ଓସିଏ ନିର୍ବାଚନ : ପ୍ରଚାରରେ ଶେଷ ସ୍ପର୍ଶ ଦେଉଛନ୍ତି ପ୍ରାର୍ଥୀ, ଦୁଇ ପ୍ରମୁଖ ପଦରେ କଡ଼ା ସ˚ଘର୍ଷ

କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) କର୍ମକର୍ତ୍ତା ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ଯେଉଁଥିପାଇଁ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ସ୍ପର୍ଶ ଦିଆଯାଉଛି। ପୂର୍ବରୁ ଜିଲ୍ଲା ଓ ସ୍କୁଲ୍‌, କଲେଜମାନଙ୍କ ପାଖରେ ବୁଲିବା ପରେ ଏବେ ଟେଲିଫୋନ୍‌ ଜରିଆରେ ଭୋଟ ପ୍ରଚାର କରାଯାଉଛି। ପ୍ରତ୍ୟେକ ସଦସ୍ୟଙ୍କ ପାଖକୁ ଫୋନ୍‌ ଓ ମେସେଜ୍‌ କରାଯାଉଥିବା ସୂଚନା ମିଳିଛି। ତେବେ ଏଥିମଧ୍ୟରେ ପ୍ରମୁଖ ପଦବି ସଭାପତି ଓ ସମ୍ପାଦକ ପାଇଁ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଡା ମଧ୍ୟ ଉପସ୍ଥାପନ କରିଲେଣି। ସଭାପତି ପାଇଁ ପ୍ରଦୀପ ଚୌହାନ୍‌ ଓ ପଙ୍କଜ ଲୋଚନ ମହାନ୍ତି ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସମ୍ପାଦକ ପାଇଁ ନବର˚ଜନ ପଟ୍ଟନାୟକ ଓ ସ˚ଜୟ ବେହେରା ଲଢ଼େଇ କରିବେ।

