ଓସିଏ ନିର୍ବାଚନ: ପୁରୀରେ ଆଶୀର୍ବାଦ ଗୋଷ୍ଠୀଙ୍କ ବୈଠକ

ସାଧା ଫର୍ମରେ ନିଆଗଲା ଭୋଟରଙ୍କ ଦସ୍ତଖତ

କଟକ: ଓସିଏ ନିର୍ବାଚନ ପାଇଁ ମଙ୍ଗଳବାର ଆଶୀର୍ବାଦ ବେହେରାଙ୍କ ନେତୃତ୍ବାଧୀନ ଗୋଷ୍ଠୀ ପୁରୀର ଏକ ତାରକା ହୋଟେଲ୍‌ରେ ଏକାଠି ହୋଇଛନ୍ତି। ସେଠାରେ ସଭାପତି ପ୍ରାର୍ଥୀ ଭାବେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ଭାବେ ସ˚ଜୟ ବେହେରାଙ୍କୁ ସମର୍ଥନ କରିବା ପାଇଁ ସଦସ୍ୟ ଭୋଟରମାନଙ୍କୁ ଅବଗତ କରାଯାଇଥିଲା। ତେବେ ଅନ୍ୟ ପଦବିଗୁଡିକ ପାଇଁ କାହାକୁ ଚୟନ କରାଯିବ ସେ ନିଷ୍ପତ୍ତି ଆଶୀର୍ବାଦ ନିଜେ ନିଷ୍ପତ୍ତି ନେବେ ବୋଲି ଆଲୋଚନା ହୋଇଛି। ଯେଉଁଥିପାଇଁ ଉପସ୍ଥିତ ସଦସ୍ୟ ଭୋଟରଙ୍କଠୁ ସାଧା ନାମାଙ୍କନ ପତ୍ର ଓ ସାଧା ପ୍ରତ୍ୟାହାର ପତ୍ର ଉଭୟରେ ସମସ୍ତଙ୍କ ଦସ୍ତଖତ କରାଇନିଆଯାଇଛି। ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କ ନାମ ପୂରଣ କରାଯାଇ ନାମାଙ୍କନ ଦାଖଲ ହେବ। କାଳେ ଆଶାୟୀଙ୍କ ସ˚ଖ୍ୟା ଅଧିକ ହୁଏ, ସେଥିପାଇଁ ପ୍ରତ୍ୟାହାର ପତ୍ର ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି। ତଥାପି ସଭାପତି ଓ ସମ୍ପାଦକ ପଦ ବ୍ୟତୀତ ଅନ୍ୟ ପଦବିଗୁଡିକ ବିଷୟରେ କୌଣସି ଘୋଷଣା କରାଯିବା ପରିବର୍ତ୍ତେ, ଉଚିତ୍‌ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ବୋଲି ଆଶୀର୍ବାଦ ଉକ୍ତ ବୈଠକରେ ସମସ୍ତଙ୍କୁ ସାନ୍ବନା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଦୀପ ଚୌହାନଙ୍କ ନେତୃତ୍ବାଧୀନ ଗୋଷ୍ଠୀ ବୁଧବାର କିମ୍ବା ଗୁରୁବାର ସେମାନଙ୍କ ସମର୍ଥକଙ୍କ ବୈଠକ ଡାକିପାରନ୍ତି। ହେଲେ ଏହି ବୈଠକରେ ତାଙ୍କର ଆଶାୟୀ ପ୍ରର୍ଥୀଙ୍କ ନାମ ଘୋଷଣା କରିବେ ନା ଆଶୀର୍ବାଦଙ୍କ ପରି ସେ ମଧ୍ୟ ଉକ୍ତ ନାମଗୁଡିକୁ ଗୁପ୍ତ ରଖିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାପି ଉଭୟ ଗୋଷ୍ଠୀ ନିର୍ବାଚନରେ ବିଜୟୀ ହେବା ପାଇଁ ଦାବି କରିଆସୁଛନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ଘନଘନ ବୈଠକ କରାଉଥିବାବେଳେ ନିୟମିତ ଭାବେ ଅଙ୍କକଷା ଚାଲିଛି।
ନିର୍ବାଚନ ଅଧିକାରୀଙ୍କ ଦ୍ବନ୍ଦାତ୍ମକ ସ୍ପଷ୍ଟୀକରଣ

ଓସିଏ ନିର୍ବାଚନରେ ନାମାଙ୍କନ ଦାଖଲ ପୂର୍ବରୁ ନିର୍ବାଚନ ଅଧିକାରୀ ଦେଇଥିବା ସ୍ପଷ୍ଟୀକରଣକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ସୋମବାର ବିସିସିଆଇ ପ୍ରଶାସନିକ ସମିତି ଅଯୋଗ୍ୟ ଭୋଟର ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ କରିଥିବାବେଳେ ମଙ୍ଗଳବାର ଓସିଏ ନିର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣରେ ତାହାର ବିପରୀତ ଅର୍ଥ ବାହାରୁଛି। ଓସିଏ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ଜଣେ ଅଯୋଗ୍ୟ ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେନି, କିନ୍ତୁ ଭୋଟ ଦେଇପାରିବେ। ସେହି ଅନୁସାରେ ଆଶୀର୍ବାଦ ବେହେରା ଭୋଟ ଦେବା ଅଧିକାର ପାଇଯିବେ। କିନ୍ତୁ ଅନ୍ୟଏକ ସ୍ପଷ୍ଟୀକରଣରେ ଯେଉଁ ପ୍ରାର୍ଥୀ ଦୁଇଥର ୪ବର୍ଷିଆ ଅବଧି ପୂରଣ କରିସାରିଥିବେ ତାଙ୍କୁ ବର୍ତ୍ତମାନଠୁ ୩ବର୍ଷିୟା କୁଲି˚ ଅବଧି ଶେଷ କରିବାକୁ ହେବ। ଏହାପରେ ଯାଇ ୧ବର୍ଷ ପାଇଁ ସେ ନିର୍ବାଚନରେ ଲଢି କୌଣସି ପଦବି ଗ୍ରହଣ କରିପାରିବେ। ଏହି ଅନୁସାରେ ପ୍ରଦୀପ ଚୌହାନଙ୍କ ପ୍ରାର୍ଥୀତ୍ବକୁ ନେଇ ଆଶଙ୍କା ଦେଖାଦେଉଛି। କିନ୍ତୁ ପୂର୍ବରୁ ଲୋଧା ସମିତି ରିପୋର୍ଟ ଅନୁଯାୟୀ, ଯେବେଠୁ କର୍ମକର୍ତ୍ତାଙ୍କ କାର୍ଯ୍ୟାକାଳ ଶେଷ ହୋଇଛି, ସେବେଠାରୁ କୁଲି˚ ଅବଧି ଗଣନା କରାଯିବ। ଏହାକୁ ଦେଖିଲେ ପ୍ରଦୀପ ଯୋଗ୍ୟ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଓସିଏ ନିର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ନିର୍ବାଚନ ପ୍ରକ୍ରିୟାରେ ଦ୍ବନ୍ଦ୍ବ ବଢାଇଦେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର