ଆଜି ଓସିଏ ନିର୍ବାଚନ : ଦ୍ୱି-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ସ˚ଧ୍ୟାରେ ଫଳାଫଳ

କୋରାପୁଟରୁ ଅନୁପ ପାତ୍ରଙ୍କୁ ମତଦାନ ଅନୁମତି, ସମ୍ବିଧାନ ପଞ୍ଜୀକରଣ ବିବାଦ ଓସିଏକୁ ନୋଟିସ୍‌

କଟକ : ବହୁ ପ୍ରତୀକ୍ଷିତ ଓସିଏ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହେବ। ସକାଳ ସାଢେ ୯ଟାରୁ ଗେଟ୍‌ ଖୋଲାଯିବା ପରେ ଦିନ ସାଢେ ୧୧ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି ହେବା ପରେ ସ˚ଧୢା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ପ୍ରଥମ ଥର ପାଇଁ ଗୋଟିଏ ଲେଖାଏ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍‌ ସଦସ୍ୟ ପାଇଁ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ଅପ୍ରତିନ୍ଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇସାରିଛନ୍ତି। ଏବେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପାଇଁ ୧୦ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସଭାପତି ପାଇଁ ପ୍ରଦୀପ ଚୌହାନ ଓ ପଙ୍କଜ ଲୋଚନ ମହାନ୍ତି, ଉପ ସଭାପତି ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବର˚ଜନ ପଟ୍ଟନାୟକ ଓ ସ˚ଜୟ ବେହେରା, ଯୁଗ୍ମ ସମ୍ପାଦକ ପାଇଁ ସୁଜିତ କୁମାର ପ୍ରଧାନ ଓ ମେହେତାବ ଖାନ୍‌ ଏବଂ କୋଷାଧ୍ୟକ୍ଷ ପାଇଁ ଅନୀଲ କୁମାର ବିଶ୍ବାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ମୋଟ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଧାରଣ କରିବେ। ଭୋଟରଙ୍କ ମଧ୍ୟରୁ ଭୁବନେଶ୍ବରକୁ ମିଶାଇ ୩୧ ଜିଲ୍ଲା, ୨୦ କ୍ଲବ୍‌, ବୋସ୍‌କୁ ମିଶାଇ ୧୧ ବିଦ୍ୟାଳୟ, ୩ ମହାବିଦ୍ୟାଳୟ ପୂର୍ଣ୍ଣ ସଦସ୍ୟ ଭାବେ ଗୋଟିଏ ଲେଖାଏଁ ଭୋଟ ଦେଉଥିବା ବେଳେ ୫ ଅନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ, କିଟ୍‌, ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ପୂର୍ବତଟ ରେଳବାଇରୁ ଜଣେ ଲେଖାଏଁ ଭୋଟର ଏବ˚ ତିନି ଆନ୍ତର୍ଜାତିକ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସ˚ଜୟ ରାଉଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ।

ଭୋଟ ଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଓସିଏ କ୍ଲବ୍‌ ପଛପଟ ଗେଟ୍‌ ଦେଇ ଭୋଟରମାନେ ଭିତରକୁ ପ୍ରବେଶ କରିବେ। ପାଖରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଏଭଳି ନିୟମ କରାଯାଇଛି। ତେବେ କ୍ଲବ୍‌ର ବାହାର ଗେଟ୍‌ ପାଖରେ ଭୋଟରମାନଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ପାଇଁ ଧାର୍ଯ୍ୟ ପାସ୍‌ ଦିଆଯିବ। ପରେ ସମ୍ମିଳନୀ କକ୍ଷ ଗେଟ୍‌ ପାଖରେ ଦ୍ବିତୀୟ ଥର ଯାଞ୍ଚର ସମ୍ମୁଖୀନ ହେବେ। ସାଙ୍ଗରେ ଥିବା ମୋବାଇଲ୍‌, କ୍ୟାମେରା କିମ୍ବା କୌଣସି ବୈଦ୍ୟୁତିକ ସରଞ୍ଜାମ ନେବାକୁ ବାରଣ କରାଯାଇଛି। ଏଥି ସହିତ ଭୋଟଗ୍ରହଣ କେନ୍ଦ୍ର ପାଖରେ କୌଣସି ସ୍ଲୋଗାନ କିମ୍ବା ନାରାବାଜି କରିବାକୁ ମନା କରାଯାଇଛି। ସୁରକ୍ଷା ପାଇଁ ପୁଲିସ୍‌ ମୁତୟନ ରହିବେ। ପୂର୍ଣ୍ଣ ଭାବରେ ଯାଞ୍ଚ ହେବା ପରେ ପ୍ରାର୍ଥୀମାନେ ଭୋଟ ଦେବାକୁ ଯାଇପାରିବେ।

