କଟକ: ରାଜ୍ୟରେ କ୍ରିକେଟ୍ ଖେଳର ବିକାଶ ପାଇଁ ହେବ ‘ଓସିଏ ସେଣ୍ଟର ଅଫ୍ ଏକ୍ସ୍ଲେସନ୍ସ’। ଏହା ଅଧୀନରେ ଦୁଇଟି ଅନୁଷ୍ଠାନ ପରିଚାଳିତ ହେବ। ପ୍ରଥମଟି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଓସିଏର ପ୍ରଥମ ସଭାପତି ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ‘ଡକ୍ଟର ହରେକୃଷ୍ଣ ମହତାବ କ୍ରିକେଟ ଫିଡର୍ ସେଣ୍ଟର (ଆବାସିକ କ୍ରିକେଟ୍ ଏକାଡେମି) ଗଠନ ହେବ। ଏହି ଆବାସିକ ଏକାଡେମିରେ ୧୪ବର୍ଷରୁ କମ୍ ୫୦ ଜଣ ବାଳକ ଓ ୩୦ ଜଣ ବାଳିକା ରହିବେ। ଓସିଏ ପକ୍ଷରୁ ଏହି ଅନ୍ତେବାସୀଙ୍କର ଶିକ୍ଷା, କ୍ରିକେଟ୍ ପ୍ରଶିକ୍ଷଣ, ଖାଦ୍ୟ, ସ୍ବାସ୍ଥ୍ୟ ଆଦି ସର୍ବାଙ୍ଗୀନ ବିକାଶ ଦିଗରେ ଗୁରୁତ୍ବ ଦିଆଯିବ। ଦ୍ବିତୀୟରେ ବାରବାଟୀ ଷ୍ଟାଡିୟମ୍ ପରିସରସ୍ଥିତ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍କୁ ରୂପାନ୍ତରିତ କରି ‘ସଚିନ ତେନ୍ଦୁଲକର ସ୍ପୋର୍ଟସ୍ ସାଇନ୍ସ ସେଣ୍ଟର୍’ ଗଢ଼ାଯିବ।
ଏଥିରେ କ୍ରୀଡ଼ା ବିଜ୍ଞାନ ଓ କ୍ରୀଡ଼ା ପ୍ରଯୁକ୍ତିବିଦ୍ୟା ସଂପର୍କିତ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା କରାଯିବା ସହ କ୍ରିକେଟ୍ ଖେଳାଳିଙ୍କ ଇଞ୍ଜୁରି ମ୍ୟାନେଜ୍ମେଣ୍ଟ୍, ବୈଜ୍ଞାନିକ ତାଲିମ୍ ଆଦି ଉପରେ ଗୁରୁତ୍ବ ଦିଆଯିବ ବୋଲି ଆଜି ଓଡ଼ିଶା କ୍ରିକେଟ୍ ସଂଘ(ଓସିଏ) ଆପେକ୍ସ କାଉନ୍ସିଲ୍ ବୈଠକରେ ଚୂଡ଼ାନ୍ତ ହୋଇଛି। ‘ଓସିଏ’ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ‘ଓସିଏ’ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମୋହନ ପଟ୍ଟନାୟକ, ସଂପାଦକ ସଞ୍ଜୟ ବେହେରା, ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସଦସ୍ୟ ପ୍ରତାପଚନ୍ଦ୍ର ପ୍ରଧାନ, ରାକେଶ ମହାନ୍ତି, ଗୀତା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ‘ଓସିଏ’ ପକ୍ଷରୁ ଆଗାମୀ ଦିନରେ ହେବାକୁ ଯାଉଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ ବିଷୟରେ ଆଲୋଚନା ହୋଇଥିଲା। ‘ଓସିଏ’ ସଂପାଦକଙ୍କ ନେତୃତ୍ବରେ ଅନୁଷ୍ଠିତ ଆଲୋଚନାରେ ସୌର୍ଯ୍ୟରଞ୍ଜନ ପରିଜା, ସରୋଜ ରଞ୍ଜନ ସାହୁ, ଉପେନ୍ଦ୍ର ଦାଶ, ରବି ଶଙ୍କର ପ୍ରତିହାରୀ, ଶୁବାଶିଷ ସାହୁ ପ୍ରମୁଖ ଭାଗ ନେଇଥିଲେ।