ଗ୍ରୀନ୍ ଜୋନ୍ ଗଞ୍ଜାମ ଜିଲ୍ଲାରେ କଟକଣା ଆଜିଠୁ କୋହଳ, ଦିନସାରା ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ

ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏଯାଏ ପଜିଟିଭ କେସ୍ ବାହାରି ନାହିଁ। ଜିଲ୍ଲା ପ୍ରଶାସନର ଆଶୁ ପଦକ୍ଷେପ ଯୋଗୁଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଫଳରେ ଆସନ୍ତାକାଲିଠୁ ଲକ୍‌ଡାଉନ୍‌ କଟକଣାକୁ କୋହଳ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ତଥାପି କିଛି କ୍ଷେତ୍ରରେ କଟକଣା ଜାରି ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି।

ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ସାରାଦିନ ଖୋଲାରହିବ। କିନ୍ତୁ ବ୍ୟବସାୟୀ ମାନେ ନିର୍ଦ୍ଧାରିତ ସ୍ଥାନରେ ହିଁ ବ୍ୟବସାୟ କରିବେ। ଚାଷକାର୍ଯ୍ୟକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ କରାଯାଇଥିବା ବିଭିନ୍ନ ଗ୍ୟାରେଜ୍, ସ୍ପେୟାର୍ ପାର୍ଟସ୍ ଦୋକାନ ଓ ଗାଡ଼ି ସୋରୁମ୍ ଖୋଲା ରହିବ। ଗାଁ ଗହଳିରୁ ଅବରୋଧ ହଟାଯିବା ସହ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ଖୋଲା ରହିବ। ବ୍ୟାଙ୍କ୍ ସେବା ଓ ମନରେଗା କାର୍ଯ୍ୟ ସ୍ବାଭାବିକ ଭାବେ ଚାଲୁ ରହିବ। ବିଡିଓ ମାନେ ମାସ୍କ କିଣି ମନରେଗା ଶ୍ରମିକଙ୍କୁ ଦେବେ। ଅଟୋ, ଟ୍ୟାକ୍ସି ଓ ଯାତ୍ରୀବାହୀ ବସ୍ ଚଳାଚଳ କରିବ ନାହିଁ। ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ କର୍ମଚାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ସଂପୃକ୍ତ କର୍ମଚାରୀ ମାନେ ମୁଖ୍ୟାଳୟ ଛାଡ଼ିବେ ନାହିଁ। ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ ଯାନରେ ଯାତାୟାତ କରିବେ। ସେହିପରି ବାଇକ୍‌ରେ ଜଣେ ମାତ୍ର ଯିବା କଟକଣା ବଳବତ୍ତର ରହିବ।

ବିନା କାରଣରେ ବାଇକ୍‌ରେ ବୁଲିଲେ ଜରିମାନା ଆଦାୟ ହେବ। ସରକାରୀ କାର୍ଯ୍ୟାଳୟରେ ଲିଫ୍ଟ୍ ବନ୍ଦ ରଖାଯାଇ କର୍ମଚାରୀମାନେ ସିଡ଼ିରେ ଯିବାଆସିବା କରିବେ। କିନ୍ତୁ ରେଲିଂ ଧରିବେନି। କୌଣସି ସରକାରୀ କର୍ମଚାରୀ ସର୍ବସାଧାରଣ ପରିବହନ ଯାନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଓ ମାଲ୍‌ବାହୀ ଯାନରେ ଲୋକମାନେ ଯାତାୟତ କରିପାରିବେ ନାହିଁ । ଚା, ପାନ, ଗୁଟଖା, ଗୁପ୍‌ଚୁପ୍ ଦୋକାନ ଓ ଜଳଖିଆ ଠେଲା ଦୋକାନ ଆଦି ବନ୍ଦ ରହିବ। ଅଫିସରେ କର୍ମଚାରୀ ମାନେ ପାନଗୁଟ୍‌ଖା ଖାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ହୋଟେଲ୍‌ରେ ଗ୍ରାହକ ବସି ଖାଇପାରିବେନି। କେବଳ ଖାଦ୍ୟ ସେଠାରୁ କିଣି ନେଇପାରିବେ। ଜାତୀୟ ରାଜପଥରେ ସୀମିତ ସଂଖ୍ୟକ ଢାବା ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇ ଖୋଲିବେ। କିନ୍ତୁ ସେଠାରେ ମଧ୍ୟ କେହି ବସି ଖାଇବେନି। କେବଳ ଖାଦ୍ୟ କିଣିବେ। ସପିଙ୍ଗ ମଲ୍, ଗହଣା ଦୋକାନ ଓ ସିନେମା ହଲ୍ ବନ୍ଦ ରହିବ। ସାପ୍ତାହିକ ହାଟ ସମେତ ସାମାଜିକ କାର୍ଯ୍ୟକ୍ରମ ମନ୍ଦିର, ମସ୍‌ଜିଦ୍ ଓ ଗୀର୍ଜା ଆଦିରେ ଜନସମାଗମ ବନ୍ଦ ରହିବ। ଶୁଦ୍ଧିକ୍ରିୟାରେ ୨୦ ଜଣ ଓ ବିବାହ କାର୍ଯ୍ୟକ୍ରମରେ ୧୦ଜଣ ହିଁ ଉପସ୍ଥିତ ରହିବେ। ଜିଲ୍ଲା ପ୍ରବେଶ ପଥରେ ଯାଞ୍ଚ ଜାରି ରହିବ। ଜିଲ୍ଲାକୁ ଶ୍ରମିକ ଆସିବା ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେବେ। ନଚେତ୍ ସେମାନେ କର୍ମସ୍ଥଳରେ ହିଁ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସାମାଜିକ ଦୂରତ୍ବ ରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ। ସମସ୍ତ ବ୍ୟବସାୟୀ ଦୋକାନରେ ପାଣି, ସାବୁନ୍ ଓ ସାନିଟାଇଜର୍ ରଖିବେ। ଦୋକାନରେ ମାସ୍କ୍ ମଧ୍ୟ ବିକ୍ରି ହେବ। ଛଅ ଫୁଟ ଲେଖାଏଁ ଦୂରତ୍ବରେ ଗ୍ରାହକ ରହିବା ପାଇଁ ସ୍ଥାନ ଚିହ୍ନଟ ହେବ। ମାସ୍କ ନଥିଲେ ଗ୍ରାହକଙ୍କୁ କୌଣସି ସାମଗ୍ରୀ ଦିଆଯିବା ନିୟମକୁ ବ୍ୟବସାୟୀ କଡ଼ାକଡ଼ି ଭାବେ ପାଳନ କରିବେ। ଭିଡ଼ ହେଲେ ଦୋକାନକୁ ସିଲ୍ କରାଯିବ। ଜିଲ୍ଲାର ସମସ୍ତ ଜନସାଧାରଣ ଶୃଙ୍ଖଳିତ ଭାବେ ନିୟମ ମାନିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ କୋହଳ ପାଇଁ ପଦକ୍ଷେପ ନିଆଯିବ। ବିଶୃଙ୍ଖଳା ଦେଖାଦେଲେ ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର