ଭୁବନେଶ୍ବର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ) ସହ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦାୟୀ କରିଛି ବିଜେପି ମହିଳା ମୋର୍ଚ୍ଚା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟନାୟକ ପ୍ରଶ୍ନ କରିଛନ୍ତି କାହିଁକି ରାଜଶ୍ରୀଙ୍କ ନିଖୋଜର ୨ ଦିନ ପରେ ବି ପରିବାର କି ପୁଲିସକୁ ଜଣାଇଲାନି ଓସିଏ। ସେ ଦାୟିତ୍ୱ କାହାର। ସେହିପରି ଗୋଟେ ପଟେ ହକି ମହାକୁମ୍ଭ ହୋଇ ନୂଆ ଖେଳ ପ୍ରତିଭାକୁ ସରକାର ଅନ୍ୱେଷଣ କରୁଛନ୍ତି ତ ଅନ୍ୟପଟେ ଗୋଟେ ପ୍ରତିଭାବାନ ଖେଳାଳି ନିଜ ହକ ନପାଇ ମୃତ୍ୟୁବରଣ କରୁଛି।
ସେ ଆହୁରି କହିଛନ୍ତି, ବାରମ୍ବାର ମହିଳାଙ୍କୁ ସମ୍ମାନ କଥା କହୁଥିବା ସରକାର ସବୁବେଳେ ମହିଳାଙ୍କ ଘଟଣାରେ ନିଜର ନିରବତା ପ୍ରଦର୍ଶନ କରି ଅନ୍ୟାୟ କରୁଛନ୍ତି । ଯିଏ ସ୍ୱର ଉଠାଉଛି ତାଙ୍କୁ କବର ଦେଇଛନ୍ତି ସରକାର । ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା। ରାଜଶ୍ରୀଙ୍କ ପଞ୍ଚାୟତ ହେଉଛି ବଡ଼ଗାଁ। ସେହି ପଞ୍ଚାୟତରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର। ବହୁଥର ପରିବାର ଲୋକେ ରାଜଶ୍ରୀଙ୍କୁ ପ୍ରୋତ୍ସାହନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି , କିନ୍ତୁ ମନ୍ତ୍ରୀ କାହାରି କଥା ବି ଶୁଣିନଥିବା ପରିବାର ଲୋକେ କହିଛନ୍ତି। ଏପରିକି ରାଜଶ୍ରୀଙ୍କ ନିଖୋଜ ପରେ ମଧ୍ୟ ପରିବାର ଲୋକେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ଫୋନ ଯୋଗେ କହିଥିଲେ ମଧ୍ୟ - ହକିରେ ବ୍ୟସ୍ତ ଅଛି କହି ମନ୍ତ୍ରୀ ଫୋନ କରିଥିବା ପରିବାର ଲୋକେ କହିଛନ୍ତି । ଏ କଣ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସମ୍ମାନ ଏବଂ ଖେଳ ଆଉ ଖେଳାଳୀଙ୍କୁ ପ୍ରୋତ୍ସାହନ?
ଗତକାଲି ଓସିଏ ଏବଂ ରାଜଶ୍ରୀଙ୍କ ଘରକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା ।ରାଜଶ୍ରୀ କ୍ରୀଡ଼ା ମନ୍ତ୍ରୀଙ୍କ ନିଜ ପଞ୍ଚାୟତର ଝିଅ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ମନ୍ତ୍ରୀ ତାଙ୍କ ଘରକୁ ଗଲେନି କି ସମବେଦନା ଜଣାଇଲେନି। ଏଥିରୁ ସ୍ପଷ୍ଟ ରାଜ୍ୟ ସରକାର ମହିଳା ବିରୋଧୀ ସରକାର ଏବଂ ସମ୍ବେଦନହୀନ ସରକାର। ମହିଳା ପ୍ରସଙ୍ଗ ଆସିଲେ ସରକାର ଧଳା ଚାଦର ଘୋଡ଼ାଉଛନ୍ତି। ତେଣୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି।