ପ୍ରଧାନମନ୍ତ୍ରୀ ବୀମା ଯୋଜନା କରୁ ନ ଥିବା ସିଏସ୍‌ପି ଅଚଳ, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍‌ କାରବାରରେ ବାଧା

ଜଗତସିଂହପୁର ଟାଉନ୍ : ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ କାରବାରର ଲାଇଫ୍‌ଲାଇନ୍ ସାଜିଥିବା ଶହ ଶହ କମନ୍ ସର୍ଭିସ ସେଣ୍ଟର(ସିଏସ୍‌ପି) ଗତ ତିନିଦିନ ହେଲା ଅଚଳ ହୋଇପଡ଼ିଛି। କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ମନୁଷ୍ୟକୃତ ଭାବେ ଏହାକୁ ଅଚଳ କରି ଦିଆଯାଇଛି। ଫଳରେ, ସହଜରେ ଟଙ୍କା ଜମା ଓ ଉଠାଣ ହୋଇପାରୁନାହିଁ। ପ୍ରତିଦିନ ବିଭିନ୍ନ ସିଏସ୍‌ପି ସେଣ୍ଟର୍‌ରୁ ହଜାର ହଜାର ଲୋକ ଫେରିଯାଉଛନ୍ତି। ଏହା କେବଳ ଗୋଟିଏ ଜିଲ୍ଲା ନୁହେଁ, ସାରାରାଜ୍ୟରେ ଏଭଳି ହୋଇଥିବା କୁହାଯାଉଛି। ଯାହାକୁ ନେଇ ଉଭୟ ସିଏସ୍‌ପି ମାଲିକ ଓ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ୨୦୧୫ରେ କମନ ସର୍ଭିସ ସେଣ୍ଟର(ସିଏସ୍‍ପି) ହୋଇଥିଲା। ଏଥିରେ ବ୍ୟାଙ୍କିଙ୍ଗ୍‌ କାରବାରକୁ ଅନୁମତି ମିଳିଥିଲା। ଗାଁ ଗହଳିର ଲୋକଙ୍କ ହାତପାଆନ୍ତାରେ ବ୍ୟାଙ୍କ୍ ସେବା ଯୋଗାଇ ଦେବାପାଇଁ ସିଏସ୍‍ପି ଉଲ୍ଲେଖନୀୟ କାମ କରୁଛି। ଆର୍ଥିକ କାରବାର ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା – ଅଟଳ ପେନ୍‍ସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ହିତାଧିକାରୀଙ୍କୁ ସାମିଲ୍‌ ଭଳି କାର୍ଯ୍ୟପାଇଁ ଅନୁମତି ରହିଛି। ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ୍‌ କରିବାପାଇଁ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉଦ୍ୟମ ଆରମ୍ଭ ହୋଇଛି। ବ୍ୟାଙ୍କ କାରବାର ସହ ଏହି ଯୋଜନାରେ ଲୋକଙ୍କୁ ସାମିଲ କରିବା ପାଇଁ ସିଏସ୍‌ପି ଗୁଡ଼ିକୁ ନିର୍ଦ୍ଦେଶ ରହିଛି। ତେବେ, ବ୍ୟାଙ୍କ କାରବାର କରୁଥିବା ସିଏସ୍‌ପି ଗୁଡ଼ିକୁ କାରବାର କରାଇବା ପାଇଁ ନିର୍ଦ୍ଦିଷ୍ଟ କୋଡ୍ ପ୍ରଦାନ କରାଯାଉ ନ ଥିବାରୁ କିଛିଦିନ ଧରି ସିଏସ୍‌ପିଗୁଡ଼ିକରେ ବ୍ୟାଙ୍କ କାରବାର ବନ୍ଦ ରହିଛି। ଯେଉଁଥିପାଇଁ ପ୍ରତିଦିନ ହଜର ହଜାର ଲୋକ ହଇରାଣ ହରକତ ହେଉଛନ୍ତି।

ଏକ ସିଏସ୍‌ପିର ସୂଚନା ଅନୁଯାୟୀ ଦିନକୁ ଦିନ ସିଏସ୍‌ପିଗୁଡିକରେ ସାମାଜିକ ସୁରକ୍ଷାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ପୂର୍ବଭଳି ବୃଦ୍ଧି ପାଉନାହିଁ। ପ୍ରଥମରୁ ବହୁସଂଖ୍ୟାରେ ଲୋକେ ଏହିସବୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍‌ ହୋଇସାରିଛନ୍ତି। ଏବେ କେତେକ ସାମାଜିକ ସୁରକ୍ଷା ଯୋଜନାରେ ଦେୟ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ପୂର୍ବରୁ ମାସକୁ ୩୩୦ ଟଙ୍କା ଦେବାକୁ ପଡୁଥିବାବେଳେ ଚଳିତ ବର୍ଷ ଜୁନ୍‍ ମାସରୁ ତାହାକୁ ୪୩୬ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଦେୟ ୧୨ ରୁ ୨୦ ଟଙ୍କାକୁ ବଢିଛି।

ଜଗତସିଂହପୁର ଜିଲ୍ଲାରେ ଦାୟିତ୍ବରେ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି, ସିଏସପି ଆରମ୍ଭ ହେବା ଦିନଠାରୁ କେବେ ବି ସାମାଜିକ ସୁରକ୍ଷାରେ ବ୍ୟାଙ୍କ ସେବା ପାଉଥିବା ଲୋକଙ୍କୁ ଯୋଜନା ସମ୍ପର୍କରେ ବୁଝାଇବା ପାଇଁ କୁହା ଯାଇ ନ ଥିଲା। ପ୍ରାୟ ୭ ବର୍ଷ ପରେ ଗୋଟିଏ ମାସ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ସେବା ପାଉଥିବା ଲୋକଙ୍କୁ ସାମିଲ୍‌ କରି ସେମାନଙ୍କୁ ବୁଝାଇବା ପାଇଁ ସିଏସ୍‌ପିଗୁଡ଼ିକୁ କୁହାଯାଇଛି। କେବଳ ଅଗଷ୍ଟ ମାସରେ ଏହି କାମ କରିବାପାଇଁ କୁହାଯାଇଛି। କିନ୍ତୁ, କେତେକ ସିଏସ୍‌ପି ନିଜର ଲାଭ ଦେଖି ବ୍ୟାଙ୍କ କାରବାର କରୁଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ କରିବା ପ୍ରକ୍ରିୟା ନ କରିବେ, ସେହି ସିଏସ୍‌ପି ଗୁଡ଼ିକ ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ରହିଛି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର