ସରକାରୀ ଜମି ଦଖଲରେ ସରକାରୀ ସଂସ୍ଥା: ମାଡ଼ି ବସିଛନ୍ତି ୨୯୨ ଏକର, ଜମି ନେଇଯାଇଛନ୍ତି, କାମରେ ଲଗାଉନାହାନ୍ତି

ଅର୍ଥ ବିଭାଗର ତନାଘନା, ‌ଫେରାଇବାକୁ ନିର୍ଦେଶ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠରେ ବିଭିନ୍ନ ବ୍ୟକ୍ତି ବିେଶଷ ଓ ଘରୋଇ ସଂସ୍ଥା ସରକାରୀ ଜମି ମାଡ଼ି ବସିଥିବାର ଅନେକ ନଜିର ରହିଛି। ହେଲେ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥା ଏକର ଏକର ଜମିକୁ ନିଜ ଦଖଲରେ ରଖିଥିବା ଘଟଣା ଅଡୁଆ ଶୁଭୁଥିଲେ ବି ସତ। ଏହି ପ୍ରସଙ୍ଗଟି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲାଣି। ନିକଟରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କାଳୁରାମ ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାପିଟାଲ ରିଜିଅନ୍ ପ୍ଲାନିଂ ଏବଂ ଜମି ବ୍ୟବହାର କମିଟି ବୈଠକରୁ ଏଭଳି ବହୁ ରୋଚକ ତଥ୍ୟ ପଦାକୁ ଆସିଛି। ମିଳିଥିବା ଖବର ଅନୁସାରେ, ପାଖାପାଖି ୨୫୫ ଏକର ଜମି ବିଭିନ୍ନ ସମୟରେ େନଇଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଇଡ୍‌କୋ, ବିଡିଏ, ହାଉସିଂବୋର୍ଡ। ନୂଆ ପ୍ରକଳ୍ପ କରିବା ଉଦ୍ଦେଶ୍ୟରେ ଏହି ଜମି େଖାର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ପ୍ରଶାସନ ବିଭାଗ ଏକଦା ପ୍ରଦାନ କରିଥିଲେ। ହେଲେ ଯେଉଁ ପ୍ରକଳ୍ପର ସ୍ବପ୍ନ ଦେଖାଇ ଏହି ସଂସ୍ଥାମାନେ ଜମି େନଇଥିଲେ, ତାହା ଏଯାଏ ପୂରଣ ହୋଇପାରିଲା ନାହିଁ। ଏହି ତିନିଟି ସଂସ୍ଥାକୁ ଅର୍ଥ ବିଭାଗ ତାଗିଦ୍‌ କରିଛି, ଯଦି ନେଇଥିବା ଜମିରେ ଏହି ସଂସ୍ଥାମାନେ କିଛି ନ କରନ୍ତି, ତେବେ ଏ ସମସ୍ତ ଜମି ଫେରାଇ ଅଣାଯିବ।

