଗୁଡ଼ିକରେ ପୁଲିସ ପଇଁତରା ମାରି ସ୍ଥିତି ଉପରେ ନଜର ରଖିଥିଲା।

ଜନତା କର୍ଫ୍ୟୁ ଯୋଗୁ ଲୋକମାନେ କିଛି ଜାଗାରେ ହଇରାଣ ମଧ୍ୟ ହୋଇଥିଲେ। ଦୂର ବାଟକୁ ଯିବା ପାଇଁ ବିଭିନ୍ନ ଷ୍ଟେସନ୍‌ରେ ବହୁ ଲୋକ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା। ଯଦିଓ ଆଜି କୌଣସି ‌େଟ୍ରନ୍ ଛାଡ଼ି ନ ଥିଲା, ତେବେ ଗତକାଲି ଠାରୁ ବିଭିନ୍ନ ଷ୍ଟେସନ୍‌ରୁ ବାହାରିଥିବା ଟ୍ରେନ୍‌ ଚଳାଚଳ ଆଜି ଜାରି ରହିଥିଲା। ସେହି ଟ୍ରେନ୍‌ଗୁଡ଼ିକରେ ଯିବା ପାଇଁ ଲୋକ ଭିଡ଼ ଜମାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଠିକ୍ ଅପରାହ୍ନ ୫ଟାରେ ଲୋକମାନେ ଘଣ୍ଟା, ଘଣ୍ଟା, ତାଳି ମାରି କରୋନା ମୁକାବିଲାରେ ସିଧାସଳଖ ସାମିଲ ଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ସଫେଇ କର୍ମଚାରୀ, ସରକାରୀ ଅଧିକାରୀ, ସେନାବାହିନୀ ଏବଂ ଏ ନେଇ ସଚେତନତା ସୃଷ୍ଟି କରୁଥିବା ଗଣମାଧ୍ୟମକୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଛାତ ଉପରେ ଘଣ୍ଟ ବଜାଇଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ବାଲେଶ୍ବରସ୍ଥିତ ବାସଭବନରେ ତାଳି ମାରିବା ସହ ଘଣ୍ଟ ବଜାଇଥିଲେ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ କରୋନାର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ଉନ୍ନୟନ କମିସନର୍‌ ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ୫-ଟି ସଚିବ ଭି କେ ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ତାଳି ମାରି ପ୍ଲାକାର୍ଡ ଦେଖାଇ କୃତଜ୍ଞତା‌ ଜ୍ଞାପନ କରିଥିଲେ। ସମାଜର ସବୁ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର