ଓକାକ୍ ସିଇଓଙ୍କ ହ୍ୱାଟସ୍‌ଆପ୍‌ ହ୍ୟାକ୍‌

ବନ୍ଧୁ, ସମ୍ପର୍କୀୟଙ୍କଠାରୁ ଲୁଟିନେଲେ ୭ ଲକ୍ଷ
ନିଜ ଆଡ଼ୁ ତଦନ୍ତ ଆରମ୍ଭ କଲା ସାଇବର ଥାନା

ଭୁବନେଶ୍ୱର : ଯୁଆଡ଼େ ଆଖି ବୁଲାଇବ, ସିଆ‌ଡ଼େ ସାଇବର ଠକେଇ। ଅପାଠୁଆଙ୍କଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ; କେହି ବି ବାଦ୍ ପଡ଼ୁନାହାନ୍ତି। ଯେଉଁ ବିଭାଗ ସାଇବର୍‌ ଜ୍ଞାନ ବାଣ୍ଟିବା, ସାଇବର୍‌ ଅପରାଧ ରୋକିବା, ପରାମର୍ଶ ଦେବା ତଥା ସଚେତନତା ସୃଷ୍ଟି କରିବା କାମ କରୁଛି, ସେହି ବିଭାଗର ବରିଷ୍ଠ ଅଧିକାରୀ ସାଇବର ଅପରାଧର ଶିକାର ହେବା ଚିନ୍ତାଜନକ ହୋଇଛି। ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର୍‌(ଓକାକ୍) ସିଇଓ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କୁ ବି ଛାଡ଼ିଲେନି ସାଇବର ଠକ। ଶ୍ରୀ ପଟ୍ଟନାୟକଙ୍କ ହ୍ବାଟସଆପ୍ ହ୍ୟାକ୍ କରି ବନ୍ଧୁ, ସମ୍ପର୍କୀୟ, ଅଫିସ୍‌ କର୍ମଚାରୀଙ୍କୁ ହ୍ବାଟସଆପ୍‌ରେ ସହାୟତା କରିବା ପାଇଁ ମେସେଜ୍‌ ପଠାଇ ୭ ଲକ୍ଷ ଟଙ୍କା ଲୁଟି ନେଇଛି। ଏ ସମ୍ପର୍କରେ ଜାଣିବା ପରେ ଗତକାଲି ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରିଛି।