ରାଜ୍ୟ ସରକାରଙ୍କ ଭଳି କେନ୍ଦ୍ର ସରକାରଙ୍କ ତିନିଟି ସଂସ୍ଥା ୧୨୦ ଇନଫାଣ୍ଟ୍ରି ବାଟାଲିଅନ୍‌, ସୈନିକ ସ୍କୁଲ, ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ସଂସ୍ଥାଙ୍କୁ ଯେତିକି ଜମି ଆବଣ୍ଟନ ହୋଇଥିଲା ସେମାନେ ତା’ଠାରୁ ଅଧିକ ଜମି ମାଡ଼ି ବସିଛନ୍ତି। ପାଖାପାଖି ୩୭ଏକର ଜମି ଜବରଦଖଲରେ ରହିଛି। ଉଭୟ ରାଜ୍ୟ ଓ େକନ୍ଦ୍ର ସରକାରଙ୍କ ଏହି ୬ଟି ସଂସ୍ଥା ହାତରେ େକାଟି େକାଟି ଟଙ୍କା ମୂଲ୍ୟର ପାଖାପାଖି ୨୯୨ ଏକର ଜମିକୁ କିଭଳି ମୁକୁଳାଇ ଅଣାଯିବ, ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗୋଠପାଟଣା ମୌଜାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୯.୦୩.୨୦୧୬ରେ ଇଡ୍‌କୋ ୭୯.୩୯୪ ଏକର ଜମି ପାଇଥିଲା। ଏଠାରେ ବିଭିନ୍ନ ଅନୁଷ୍ଠାନ ଯଥା ଆଇଟି ସମ୍ପର୍କିତ ପ୍ରତିଷ୍ଠାନ କରାଯିବ େବାଲି ଦର୍ଶାଇ କର୍ତୃପକ୍ଷ ଏହି ଜମି ହାତେଇଥିଲେ। ଆଜି ପର୍ଯ୍ୟନ୍ତ ଏଠାରେ ଗୋଟିଏ ବି ଆଇଟି ଶିଳ୍ପ ପ୍ରତିଷ୍ଠା ହେଲାନି। ସେହିଭଳି ସହରାଞ୍ଚଳ ଲୋକଙ୍କୁ ଶସ୍ତାରେ ଘର ‌େଯାଗାଇବା ପାଇଁ ବିଡିଏ ରାଜସ୍ବ ବିଭାଗ ଠାରୁ ୦୭.୧୦.୧୩ରେ ୯୬.୨୪୫ଏକର ଜମି ନେଇଥିଲା। ଇତିମଧ୍ୟରେ ୬ବର୍ଷ ବିତିଗଲାଣି। କର୍ତୃପକ୍ଷ କିଛି ନିଷ୍ପତ୍ତି ନେଇପାରିଲେନି। ଇଡ୍‌କୋ ନେଇଥିବା (୭୯.୩୯୪ ଏକର) ଜମିକୁ ଲାଗି ମଳିପଡ଼ା ମୌଜାରେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡକୁ ଗୃହ ପ୍ରକଳ୍ପ ପାଇଁ ୪୦ଏକର ଜମି ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ଏଠାରେ ଇଟା ଖଣ୍ଡେ ପକାଇ ନାହାନ୍ତି କର୍ତୃପକ୍ଷ। ସାମ୍‌ପୁର ମୌଜାରେ ଥିବା ୮୦ଏକର ସରକାରୀ ଜମିରୁ ୪୦ଏକର ଜମିରେ ବିଡିଏ ପିପିପି ମୋଡରେ ଆର୍ଥିକ ଦୁର୍ବଳ ବର୍ଗ ଓ ନିମ୍ନ ଆୟକର ବର୍ଗଙ୍କ ପାଇଁ ଘର କରିବାକୁ ଜମି ନେଇଥିଲା। ଏ େକ୍ଷତ୍ରରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଓଲଟା ଏବେ ବାକି ୪୦ଏକର ଜମିକୁ ଭବିଷ୍ୟତର ପ୍ରକଳ୍ପ ପାଇଁ ସେମାନେ ମାଗିଲାଣି।

ଏବେ ଜମି ଫେରାଇବାକୁ କୁହାଯିବାରୁ ବିଡିଏ ନୂଆ ଚାଲ୍ ଚଳାଇଲାଣି। କର୍ତୃପକ୍ଷ କହିଲେଣି, ଏଠାରେ ସାଉଥ୍ ସିଟି କରାଯିବ। ଆଉ ପାଦେ ଆଗକୁ ଯାଇ ବିଡିଏ ବାବୁମାନେ ରାଜ୍ୟ ସରକାରଙ୍କୁ ୨୭୩.୫୦୫ଏକର ଜମି ମାଗିଛନ୍ତି। ବିଡିଏ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଉଛି, େଗାଠପାଟଣାରେ ବିଡିଏ ଗୃହ ପ୍ରକଳ୍ପ ପାଇଁ ଯେଉଁ ୯୬.୨୪୫ଏକର ଜମି ନେଇଛି ତାହାକୁ ସାଉଥ୍ ସିଟି ଯୋଜନା ପାଇଁ ଦିଆଯାଉ, ସାମ୍‌ପୁରରେ ବିଡିଏ ଗୃହ ପ୍ରକଳ୍ପ ପାଇଁ ପାଇଥିବା ୪୦ଏକର ଏବଂ ଖାଲି ପଡ଼ିଥିବା ଆଉ ୪୦ଏକର ଜମି ବି। ଏହାବ୍ୟତୀତ ଦାସପୁରରେ ଥିବା ୧୩୭.୨୬୦ଏକର ଜମିକୁ ବି ସାଉଥ୍ ସିଟି ଯୋଜନା ପାଇଁ ଦେବାକୁ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ବିଡିଏ ଯେଉଁ ଟିପି ସ୍କିମ୍‌ କରୁଛି ସେଥିରୁ ପ୍ରଥମ ୪ଟି ଟିପି ସ୍କିମ୍ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସରକାରୀ ଜମିକୁ ନେଇ ସାଉଥ୍‌ ସିଟି କରିବାକୁ ଯୋଜନା କରିଛି। ଏଠାରେ ସ୍ମାର୍ଟ ସିଟି ଭଳି ସବୁ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି କୁହାଯାଇଛି।