କୋରାପୁଟରୁ ଅନୁପ ପାତ୍ରଙ୍କୁ ମତଦାନ ଅନୁମତି

କଟକ : ଓସିଏ ନିର୍ବାଚନରେ ଭୋଟ ଦେବା ପାଇଁ ‌କୋରାପୁଟ ଜିଲ୍ଲା ଦୌଡ଼କୁଦ ସଂଘ ପ୍ରତିନିଧି ଭାବେ ଅନୁପ ପାତ୍ରଙ୍କୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଓସିଏ ନିର୍ବାଚନ ପୂର୍ବରୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ଅନୁପଙ୍କ ନାଁ ସ୍ଥାନ ପାଇଥିବା ବେଳେ ସେ ଭୋଟ ଦେଇ ପାରିବେ। ଅନ୍ୟପକ୍ଷରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଓସିଏ କର୍ମକର୍ତ୍ତା ନିର୍ବାଚନ ଫଳାଫଳର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସିଆର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନି‌େର୍ଦ୍ଦଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ ଓ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବିଧାନ ପଞ୍ଜୀକରଣ ବିବାଦ ଓସିଏକୁ ନୋଟିସ୍‌

କଟକ : ଓସିଏ ସମ୍ବିଧାନ ପଞ୍ଜୀକରଣକୁ ନେଇ ଦେଖାଦେଇଥିବା ବିବାଦ ନୂଆ ରୂପ ନେଇଛି। ସ˚ଶୋଧିତ ସମ୍ବିଧାନକୁ ନେଇ ବିବାଦ ଉପରେ ଶୁଣାଣି ବେଳେ ଓସିଏର କୌଣସି ପ୍ରତିନିଧି ଉପସ୍ଥିତ ନରହିଥିବାରୁ ଆଇଜିଆର‌୍‌ଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସୂଚନାଯୋଗ୍ୟ, ସ˚ଶୋଧିତ ସମ୍ବିଧାନ ପଞ୍ଜୀକରଣ ପାଇଁ ଆଇଜିଆର‌୍‌ଙ୍କ ପାଖରେ ଆବେଦନ କରାଯାଇଥିଲା। କିନ୍ତୁ ସଠିକ୍‌ ମାଧ୍ୟମ ଦେଇ ଏହା ଆସିନଥିବାରୁ ପଞ୍ଜୀକରଣ କରାଯିବା ଉପରେ ଆପତ୍ତି ଉଠାଯାଇଥିଲା। ଯେଉଁଥିପାଇଁ ଆଇଜିଆର‌୍‌ଙ୍କ ପକ୍ଷରୁ ଅଭିଯୋଗକାରୀ ଓ ଓସିଏ ପ୍ରତିନିଧିଙ୍କୁ ନିଜନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା। ଗତ ୨୪ ତାରିଖରେ ଉଭୟ ପକ୍ଷର ପ୍ରତିନିଧିଙ୍କୁ ଉପସ୍ଥିତ ରହି ପକ୍ଷ ରଖିବାକୁ କୁହାଯାଇଥିଲା। ଅଭିଯୋଗକାରୀଙ୍କ ପକ୍ଷରୁ ପ୍ରତିନିଧିମାନେ ଆସିଥିଲେ ବି ଓସିଏର କୌଣସି ପ୍ରତିନିଧିଙ୍କ ଦେଖାମିଳିନଥିଲା। ତେଣୁ ଓସିଏକୁ ଏଥିପାଇଁ ଆଇଜିଆର‌୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସମ୍ବନ୍ଧିତ ଖବର