ଦିନକ ପରେ ଓସିଏ ନିର୍ବାଚନ : ହସ୍ପିଟାଲରୁ ଓସିଏ ନିର୍ବାଚନ ଉପରେ ନଜର ରଖିଛନ୍ତି ଆଶୀର୍ବାଦ!

ପୁଅକୁ ଜିତାଇବାକୁ ଚଳାଇଛନ୍ତି ଜୋରଦାର ପ୍ରଚାର, ଭୋଟ ଦେଇ ପାରିବେନି ଆଶୀର୍ବାଦ: ଡିସିପି

ଭୁବନେଶ୍ବର : ଦୁଇ ଦିନ ପରେ ଅର୍ଥାତ ଆସନ୍ତା ଶୁକ୍ରବାର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ସାଂଗଠନିକ ନିର୍ବାଚନ। ଅର୍ଥତତ୍ତ୍ବ ଠକେଇ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ତଥା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ଚଳିତଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସମ୍ପାଦକ ପଦ ପାଇଁ ଆଶାୟୀ ଅଛନ୍ତି। କିନ୍ତୁ ବାପା ଗିରଫ ହୋଇଥିବାରୁ ସମସ୍ୟାରେ ପଡ଼ିଛନ୍ତି ସଂଜୟ। ଅପରପକ୍ଷେ ଆଶୀର୍ବାଦ ଗିରଫ ହୋଇଥିଲେ ମଧ୍ୟ ଅସୁସ୍ଥତା ଦର୍ଶାଇ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହେଲେ ସେ ହସ୍ପିଟାଲ ବେଡରୁ ଆଶୀର୍ବାଦ ଗୋଟି ଚଳାଉଥିବା ଓସିଏର କର୍ମକର୍ତାମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ପୁଅ ପାଇଁ ହସ୍ପିଟାଲରେ ଥାଇ ମଧ୍ୟ ପ୍ରଚାର ଚଳାଉଥିବା ଅଭିଯୋଗ ହେଉଛି। ଏପରିକି ସେ ନିର୍ବାଚନ ଦିନ କଟକ ଯାଇ ଭୋଟ ଦେବାକୁ ଯୋଜନା କରିଥିବା ଜଣାପଡ଼ିଛି। କିନ୍ତୁ ଏଭଳି ଅଭିଯୋଗକୁ ଉଭୟ ଜେଲ ପ୍ରଶାସନ ଓ କମିସନରେଟ ପୁଲିସ ଖଣ୍ଡନ କରିଛି। ଜେଲ କତୃର୍ପକ୍ଷ କହିଛନ୍ତି, ଆଶୀର୍ବାଦ ଅସୁସ୍ଥ ଅଛନ୍ତି, ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଚଳିତଥର ଓସିଏ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରଦୀପ ଚୌହାନ ଓ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ ସମ୍ପାଦକ ପଦ ପାଇଁ ଆଶୀର୍ବାଦଙ୍କ ପୁଅ ସଂଜୟ ବେହେରା ଓ ନବରଂଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ପଙ୍କଜ ଲୋଚନ ଓ ସଂଜୟ ଗୋଟିଏ ଚେନରେ ଥିବା ଶୁଣିବାକୁ ମିଳୁଛି। ଏହି ଦୁଇଜଣଙ୍କ ପାଇଁ ଆଶୀର୍ବାଦ ହେଉଛନ୍ତି ଗଡ୍‌ଫାଦର। ଆଶୀର୍ବାଦଙ୍କ ବଳରେ ଏମାନେ ବଳୀୟାନ। କିନ୍ତୁ ଏଭଳି ସମୟରେ ସିବିଆଇ ଛାଟ ପଡ଼ିଲା ଆଶୀର୍ବାଦଙ୍କ ଉପରେ। ଚଳିତ ମାସ ୧୮ ତାରିଖରେ ସିବିଆଇ ତାଙ୍କୁ କଟକ ବାସଭବନରୁ ଉଠାଇ ଆଣି କୋର୍ଟ ଚାଲାଣ କଲା।

