ସୁନ୍ଦରଗଡ଼: ‘ଜୀବନ ଦେବୁ ପଛେ କାରଖାନାକୁ ଜମି ଦେବୁ ନାହିଁ, ବେଆଇନ ଜମି ଅଧିଗ୍ରହଣ ବନ୍ଦ କର, ଜମି ଜଙ୍ଗଲ ଆମର ଦାବି, ଗ୍ରାମସଭାର ବିନା ସହମତିରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ଖାରଜ କର’, ଓସିଏଲର ଦୌରାତ୍ମ୍ୟକୁ ବରଦାସ୍ତ କରିବୁ ନାହିଁ, ଆମ ଜମିରେ ଆମେ ମାଲିକ’। ଏସବୁ ନାରା ମଧ୍ୟରେ ଓସିଏଲ ଲାଞ୍ଜିବେର୍ଣ୍ଣା ଖଣି ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣକୁ ବିରୋଧ କରି କେଶରାମାଲ, ଲହଣ୍ଡା ଓ କୁକୁଡ଼ା ପଞ୍ଚାୟତର ଏକ ପ୍ରତିନିଧି ଦଳ ପୃଥକ ପୃଥକ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେଶରାମାଲ, ଅଲଣ୍ଡା, କୁକୁଡ଼ା ଓ ଝଗରପୁର ପଞ୍ଚାୟତର ଗ୍ରାମସଭା ଜମି ଅଧିଗ୍ରହଣ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ସତ୍ତ୍ବେ ଜାଲ ସମ୍ମତିପତ୍ର ପ୍ରସ୍ତୁତ କରି ଓସିଏଲ ଜମି ଅଧିଗ୍ରହଣ ପାଇଁ ଆଗେଇ ଆସିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଲାଞ୍ଜିବେର୍ଣ୍ଣା ଖଣି ପାଇଁ ଗତ ୨୦୨୦ ଜାନୁଆରି ୨୬ରେ ଖଟଙ୍ଗ, କୁକୁଡ଼ା ପଞ୍ଚାୟତର କୁକୁଡ଼ା, ବିହାବନ୍ଧ, କେଶରାମାଲର ରାଏବେର୍ଣ୍ଣା ଓ କେଶରାମାଲ, ସମେତ ଅନ୍ୟ ପଞ୍ଚାନୟତଗୁଡ଼ିକରେ ଆହୁତ ଗ୍ରାମସଭା ଜମି ଅଧିଗ୍ରହଣ ପ୍ରସ୍ତାବକୁ ଖାରଜ କରି ଦେଇଥିଲା। କିନ୍ତୁ ଏହା ସତ୍ତ୍ବେ ଗତ ୨୧.୧୨.୨୦୨୧ ୪ଟି ଗ୍ରାମପଞ୍ଚାୟତ ଓ ୫ଟି ରାଜସ୍ବ ଗ୍ରାମ କୁକୁଡ଼ା, ଅଲଣ୍ଡା, କେଶରାମାଲ ଓ ରାଏବେର୍ଣ୍ଣା, ଝଗରପୁରକୁ ଜମି ଅଧିଗ୍ରହଣ ଆଇନ-୨୦୧୩ର ୧୧ (୧)ରେ ପ୍ରଶାସନ ଅଧିସୂଚନା କରିଛି। ୬୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଆପତ୍ତି, ଅଭିଯୋଗ କରିବାକୁ ଏଥିରେ ସୂଚୀତ କରାଯାଇଛି। କିନ୍ତୁ ପଞ୍ଚମ ଅନୁସୂଚୀ ଓ ଜମି ଅଧିଗ୍ରହଣ ଆଇନ ଅନୁସାରେ, ୧୧ (୧)ରେ ଅଧିସୂଚନା ଜାରି କରିବା ପୂର୍ବରୁ ଗ୍ରାମପଞ୍ଚାୟତ ଫର୍ମ ଏମ୍ରେ ସହମତି ବା ଏନଓସି ଆବଶ୍ୟକ। କିନ୍ତୁ ଏଠାରେ ପଞ୍ଚାୟତ ଫର୍ମ ଏମ୍ରେ ସମ୍ମତି ନିଆଯାଇ ନାହିଁ।
