ଓସିଏ ନିର୍ବାଚନ ବିବାଦ: ମାମଲାର ରାୟ ଉପରେ ନିର୍ଭର କରିବ ଭବିଷ୍ୟତ

କୋରାପୁଟ ପ୍ରତିନିଧି ବଦଳିବେ, ଓସିଏ ଓ ବିସିସିଆଇକୁ ହାଇକୋର୍ଟଙ୍କ ନୋଟିସ୍

କଟକ: ଓସିଏ ନିର୍ବାଚନର ଭବିଷ୍ୟତ ହାଇକୋର୍ଟ‌େର ବିଚାରାଧୀନ ମାମଲାର ରାୟ ଉପରେ ନିର୍ଭର କରିବ। ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କୋରାପୁଟ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଓସିଏ, କୋରାପୁଟ ଜିଲ୍ଲା ଦୌଡକୁଦ ସଂଘ, ବିସିସିଆଇକୁ ନୋଟିସ୍ ଜାରି କରିବା ସହିତ ଉପରୋକ୍ତ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫଳରେ ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଥିବା ଓସିଏ କର୍ମକର୍ତ୍ତା ନିର୍ବାଚନ ଫଳାଫଳର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ। ଏଥିସହିତ କୋରାପୁଟ ଜିଲ୍ଲା ଦୌଡ଼କୁଦ ସଂଘର ପୂର୍ବତନ ଉପସଭାପତି ଜେ.ରାମଚନ୍ଦ୍ର ରାଓଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଖଣ୍ଡପୀଠ ଓସିଏ, କୋରାପୁଟ ଦୌଡକୁଦ ସଂଘ, ବିସିସିଆଇକୁ ନୋଟିସ୍ ଜାରି କରିଛନ୍ତି। ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ କୋରାପୁଟ ଦୌଡକୁଦ ସଂଘର ପ୍ରତିନିଧି ଭାବେ ଅନୁପ ପାତ୍ରଙ୍କ ନାଁ ସ୍ଥାନ ପାଇଥିବାବେଳେ ତାଙ୍କ ବଦଳରେ ନିୟମ ଅନୁସାରେ ଅନ୍ୟ କୌଣସି ଯୋଗ୍ୟ ପ୍ରତିନିଧିଙ୍କ ନାଁ ପଠାଇବାକୁ ଜିଲ୍ଲାପାଳଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଓସିଏ ନିର୍ବାଚନ ସଂପର୍କିତ ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ପୂଜା ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

କୋରାପୁଟ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଓସିଏ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ କୋରାପୁଟ ଜିଲ୍ଲା ଦୌଡକୁଦ ସଂଘର ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଥିଲା। ଓସିଏ ନିର୍ବାଚନରେ କୋରାପୁଟ କ୍ରିକେଟ ଆସୋସିଏସନକୁ ପ୍ରତିନିଧିତ୍ବ ପାଇଁ ସୁଯୋଗ ନ ଦେଇ ଦୌଡ଼କୁଦ ସଂଘକୁ ସ୍ବୀକୃତି ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ସଂଘ ପକ୍ଷରୁ ଆପତ୍ତି କରାଯାଇଥିଲା। କିନ୍ତୁ ଏହି ଆପତ୍ତିକୁ ଅଣଦେଖା କରାଯାଇଥିଲା। ଚୂଡାନ୍ତ ଭୋଟର ତାଲିକାରେ କୋରାପୁଟ ଦୌଡକୁଦ ସଂଘ ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଥିଲା। ୨୨ ବର୍ଷ ଧରି କୋରାପୁଟରେ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଆବେଦନକାରୀ ସଂଘକୁ ସ୍ବୀକୃତି ଦିଆ ନଯିବା ଓ ଓସିଏ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆ ନ ଯିବା ଲୋଧା କମିଟି ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଭୋଟର ତାଲିକାରେ କୋରାପୁଟ ଜିଲ୍ଲା ସଂପର୍କିତ ନାଁକୁ ରଦ୍ଦ କରାଯାଉ ଓ ଆବେଦନକାରୀ ସଂଘକୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ସେହିଭଳି ଜେ.ହେମଚନ୍ଦ୍ର ରାଓଙ୍କ ପକ୍ଷରୁ ଦାୟର ମାମଲାରେ ମଧ୍ୟ ସମାନ ଅଭିଯୋଗ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ,କୋରାପୁଟ ଜିଲ୍ଲା ଦୌଡ଼କୁଦ ସ˚ଘର କାର୍ଯ୍ୟାକାଳ ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରେ ଶେଷ ହୋଇଛି। ଏହାପରଠୁ ସ˚ଘର ସଭାପତି ତଥା ଜିଲ୍ଲାପାଳ ସାଧାରଣ ବୈଠକ ଡକାଇ ନାହାନ୍ତି। ଏପରିସ୍ଥଳେ ଓସିଏ ନିର୍ବାଚନ ପାଇଁ କୋରାପୁଟରୁ ଭୋଟରଙ୍କ ନାମ ପଠାଇବାକୁ ଓସିଏ ଚିଠି କରିଥିଲା। କିନ୍ତୁ ବିନା କୌଣସି ସାଧାରଣ ବୈଠକରେ ଏଠାରୁ ଅନୁପ ପାତ୍ରଙ୍କ ନାଁ ଓସିଏକୁ ଆସିଥିଲା। ତେଣୁ ଚୂଡ଼ାନ୍ତ ଭୋଟର ତାଲିକାକୁ ରଦ୍ଦ କରାଯାଉ ନଚେତ୍‌ କୋରାପୁଟ ଜିଲ୍ଲା ସଂକ୍ରାନ୍ତ ନାମକୁ ତାଲିକାରୁ ବାଦ୍‌ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର