କ୍ରିକେଟ୍‌ ବୟସ ଜାଲିଆତି: ଓସିଏ କ୍ଲବ୍‌ରେ ଅଧିକାରୀ, ଖେଳାଳିଙ୍କୁ ଜେରା

କଟକ : କ୍ରିକେଟ୍‌ ବୟସ ଜାଲିଆତି ଘଟଣାରେ ସିବିଆଇ ଆଜି କେତେ ଜଣ ଅଧିକାରୀ ଓ ଖେଳାଳିଙ୍କୁ ମାରାଥନ୍‌ ଜେରା କରିଛି। ଓସିଏ କ୍ଲବ୍‌ରେ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମର କର୍ମଚାରୀ ଏବଂ ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ୪ ଜଣ ଖେଳାଳିଙ୍କୁ ଆଜି ଜେରା ପାଇଁ ଡକାଯାଇଥିଲା। ବୟସ ସାର୍ଟିଫିକେଟ୍‌ ଦେବା ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ମୁଖ୍ୟତଃ ଜେରା ପାଇଁ ଡକାଯାଇଥିଲା। ଅନ୍ୟପଟେ ଆସନ୍ତାକାଲି ବାଲେଶ୍ୱର, ସୋର, ଭଦ୍ରକ, ବାରିପଦା, ତିହିଡି, ନୂଆପଡ଼ା, କୋରାପୁଟ ଓ କଟକ ମ୍ୟୁନିସପାଲିଟି ଅଞ୍ଚଳର ୧୦ ଜଣ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ୍‌ ଜାରି କରାଯାଇଥିବା ବେଳେ ୧୯ ଜଣ ଖେଳାଳିଙ୍କୁ ଜେରା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସିବିଆଇ ଅଧିକାରୀଙ୍କ ନିକଟରେ ସୋର ଓ ଭଦ୍ରକର ଜନ୍ମ ପ୍ରମାଣପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ହାଜର ହେବେ ବୋଲି ସୂଚନା ମିଳିଛି। ଗତକାଲି ଠାରୁ ସିବିଆଇ ଅଧିକାରୀମାନେ ଏହି ଘଟଣାରେ ଅଧିକାରୀ ଓ ଖେଳାଳିଙ୍କୁ ଜେରା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ବୟସ କମ୍‌ ଦର୍ଶାଇ ଏକାଧିକ ଖେଳାଳି ବିଭିନ୍ନ ବର୍ଗରେ କ୍ରିକେଟ୍‌ ଖେଳୁଥିବା ଭଳି ସାଂଘାତିକ ଅଭିଯୋଗ ରହି ଆସିଛି।

ସମ୍ବନ୍ଧିତ ଖବର