ଗୁରୁବର ଦିନ ସାଇବର ଥାନା ନିଜ ଆଡ଼ୁ ମାମଲାର ତଦନ୍ତଭାର ନେବା ସହ ଓକାକ୍ ଯାଇ ଛାନଭିନ୍ ଆରମ୍ଭ କରିଛି। କେମିତି ହ୍ବାଟସଆପ୍ ହ୍ୟାକ୍ ହେଲା, କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ତଦନ୍ତକାରୀ ଟିମ୍। ଡିଏସପି ଆର.ସି ଦୋରାଙ୍କ ନେତୃତ୍ବରେ ୪ଜଣିଆ ଏକ ଟିମ୍ ଘଟଣାର ଖୋଳତାଡ଼ ଜାରି ରଖିଛି।
ସାଇବର୍‌ ଥାନା ତଦନ୍ତ କରୁଥିବା ବେଳେ ଆଉ ଏକ ସାଇବର ଠକେଇ ଘଟଣା ପଦାକୁ ଆସିଛି। ଆଇଟି ବିଭାଗ ଉପସଚିବ ବିଚିତ୍ର ମିଶ୍ରଙ୍କ ମଧ୍ୟ ହ୍ବାଟସଆପ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଆଇଟି ବିଭାଗର ଅତିରିକ୍ତ ସଚିବ ଓ ଉପସଚିବ ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ, ଶ୍ରୀ ପଟ୍ଟନାୟକଙ୍କ ମୋବାଇଲକୁ ଗତ ମଙ୍ଗଳବାର ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ୩୦ ସେକେଣ୍ଡ ପର୍ଯ୍ୟନ୍ତ କିଛି କହି ନ ଥିଲା। ଏହାର ପରଦିନ ଅର୍ଥାତ୍ ବୁଧବାର ଅପରାହ୍‌ଣରେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ଫୋନ୍ କଲ୍ ଆସିଥିଲା। ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ବନ୍ଧୁଜଣଙ୍କ ପଚାରି ବୁଝିଥିଲେ। ହ୍ବାଟସଆପରେ ତାଙ୍କ ଆକାଉଣ୍ଟରୁ ମେସେଜ୍ ଆସିଥିଲା ବୋଲି ବନ୍ଧୁଜଣଙ୍କ ଶ୍ରୀ ପଟ୍ଟନାୟକଙ୍କୁ ଜଣାଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ସାଇବର ଠକ ତାଙ୍କ ହ୍ବାଟସଆପକୁ ହ୍ୟାକ୍ କରି ନେଇଛି। ସାଇବର ଠକ ହ୍ବାଟସଆପ୍ ହ୍ୟାକ୍ କରିବା ପରେ ତାଙ୍କର କଣ୍ଟାକ୍ଟ ତାଲିକାରେ ଥିବା ସମସ୍ତ ବନ୍ଧୁଙ୍କୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ଓ ଟଙ୍କା ପଠାଇବାକୁ ମେସେଜ୍ ପଠାଇଥିଲା। ଏଥିସହ ଏକ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲା। ଯେଉଁ ମେସେଜ୍ ଆସିଥିଲା, ତାହାର ଡିପି(ଡିସପ୍ଲେ ପିକଚର)ରେ ମଧ୍ୟ ଶ୍ରୀ ପଟ୍ଟନାୟକ ତାଙ୍କ ହ୍ବାଟସଆପରେ ରଖୁଥିବା ଡିପି ଆସିଥିଲା। ଏହାକୁ ସହଜରେ ବିଶ୍ବାସ କରି ଅଫିସ୍‌ର କେତେକ କର୍ମଚାରୀ ୫ଲକ୍ଷ ଟଙ୍କା ଓ ଆଉ ଜଣେ ବନ୍ଧୁ ୨ଲକ୍ଷ ଟଙ୍କା ତୁରନ୍ତ ଠକର ଆକାଉଣ୍ଟକୁ ପଠାଇଥିଲେ। ଆଉ କେହି ଟଙ୍କା ପଠାଇଛନ୍ତି କି ନାହିଁ ଏବେ ସୁଦ୍ଧା ଜଣାପଡ଼ି ନାହିଁ।

ହ୍ବାଟସଆପ୍ ନମ୍ବର ହ୍ୟାକ୍ ସଂକ୍ରାନ୍ତରେ ଜାଣିବା ପରେ ଶ୍ରୀ ପଟ୍ଟନାୟକ ଗତକାଲି ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରିଥିଲା। ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦକ୍ଷିଣ ଭାରତରୁ ଏକ ମୋବାଇଲ ସେବା ପ୍ରଦାନକାରୀ ନମ୍ବରରୁ ଏହି ମେସେଜ୍ ଆସିଛି। ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ତାହାକୁ ଅଚଳ କରିବା ପାଇଁ ଚିଠି ଲେଖାଯିବ। ଅନ୍ୟପକ୍ଷରେ ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, କୌଣସି ଫୋନ୍ କଲ୍ ଦ୍ବାରା ହ୍ବାଟସଆପ୍ ହ୍ୟାକ୍ ହୁଏ ନାହିଁ, ବରଂ କୌଣସି ଲିଙ୍କ୍ କ୍ଲିକ୍ କିମ୍ବା ଓଟିପି ସେୟାର କରିବା ଦ୍ବାରା ଏହା ହୋଇଥାଇପାରେ। ତଦନ୍ତ ପରେ ସବୁ ସ୍ପଷ୍ଟ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜଣେ ସିବିଆଇ ଡିଏସପିଙ୍କର ହ୍ବାଟସ୍‌ଆପ୍‌ ହ୍ୟାକ୍‌ ହୋଇଥିଲା।

ସମ୍ବନ୍ଧିତ ଖବର