ସଭାପତି ପ୍ରାର୍ଥୀ

ପ୍ରଦୀପ ଚୌହାନ
କଟକ ସହରରେ ବିଦ୍ୟାଳୟସ୍ତରରେ କ୍ରିକେଟ୍‌କୁ ପ୍ରୋତ୍ସାହନ କରିବାରେ ପ୍ରଦୀପ ବେଶ୍‌ ପରିଚିତ। ଦୀର୍ଘ ୩୫ ବର୍ଷ ଧରି ସେ କ୍ରିକେଟ୍‌ର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମାଗଣାରେ ଛୋଟ ପିଲାମାନଙ୍କୁ କ୍ରିକେଟ୍‌ ପ୍ରଶିକ୍ଷଣ ଦିଆଯିବା ସହିତ ଗରିବ ପିଲାମାନଙ୍କୁ ଖେଳ ଉପକରଣ ଯୋଗାଇ ଦେବା ଭଳି ମହତ୍‌ କାର୍ଯ୍ୟ କରିଆସୁଛନ୍ତି। ବୋସ୍‌ କଲେଜ ପଡ଼ିଆରେ ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ଗଠନ କରିଥିବା ବେଳେ ଏଠାରୁ ପାଖାପାଖି ୨୦୦ ଖେଳାଳି ରାଜ୍ୟ ଓ ଜାତୀୟସ୍ତରରେ ଖେଳିସାରିଲେଣି। ସେମାନଙ୍କ ମଧ୍ୟରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପବନ ଅଗ୍ରଵାଲ, କୁଳମଣି ପରିଡ଼ା, ନିର˚ଜନ ବେହେରା, ମନୋଜ ଭଟ୍ଟ, ସୁଖବିନ୍ଦର ସି˚ହ, ବିଶ୍ବଜିତ ମହାନ୍ତି, ବିପିନ ସି˚ହ, ରାଜେଶ ସି˚ହ, ସୁରେଶ କୁମାର, ସନ୍ତୋଷ ଜେନା, ଦେବଦତ୍ତ ଲେଙ୍କାଙ୍କ ଭଳି ନାମି ଖେଳାଳିମାନେ ଖେଳିସାରିଛନ୍ତି। ଏଥିସହିତ ପ୍ରତ୍ୟେକ ବର୍ଷ ପିଭିଆର‌୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ସହ ଫାଇନାଲ୍‌ରେ ଜଣେ ପୂର୍ବତନ ଆନ୍ତର୍ଜାତିକ ଖେଳାଳିଙ୍କୁ ଅତିଥି ଭାବେ ଆଣି କନିଷ୍ଠ ଖେଳାଳିମାନଙ୍କୁ ଉତ୍ସାହିତ କରାଇଆସୁଛନ୍ତି। କଟକରେ ପ୍ରଥମ ଥର ପାଇଁ ତାଙ୍କ କ୍ଲବ୍‌ରେ ଅଭ୍ୟାସ କରିବା ପାଇଁ ଟର୍ଫ ଵିକେଟ୍‌ ସହ ବୋଲି˚ ମେସିନ୍‌ ବ୍ୟବହାର ହୋଇଥିଲା। ସେହିପରି ଏଠାରୁ ପ୍ରତିଭାବାନ୍‌ ଖେଳାଳିମାନଙ୍କୁ ଏମ୍‌ଆର‌୍‌ଏଫ୍‌ ଏକାଡେମି ସହ ଅନ୍ୟାନ୍ୟ ରାଜ୍ୟ ପ୍ରତିଯୋଗିତାକୁ ପଠାଇ ସେ ଚର୍ଚ୍ଚିତ ହୋଇଥିଲେ। ଓସିଏରେ ସେ ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ପଦବି ଗ୍ରହଣ କରିଛନ୍ତି। ଏଥିସହିତ ସୁନୀଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିସିସିଆଇର ବୈଷୟିକ ସମିତିରେ ସେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ପଙ୍କଜ ଲୋଚନ ମହାନ୍ତି
କ୍ରୀଡ଼ା ଦୁନିଆକୁ ଆସିବା ପୂର୍ବରୁ ପଙ୍କଜ ଜଣେ ଶିଳ୍ପଦ୍ୟୋଗୀ ତଥା ବ୍ୟବସାୟୀ ଭାବେ ଜଣାଶୁଣା। ପ୍ରଥମେ ରାଜ୍ୟ ବେସ୍‌ବଲ୍‌ ସ˚ଘରେ ୨୦୧୧ରୁ ଉପସଭାପତି ଭାବେ କାର୍ଯ୍ୟ କରିବା ସହିତ ସର୍ବଭାରତୀୟ ମହାସ˚ଘରେ ୨ ଥର ଉପ ସଭାପତି, ଗୋଟିଏ ବର୍ଷ ଭାରପ୍ରାପ୍ତ ସଭାପତି ଏବ˚ ଏହାପରେ ସଭାପତି ଭାବେ ନିର୍ବାଚିତ ହେଲେ। ଏଥିସହିତ ଓଡ଼ିଶା ରୋଇ˚ ସ˚ଘରେ ମଧ୍ୟ ୩ ବର୍ଷ ପାଇଁ ଉପସଭାପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। କିନ୍ତୁ ଓସିଏ ନିର୍ବାଚନରେ ଅ˚ଶଗ୍ରହଣ କରିବା ପାଇଁ ତାଙ୍କୁ ୩ ବର୍ଷ ପରେ ମହାସ˚ଘରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏଥିସହିତ ଓଡ଼ିଶା ଅଲିମ୍ପିକ୍‌ ସ˚ଘରେ ତିନିବର୍ଷ ପାଇଁ ଉପସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ପଙ୍କଜ ସର୍ବଭାରତୀୟ ବେସ୍‌ବଲ୍‌ ମହାସ˚ଘର ସଭାପତି ଥିବା ସମୟରେ ଓଡ଼ିଶାରୁ ୪ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ତାଙ୍କ ସମୟରେ ଆଫ୍ରିକାର ବୋସଵାନାଠାରେ ଆୟୋଜିତ ବିଶ୍ବ ବେସବଲ୍‌ ସଫ୍ଟବଲ୍‌ ସମ୍ମିଳନୀରେ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ଏପରିକି ପଙ୍କଜଙ୍କ ପ୍ରୋତ୍ସାହନରେ ଭାରତୀୟ ଦଳ ହଂକଂ, ଦକ୍ଷିଣ ଆଫ୍ରିକା, ତାଇଵାନ, ପାକିସ୍ତାନ, ଶ୍ରୀଲଙ୍କା ପ୍ରମୁଖ ଦେଶଗୁଡ଼ିକରେ ହୋଇଥିବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇପାରିଥିଲା। ବର୍ତ୍ତମାନ ଗୁରୁ ଗଙ୍ଗାଧର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଏବ˚ ରଘୁନାଥ ପାଣିଗ୍ରାହୀ ଓ ସ˚ଯୁକ୍ତା ପାଣିଗ୍ରାହୀ ଫାଉଣ୍ଡେସନ୍‌ର ଉପାଧ୍ୟକ୍ଷ ଭାବେ ସେ କାର୍ଯ୍ୟରତ।

