ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଆଧ୍ୟାତ୍ମିକତାରେ ପ୍ରତିବନ୍ଧକ: ଗଜପତି

‘ଓସା’ର ବିଶ୍ବସ୍ତରୀୟ ଆଧ୍ୟାତ୍ମିକ ସମ୍ମିଳନୀ

ପୁରୀ : ପାଶ୍ଚାତ୍ୟ ଦେଶରେ ଶୈକ୍ଷିକ ବ୍ୟବସ୍ଥା ଆଧ୍ୟାତ୍ମିକତାକୁ ପରିତ୍ୟାଗ କରିବାକୁ ବାଧ୍ୟ କରୁଛି। ଏହା ଆଧ୍ୟାତ୍ମିକ ପରିବେଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ପାଶ୍ଚାତ୍ୟ ଦେଶରେ ଧର୍ମନିରପେକ୍ଷ ବ୍ୟବସ୍ଥା ଦ୍ବାରା କେବଳ ବସ୍ତୁଗତ ବିକାଶ ସମ୍ଭବ। ଏହାଦ୍ବାରା ଆଧ୍ୟାତ୍ମିକ ବିକାଶ ସମ୍ଭବ ନୁହେଁ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ପାଶ୍ଚାତ୍ୟ ଦେଶର ଏହି ଶୈକ୍ଷିକ ବ୍ୟବସ୍ଥା ନେଇ ସେ ଦୁଃଖପ୍ରକାଶ କରିବା ସହ ପୁରାତନ ଗୁରୁକୂଳ ବ୍ୟବସ୍ଥାକୁ ମନେ ପକାଇଛନ୍ତି। ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ପକ୍ଷରୁ ଦୁଇଦିନିଆ ବିଶ୍ବସ୍ତରୀୟ ଆଧ୍ୟାତ୍ମିକ ସମ୍ମିଳନୀ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗଜପତି ମହାରାଜ ‘ଶିକ୍ଷାନୁଷ୍ଠାନରେ ଆଧ୍ୟାତ୍ମିକ ଶିକ୍ଷା’ ଉପରେ ବକ୍ତବ୍ୟ ରଖିଥିଲେ।

ଗଜପତି ମହାରାଜ କହିଲେ, ପୁରାତନ ଗୁରୁକୁଳ ବ୍ୟବସ୍ଥାରୁ ଅନେକ କିଛି ଶିଖିବାର ଅଛି। ବାଲ୍ୟାବସ୍ଥାରେ ଏଭଳି ପରିବେଶର ଆବଶ୍ୟକତା ଜରୁରୀ। ବର୍ତ୍ତମାନ ଗୁରୁକୁଳ ବ୍ୟବସ୍ଥାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ପ୍ରଥମ ଦିନର ଆଲୋଚନାରେ ଅତିଥି ଭାବେ ଯୋଗଦେଇ ନ୍ୟୁୟର୍କ ବେଦାନ୍ତ ସୋସାଇଟିର ସ୍ବାମୀ ସର୍ବପ୍ରିୟାନନ୍ଦ ଆଧ୍ୟାତ୍ମିକତାର ବିଜ୍ଞାନ ଉପରେ ମତବ୍ୟକ୍ତ କରିଥିଲେ। ସେ ଅଦୈତ ବେଦାନ୍ତ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୋତାଙ୍କ ବିଭିନ୍ନ ଆଧ୍ୟାତ୍ମିକଧର୍ମୀ ପ୍ରଶ୍ନର ସହଜ ଓ ସରଳ ଭାଷାରେ ଉତ୍ତର ଦେଇଥିଲେ। ଦ୍ବିତୀୟ ବକ୍ତା ଭାବେ ପଟିଆଲା ଚିନ୍ମୟ ମିସନ୍‌ର ସ୍ବାମୀ ମାଧବାନନ୍ଦ ସରସ୍ବତୀ ଯୋଗଦେଇ ‘ଆଧ୍ୟାତ୍ମିକ ସାଧନା’ ଉପରେ ବକ୍ତବ୍ୟ ରଖି ସାଧନା କାହିଁକି, ‌କ’ଣ ପାଇଁ, କେମିତି ଓ କେତେବେଳେ ଦରକାର ଓ ଏହାର ଉପକାରିତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଋଷିକେଶ ଡିଭାଇନ୍‌ ଲାଇଫ୍ ସୋସାଇଟିର ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଘରେ କିଭଳି ଆଧ୍ୟାତ୍ମିକ ପରିବେଶ ଆଣିହେବ ସେ ଉପରେ ମତ ଦେଇଥିଲେ।

ଦ୍ବିତୀୟ ଦିନର ଆଲୋଚନାରେ ଭୁବନେଶ୍ବର ଚିନ୍ମୟ ମିସନ୍‌ର ସ୍ବାମୀ ସଦାନନ୍ଦ ସରସ୍ବତୀ ଅତିଥି ଭାବେ ଯୋଗଦେଇ କର୍ମକ୍ଷେତ୍ରରେ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସେ କହିଲେ, ମସ୍ତିଷ୍କ ବିଚଳିତ ଥିଲେ କାହାକୁ କେବେ ବି ଶାନ୍ତି ମିଳେନି।

ଶେଷ ବକ୍ତା ଭାବେ ପୁରୀ ଝାଞ୍ଜପିଠା ମଠ ଅଧ୍ୟକ୍ଷ ବାବା ସଚିଦାନନ୍ଦ ଦାସ ମହାରାଜ ଯୋଗଦେଇ ‘ଜୀବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁଭୂତି’କୁ ନେଇ ବକ୍ତବ୍ୟ ରଖିଥିଲେ।

ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ଭାରତ ସମେତ ବିଶ୍ବର କୋଣ ଅନୁକୋଣରୁ ଶ୍ରୋତାମାନେ ଯୋଗ ଦେଇଥିଲେ। ‘ଓସା’ର ସଭାପତି କୁକୁ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଉପସଭାପତି ଅନିଲ ପଟ୍ଟନାୟକ, କୋଷାଧ୍ୟକ୍ଷ ଉତ୍କଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର