ଭୁବନେଶ୍ବର : ରାଜଧାନୀରେ ଶତାଧିକ କ୍ବାର୍ଟର ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ଜବରଦଖଲ ହୋଇଛି। ଏଗୁଡ଼ିକୁ ତୁରନ୍ତ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆରସି)। ଆସନ୍ତା ୮ ସପ୍ତାହ ଭିତରେ ଏ ସଂପର୍କିତ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି।
ରାଜଧାନୀରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ କବ୍ଜାରେ ୩୦୮ କ୍ବାର୍ଟର ରହିଥିବା ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମିଳିଥିଲା। ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏଥିରେ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି, ସେକ୍ସନ୍ ଅଫିସର, ପିଅନ, କ୍ଲର୍କ, ଡାଏରିଷ୍ଟ, ଶିକ୍ଷକ, ସିନିୟର ଟାଇପିଷ୍ଟ, ଡେସ୍କ ଅଫିସର, ଇଲେକ୍ଟ୍ରିସିଆନ, ଡ୍ରାଇଭର, କନେଷ୍ଟବଳ ଓ ଅନ୍ୟମାନେ ଅବସର ଗ୍ରହଣ କରିବା ପରେ ମଧ୍ୟ ସରକାରୀ କ୍ବାର୍ଟର ଛାଡ଼ି ନ ଥିବା ପ୍ରକାଶ ପାଇଥିଲା। ଏ ବାବଦରେ କୋଟି କୋଟି ଟଙ୍କା ପଡ଼ି ରହିଥିବା ଜଣାପଡ଼ିଥିଲା। ପରେ ଏହି ଘଟଣାରେ ମାନବାଧିକାର କର୍ମୀ ଅଖଣ୍ଡ ଏନ୍ଏଚ୍ଆରସିରେ ଏକ ପିଟିସନ୍ ଦାଖଲ କରିଥିଲେ।