ସମ୍ପାଦକ ପ୍ରାର୍ଥୀ

ନବ ର˚ଜନ ପଟ୍ଟନାୟକ
ଭୁବନେଶ୍ବର ଦୌଡ଼କୁଦ ସ˚ଘର ପୂର୍ବତନ ଯୁଗ୍ମ ସମ୍ପାଦକ ଆରମ୍ଭରୁ ଜଣେ ଫୁଟ୍‌ବଲ୍‌ ଖେଳାଳି ଥିଲେ। ପିଲାଦିନୁ ଫୁଟ୍‌ବଲ୍‌ରେ ରୁଚି ରଖୁଥିବା ନବ, ଉତ୍କଳ ବିଶ୍ବବିଦ୍ୟାଳୟ ଫୁଟ୍‌ବଲ୍‌ ଦଳର ଅଧିନାୟକ ଭାବେ ଖେଳିଛନ୍ତି। ଏହାବ୍ୟତୀତ ସନସାଇନ୍‌, ୱେଷ୍ଟର୍ଣ୍ଣ ମହାବୀର କ୍ଲବ୍‌ ପକ୍ଷରୁ ମଧ୍ୟ ଖେଳିଛନ୍ତି। ତେବେ ଗତ ୩୦ ବର୍ଷ ଧରି ସେ ଓସିଏ ସହିତ ଜଡ଼ିତ ହେବା ସହ କ୍ରିକେଟ୍‌ର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି। ଓସିଏର ଉପସଭପତି ଭାବେ ମଧ୍ୟ ୪ ବର୍ଷ ଦାୟିତ୍ବ ଗ୍ରହଣ କରିବା ସହ ଅନେକ ଥର ଭାରତୀୟ କ୍ରିକେଟ୍‌ ଦଳର ଲୋକାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି। ଆନ୍ତର୍ଜାତିକ ଖେଳାଳି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, କପିଲ ଦେବ, ଅନୀଲ କୁମ୍ବଲେ, ସୌରଭ ଗାଙ୍ଗୁଲି, ଏମ୍‌ଏସ୍‌ ଧୋନି, ବିରାଟ କୋହଲି, ଯୁବରାଜ ସି˚ହ, ହରଭଜନ ସି˚ହଙ୍କ ସହିତ ବ୍ୟକ୍ତିଗତ ସ˚ପର୍କ ରଖିବା ଓ ସେମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଚର୍ଚ୍ଚିତ ହୋଇଛନ୍ତି। ୧୯୯୬ରେ ପାକିସ୍ତାନରେ ହୋଇଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଓସିଏ ପକ୍ଷରୁ ଭାରତକୁ ପ୍ରତିନିଧିତ୍ବ କରିଥିଲେ। କ୍ରିକେଟ୍‌ ବ୍ୟତୀତ ତିନୋଟି ବିଦ୍ୟାଳୟ ପରିଚାଳନା କରୁଥିବା ବେଳେ ମଦର ପବ୍ଲିକ୍‌ ସ୍କୁଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ରହିଛନ୍ତି।

ସ˚ଜୟ ବେହେରା
ରାଜ୍ୟ ଫୁଟ୍‌ବଲ୍ ସ˚ଘ (ଫାଓ) ର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବିଶିଷ୍ଟ କ୍ରୀଡ଼ା ସ˚ଗଠକ ଆଶୀର୍ବାଦ ବେହେରାଙ୍କ ସାନପୁଅ ସ˚ଜୟ ବେହେରା କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ରାଜନୀତିରେ ସକ୍ରିୟ ଥିଲେ। ୧୯୯୬-୯୭ ମସିହା ବେଳକୁ ଛାତ୍ର କ˚ଗ୍ରେସର ସଭାପତି ଓ ଏହାପରେ ଯୁବ କ˚ଗ୍ରେସର ସଭାପତି ଭାବେ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ୨୦୧୦ରେ ନବଗଠିତ ଫାଓର ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ହେଲେ ଓସିଏ ନିର୍ବାଚନ ପାଇଁ ମାସେ ତଳୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାଛଡ଼ା ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟ ଓ ମହିଳା ସମିତିର ଉପାଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାରେ ୨ ଥର ଫେଡେରେସନ୍‌ କପ୍‌, ୨ ଥର ସନ୍ତୋଷ ଟ୍ରଫି, ଏକାଧିକ ବୟସ ବର୍ଗର ଜାତୀୟ ପ୍ରତିଯୋଗିତା ଆୟୋଜନ ହୋଇଛି। ଏଥିସହିତ ସେ ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍‌ର ଫୁଟ୍‌ବଲ୍‌ ସମ୍ପାଦକ ସହ କ୍ରିକେଟ୍‌କୁ ମଧ୍ୟ ବୁଝାବୁଝି କରିଆସୁଛନ୍ତି।

ସମ୍ବନ୍ଧିତ ଖବର