ଅପରପକ୍ଷେ ଖବର ମିଳିଛି ଯେ ପାୱାର ହାଉସ୍ ଛକ ନିକଟସ୍ଥ ୧୨୦ ଇନଫାଣ୍ଟ୍ରି ବାଟାଲିଅନ୍‌କୁ ରାଜ୍ୟ ସରକାର ଯେତିକି ଜମି ଦେଇଥିଲେ ତା’ଠାରୁ ସେମାନେ ଅଧିକ ୭ଏକର ଜମି ମାଡ଼ି ବସିଛନ୍ତି। ଏହି ଜମିକୁ ଫେରାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖିବାକୁ ନିଷ୍ପତ୍ତି ହୋଇଛି। କେଉଁଠି କେତେ ଅଧିକ ଜମି ମାଡ଼ି ବସିଛି ତା’ର ସବିଶେଷ ତଥ୍ୟ ଡିଜିପିଏସ୍‌ ସର୍ଭେ କରି ଦେବାକୁ ବିଡିଏକୁ କୁହାଯାଇଛି। ୧୨୦ ଇନଫାଣ୍ଟ୍ରି ବାଟାଲିଅନ୍ ଠାରୁ ଜମି ଫେରସ୍ତ ଆଣିଲେ ସେହି ଜମିରେ ପାୱାର ହାଉସ୍‌ ଛକରୁ ୟୁନିଟ-୮ ଡିଏଭି ସ୍କୁଲ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଏବଂ ଡ୍ରେନ୍ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସୈନିକ ସ୍କୁଲକୁ ଯେତିକି ଜମି ଆବଣ୍ଟନ ହୋଇଥିଲା ତା’ଠାରୁ ଅଧିକ ଜମି ସ୍କୁଲ ମାଡ଼ି ବସିଛି ବୋଲି ବିଡିଏ ରିପୋର୍ଟ ଦେଇଛି। ଏହାର ବି ଡିଜିପିଏସ୍‌ ସର୍ଭେ କରି ସବିଶେଷ ତଥ୍ୟ ଯୋଗାଡ଼ କରିବାକୁ କୁହାଯାଇଛି। ଏହି ଜମିକୁ ଫେରସ୍ତ ଆଣି ବିଡିଏକୁ ହସ୍ତାନ୍ତର କରାଯିବ। ସେଠାରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ବିଡିଏ ବ୍ୟବସ୍ଥା କରିବ। ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ସଂସ୍ଥା ବି ପ୍ରାୟ ୩୦ଏକର ଜମି ମାଡ଼ି ବସିଛି। ଏହି ଜମି ଫେରାଇବାକୁ ଆଇଏମ୍‌ଏମ୍‌ଟିକୁ ଦୁଇବର୍ଷ ତଳୁ କୁହାଯାଇଥିଲେ ହେଁ ଜମି ଫେରସ୍ତ ଆସୁନି। ତେଣୁ ସଂସ୍ଥାର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ତୁରନ୍ତ ଜମି ଫେରସ୍ତ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ଏବଂ ବିଡିଏକୁ କୁହାଯାଇଛି।

ସମ୍ବନ୍ଧିତ ଖବର