ଏହା ବ୍ୟତୀତ ଗ୍ରାମସଭା ମଧ୍ୟ ଏହି ପ୍ରସ୍ତାବକୁ ପୂର୍ଣ୍ଣମତେ ଖାରଜ କରି ଦେଇଛି। ସେହିପରି ବିନା ଜନଶୁଣାଣିରେ ଲୋକଙ୍କ ଜାଲ୍ ଦସ୍ତଖତରେ ସାମାଜିକ ପ୍ରଭାବ ଆକଳନ (ଏସଆଇଏ) ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସେମାନେ ଅଭିଯୋଗ କରି ତୁରନ୍ତ ଏହାକୁ ଖାରଜ କରିବାକୁ ଦାବି କରିଥିଲେ। ସରପଞ୍ଚମାନେ ଏହି ପ୍ରକାର ଜାଲିଆତି ସମ୍ପର୍କରେ ଜବାବ ମାଗିଛନ୍ତି। ସୂଚନାଯୋଗ୍ୟ ଏସିଏଏଲର ଚୂନପଥର ଖଣି ପାଇଁ କୁକୁଡ଼ା ପଞ୍ଚାୟତର କୁକୁଡ଼ା ମୌଜାରେ ପ୍ରଥମ ପର୍ଯ୍ୟାୟରେ ୨୭୩.୫୭ ଏକର, ଦ୍ବିତୀୟ ପର୍ଯ୍ୟାୟରେ ୧୬୨.୯୬ ଏକର ଓ ବିହାବନ୍ଧରେ ପ୍ରଥମ ପର୍ଯ୍ୟାୟରେ ୯.୨୨ ଏକର, ଦ୍ବିତୀୟ ପର୍ଯ୍ୟାୟରେ ୨୯.୭୯ ଏକର, ଅଲଣ୍ଡା ୧୬୪.୮୨ ଏକର, କେଶରାମାଲରେ ୨୯୩.୨୫ ଏକର, ରାଏବେର୍ଣ୍ଣା ମୌଜାରେ ୫୭.୮୦ ଏକର, ଝଗରପୁରରେ ୮.୪୮ ଏକର, ଖଟଙ୍ଗରେ ୨୭.୫୧ ଏକର ରୟତି ଜମି ସହ ନଦୀ ତଟ, ଗୋଚର, ଅନାବାଦି, ଦେବାସ୍ଥଳୀ, ମଶାଣି ପରି ୧୫୦ ଏକର ସରକାରୀ ଜମି ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରି ଏହି ଜାଲିସାଦି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୁକୁଡ଼ା ଓ ଲାଞ୍ଜିବେର୍ଣ୍ଣା ବିହାବନ୍ଧରେ ପ୍ରଥମ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ଦେବା ଯାଏ ପହଞ୍ଚିଛି ଓସିଏଲ। କିନ୍ତୁ ଲୋକେ କ୍ଷତିପୂରଣ ନେବାକୁ ଚାହୁ ନଥିବା ଓ ଏହାକୁ ବିରୋଧ କରୁଥିବା ଫୋରମ ଫର୍ ଗ୍ରାମସଭା କମିଟି ପ୍ରକାଶ କରିଛି। ପ୍ରତିନିଧି ଦଳରେ କମିଟିର ବିବଲ ଟପ୍ପୋ, ବିନୟ ଭୂଷଣ ବାର୍ଲା, ମେଜରେନ ଖାଖା, ଷ୍ଟିଫେନ ଲାକ୍ରା, ଦିନା କୁଜୁର, ରାକେଶ ଡୁଙ୍ଗଡୁଙ୍ଗ, ମିଖାଇଲ ଡୁଙ୍ଗଡୁଙ୍ଗ, ଲଳିତ ଲାକ୍ରା, ଲେବନିତା ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।