New Indian Express

ଏହାର ପରଦିନ ହଠାତ ଆଶୀର୍ବାଦ ଅସୁସ୍ଥ‌ ହୋଇ ପଡ଼ି‌ଲେ। ତାଙ୍କୁ ପ୍ରଥମେ ଜେଲ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏବେ ବି ସେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଓସିଏର ଗୋଟିଏ ଗୋଷ୍ଠୀର ଅଭିଯୋଗ ଯେ ଏହା ଆଶୀର୍ବାଦଙ୍କ ଯୋଜନା। ଦେହ ଅସୁସ୍ଥ ଥିବାର ବାହାନା କରିଛନ୍ତି। ଜେଲରେ ଥିଲେ, ସେ ଓସିଏ ନିର୍ବାଚନ ଉପରେ ନଜର ରଖି ପାରି ନଥାନ୍ତେ। କିନ୍ତୁ ହସ୍ପିଟାଲରେ ଥିବାରୁ ତାଙ୍କୁ ଅନେକ ଭେଟିବାକୁ ଆସୁଛନ୍ତି। ନିର୍ବାଚନ ସଂକ୍ରାନ୍ତରେ ହସ୍ପିଟାଲରେ ଥାଇ ଆଲୋଚନା ମଧ୍ୟ କରୁଛନ୍ତି। ଫଳରେ ଏହାର ପ୍ରଭାବ ମଧ୍ୟ ନିର୍ବାଚନରେ ପଡ଼ିବାର ସମ୍ଭାବନା ରହିଛି। ସେହିପରି ସେ ନିର୍ବାଚନ ଦିନ କଟକ ଯାଇ ଭୋଟ ଦେବାକୁ ଜେଲ ବିଭାଗକୁ ଏକ ଚିଠି ଲେଖିଛନ୍ତି। ଏହା ଯଦି ହୁଏ, ତେବେ ଓସିଏ ନିର୍ବାଚନ ଉପରେ ସିଧାସଳଖ ପଡ଼ିବ ବୋଲି କୁହାଯାଉଛି।

ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଜେଲର୍‌ ଶୁଭେନ୍ଦୁ ମିଶ୍ର କହିଛନ୍ତି, ଆଶୀର୍ବାଦ ପ୍ରକୃତରେ ଅସୁସ୍ଥ ଅଛନ୍ତି। ତାଙ୍କ ପିଚାରେ ଅସ୍ତ୍ରୋପଚାର କରାଯାଇଛି। ସେଥିପାଇଁ ସେ ଚାଲିବାକୁ ସକ୍ଷମ ନୁହନ୍ତି। ଦିନକୁ ୫ରୁ ୬ ଥର ପାଇଖାନା ଯାଉଛନ୍ତି। ଉଚ୍ଚ ରକ୍ତଚାପ ମଧ୍ୟ ରହିଛି। ଏହା ଛଡ଼ା ତାଙ୍କ ବୟସ ୭୭ ହେଲାଣି। ଏଥିପାଇଁ ପ୍ରଥମେ ତାଙ୍କୁ ଜେଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଜେଲ ହସ୍ପିଟାଲର ଅନୁମତିକ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।

ସେହିପରି ଡିସିପି ଅନୁପ ସାହୁ ଏ ସମ୍ପର୍କରେ କହିଛନ୍ତି, କୋର୍ଟ ଅନୁମତି ପ୍ରଦାନ କଲେ ଆଶୀର୍ବାଦ ଭୋଟ୍‌ ଦେବାକୁ କଟକ ଯିବେ। କିନ୍ତୁ ଆମେ ଏଥିପା‌ଇଁ କୌଣିସି ଅନୁମତି ପ୍ରଦାନ କରିପାରିବୁ ନା‌ହିଁ। ବ୍ୟକ୍ତିଗତ ଭାବେ ବାଲାଟ ଅଣାଯାଇ ତାଙ୍କ ମତ ସଂଗ୍ରହ କରାଯାଇପାରେ। କିନ୍ତୁ ଏଥିପାଇଁ ଓସିଏର ବାଇ-ଲ’ ସମ୍ପର୍କରେ ଅବଗତ ହେବାକୁ ପଡ଼ିବ। ଅନ୍ୟପକ୍ଷରେ ହସ୍ପିଟାଲରୁ ଥାଇ ଓସିଏ ନିର୍ବାଚନର ପ୍ରଚାର କରୁଥିବା ଅଭିଯୋଗ ସମ୍ପର୍କରେ ଡିସିପି କହିଛନ୍ତି, ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟ ରଖାଯାଇ ତାଙ୍କ ଗତବିଧି ଉପରେ ନଜର ରଖାଯାଉଛି। ତାଙ୍କ ପରିବାରକୁ ଛାଡ଼ି ଦେଲେ ଅନ୍ୟମାନଙ୍କୁ ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଉନାହିଁ।

ସମ୍ବନ୍ଧିତ ଖବର