ଦୋକାନ ନାଁରେ ଜବରଦଖଲ! ଫୁଟପାଥ୍‌ ବି ଦଖଲରେ, ଟ୍ରାଫିକ ସମସ୍ୟା ବଢୁଛି

ରାଉରକେଲା: ଇସ୍ପାତ ସହରରେ ଜବରଦଖଲର ପରମ୍ପରା ଢ଼େର୍‌ ପୁରୁଣା। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଜମି ହେଉ ଅବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆର୍‌ଡିଏ) ଜମି; ଅନୈତିକ କବ୍‌ଜା କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଦୋକାନୀମାନେ ଯେଭଳି ଭାବେ ଜବରଦଖଲ କରିବାରେ ଲାଗିଛନ୍ତି, ତାହା ନିଶ୍ଚିତଭାବରେ ଉଦ୍‌ବେଗଜନକ। ଦୋକାନିମାନଙ୍କୁ ବର୍ଗଫୁଟ୍‌ ଅନୁସାରେ ଦୋକାନ ଗୃହ ଆବଣ୍ଟିତ ହେଉଛି, କିନ୍ତୁ ସେମାନେ ଦୋକାନର ସମ୍ମୁଖ ଭାଗକୁ ଦଖଲ କରିବାରେ ବ୍ୟସ୍ତ ରହୁଛନ୍ତି।

ଇସ୍ପାତ ସହରରେ ଆର୍‌ଡିଏର ଏକାଧିକ ମାର୍କେଟ୍‌ କମ୍ପ୍ଲେକ୍ସ ରହିଛି। ଛେଣ୍ଡ୍‌, ବାସନ୍ତୀ କଲୋନି, ବିଏସ୍‌ଏନ୍‌ଏଲ ଛକ, ଉଦିତନଗର, ଡେଲିମାର୍କେଟ୍‌, ଏସ୍‌ଟିଆଇ ଛକ, ଆଇଟିଆଇ ଛକ, ନୂଆ ବସଷ୍ଟାଣ୍ଡ୍‌, ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ସମ୍ମୁଖ, ପାନପୋଷ ରୋଡ୍‌ ଆଦି ଏକାଧିକ ସ୍ଥାନରେ ମାର୍କେଟ୍‌ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯାଇଛି। ଏଠାରେ ଦୋକାନିମାନଙ୍କୁ ଦୋକାନ ଗୃହ ମଧ୍ୟ ଆବଣ୍ଟିତ ହୋଇଛି। ଆବଣ୍ଟନବେଳେ ସ୍ପଷ୍ଟ ନିୟମ ଥିଲା, ଦୋକାନି କେବଳ ଦୋକାନ ଗୃହରେ ହିଁ ସାମଗ୍ରୀ ରଖିବେ। କୌଣସି ପରିସ୍ଥିତିରେ ଦୋକାନ ବାହାରେ, ପାଦ ଚଳା ରାସ୍ତାରେ ସାମଗ୍ରୀ ରଖିପାରିବେନି। ତେବେ ଏହି ନିୟମ କେବେଠାରୁ ଚୂଳିକି ଗଲାଣି। କମ୍ପ୍ଲେକ୍ସର ସମ୍ମୁଖ ଭାଗକୁ ଦୋକାନ ଗୃହ ପାଇଥିବା ଦୋକାନୀ ମନଇଚ୍ଛା କବ୍‌ଜା କରିବାରେ ଲାଗିଛନ୍ତି।

