ମାଲକାନଗିରି: ଉଛୁଳା ନଈ ପାରକରାଇ ଜଣେ ପ୍ରସୂତି ଓ ନବଜାତର ଜୀବନ ବଞ୍ଚାଇଛନ୍ତି ଯବାନ। ଏଥିପାଇଁ ଦୁଇଟି ବଡ଼ ଡ୍ରମ୍କୁ ଏକାଠି ବାନ୍ଧି ତା’ ଉପରେ କାଠପଟା ରଖି କିଛି ମିନିଟ୍ ମଧ୍ୟରେ ତିଆରି କରିଥିଲେ ଡଙ୍ଗା। ପାଦେପାଦେ ନକ୍ସଲ ଭୟ ଥିଲେ ହେଁ ଜୀବନକୁ ବାଜି ଲଗାଇବାକୁ ପଛାଇ ନଥିଲେ। ସୋସିଆଲ ମିଡିଆରେ ଏହି ସାହସିକ ଭିଡିଓ ଭାଇରାଲ ହୋଇଥିବା ବେଳେ ଯିଏ ଦେଖୁଛି ସାଲ୍ୟୁଟ୍ କରୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଛତିଶଗଡ଼ର ବହୁ ପାହାଡ଼ିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି ପରିସ୍ଥିତିରେ ବିଜାପୁର ଜିଲ୍ଲା ନାମ୍ବି ଗାଁର ମାଣ୍ଡାଇ ଯୋଗୀ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଗର୍ଭବତୀଙ୍କୁ ଗାଁ ନିକଟ ପାହାଡ଼ିଆ ନଦୀ ପାର କରାଇ ଡାକ୍ତରଖାନା ନେବା ସମ୍ଭବ ନଥିଲା। ପରିବାର ଲୋକଙ୍କ ପାଖରେ ଯୋଗାଯୋଗ ପାଇଁ ମଧ୍ୟ କୌଣସି ମାଧ୍ୟମ ନଥିଲା। ଏହି ଖବର ନଦୀ ଆରପାଖରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଞ୍ଚିଥିଲା। ନଦୀପାଣି ଏତେ କ୍ଷିପ୍ର ଥିଲା ଯେ ଗର୍ଭବତୀଙ୍କୁ ନଦୀ ପାର କରାଇବାକୁ ଯବାନମାନେ ମଧ୍ୟ ଚିନ୍ତାରେ ପଡ଼ିଥିଲେ।
ଏଣେ ନକ୍ସଲ ଭୟ ରହିଥିଲା। ଏହା ସତ୍ତ୍ବେ ସାହସ ଜୁଟାଇ ଯବାନମାନେ ଦୁଇଟି ବଡ଼ ପ୍ଲାଷ୍ଟିକ୍ ଡ୍ରମ୍କୁ ଏକଠି ବାନ୍ଧି ତା’ ଉପରେ ପଟା ରଖି ନଦୀପାର ପାଇଁ ଯୋଗାଡ଼ କରିଥିଲେ। ଯବାନମାନେ ମାନବଶୃଙ୍ଖଳ କରି ଏକ ବଡ଼ ଦଉଡ଼ିକୁ ନଦୀର ଆର ପାଖରେ ଥିବା ଗଛରେ ବାନ୍ଧିଥିଲେ। ଦଉଡ଼ି ଓ ଡ୍ରମ ସାହାଯ୍ୟରେ ଯବାନମାନେ ନଦୀପାର ହୋଇ ଗର୍ଭବତୀଙ୍କ ନିକଟରେ ପହଞ୍ଚିଥିଲେ। ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିବାରୁ ଗର୍ଭବତୀ ଶିଶୁକୁ ଜନ୍ମ ଦେଇସାରିଥିଲେ। ନଜଜାତ ଶିଶୁ ଏବଂ ପ୍ରସୂତିଙ୍କୁ ଯବାନମାନେ ସେହି ଡ୍ରମ୍ ଉପରେ ବସାଇ ବିପଦପୂର୍ଣ୍ଣ ଭାବେ ଉଛୁଳା ନଦୀ ପାର କରାଇ ଡାକ୍ତରଖାନା ନେଇଥିଲେ। ଏହି ଦୃଶ୍ୟ କୌଣସି ସିନେମା କାହାଣୀଠାରୁ କମ୍ ନଥିଲା। ଘଟଣାକୁ ଯବାନମାନେ ନିଜ ମୋବାଇଲ୍ରେ କଏଦ କରି ଭାଇରାଲ୍ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଦୁଇଟି ଜୀବନ ବଞ୍ଚାଇଥିବାରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।