ଉଦାହରଣ ସ୍ବରୂପ,-ଛେଣ୍ଡ୍‌ରେ ନିର୍ମାଣାଧୀନ ପ୍ଲାନେଟୋରିୟମ ସମ୍ମୁଖସ୍ଥ ଏଚ୍‌ଡି ମାର୍କେଟ୍‌। ଏହି ମାର୍କେଟ୍‌ କମ୍ପ୍ଲେକ୍ସ ପ୍ରାୟ ୧୫ ବର୍ଷ ପୂର୍ବେ ନିର୍ମାଣ କରାଯାଇ ଦୋକାନିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ତେବେ ମାର୍କେଟ୍‌ ଆରମ୍ଭ ହେବାର ହାତଗଣତି କିଛି ଦିନ ପରେ ଏଠାରେ ଜବରଦଖଲ ଆରମ୍ଭ ହୋଇଯାଇଛି। ପ୍ରାୟ ୪/୫ ଜଣ ଦୋକାନି ପାଦ ଚଳା ରାସ୍ତାକୁ କବ୍‌ଜା କରି ସାମଗ୍ରୀ ଗଚ୍ଛିତ ରଖିଛନ୍ତି। ସେହିଭଳି ଏକାଧିକ ମାର୍କେଟ୍‌ କମ୍ପ୍ଲେକ୍ସରେ ଜବରଦଖଲ ଏବେ ଶୀର୍ଷରେ ପହଞ୍ଚିଲାଣି। ଦୋକାନିମାନେ ବେଧଡ଼କ ପାଦଚଳା ରାସ୍ତା ଉପରେ ସାମଗ୍ରୀ ରଖୁଥିବାରୁ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସହ ଟ୍ରାଫିକ୍‌ ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି।

ବିଡ଼ମ୍ବନା ହେଲା, କ୍ରମବର୍ଦ୍ଧିଷ୍ଣୁ ଜବରଦଖଲ ବିଷୟରେ ଆର୍‌ଡିଏ କର୍ତ୍ତପକ୍ଷ ସବୁ ଜାଣି ଚୁପ୍‌ ବସିଛନ୍ତି। ଜବରଦଖଲ କରିବାକୁ କୁଆଡ଼େ ମୌଖିକ ଅନୁମତି ବି ଦେଉଥିବା ଅଭିଯୋଗ ହୁଏ। ଦୋକାନୀ କେବଳ ଜବରଦଖଲ କରୁନାହାନ୍ତି ବରଂ ନିୟମ ଉଲ୍ଲଂଘନ କରି ଦୋକାନ ଗୃହ ଉପରେ ବେନିୟମ ନିର୍ମାଣ କରୁଥିବାର ବି ନଜିର ରହିଛି। ଏସ୍‌ଟିଆଇ ତରଙ୍ଗିଣୀ ମାର୍କେଟ୍‌ରେ ଏଭଳି ଦୃଶ୍ୟ ପରିଲକ୍ଷିତ ହୁଏ। ଏଠାରେ ଏକ ଦୁଇ ମହଲା ବିଶିଷ୍ଟ କ୍ଲିନିକ୍‌ ରହିଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଦୁଇ ମହଲା ତିଆରି କରିବାକୁ ଆର୍‌ଡିଏ ଅନୁମତି ଦେଲା କେମିତି? ଯଦି କ୍ଲିନିକ୍‌ ତିଆରି କରିବାକୁ ଅନୁମତି ମିଳୁଛି; ତା’ହେଲେ ଔଷଧ ଦୋକାନୀ, ହୋ‌ଟେଲ ମାଲିକଙ୍କୁ ନାଲିଆଖି ଦେଖାଯିବାର କାରଣ କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି। ଆର୍‌ଡିଏ କର୍ତ୍ତୃପକ୍ଷଙ୍କ ଏଭଳି ଖୋଲାଖୋଲି କେବଳ ନିଷ୍ଠାପରଭାବେ ବ୍ୟବସାୟ କରୁଥିବା ଦୋକାନୀଙ୍କ ମହଲରେ ବିଭେଦ ସୃଷ୍ଟି କରୁନି, ବରଂ ପରୋକ୍ଷରେ ସେମାନଙ୍କର ବେପାର ବୃଦ୍ଧିରେ ବାଧକ ସାଜିଛି।

ସମ୍ବନ୍ଧିତ ଖବର