କୋଇଲା ମନ୍ତ୍ର‌ାଳୟର କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେଇଛି ଓସିପିଏଲ୍‌

ଭୁବନେଶ୍ବର: କୋଇଲା ମନ୍ତ୍ରାଳୟ ଡିପ୍ ସାଇଡ୍‌ ମନୋହରପୁର ବ୍ଲକ୍‌ ନେଇ ‌କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ମନୋହରପୁର ଖଣି ସହିତ କୋଇଲା ମନ୍ତ୍ରାଳୟର ପୂର୍ବ ନିର୍ଦେଶାନୁସାରେ ଏକୀକୃତ କରାଯାଇଛି। ଏହି ବାବଦରେ ଓସିପିଏଲ(ଓଡ଼ିଶା କୋଲ୍‌ ଏଣ୍ଡ ପାୱାର ଲିମିଟେଡ୍‌) ଏହାର ଉତ୍ତର କୋଇଲା ମନ୍ତ୍ରାଳୟକୁ ଦେଇ ସାରିଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଓସିପିଏଲକୁ ଆବଣ୍ଟିତ ମନୋହରପୁର କୋଇଲା ଖଣିରୁ କୋଇଲା ଉତ୍ତୋଳନ ୨୦୧୯-୨୦ରେ ନିର୍ଧାରିତ ସମୟ ସୀମା ମଧ୍ୟମରେ ଆରମ୍ଭ ହୋଇଛି। କୋଲ୍‌ ବ୍ଲକ୍ ଆଲଟମେଣ୍ଟ ଏଗ୍ରିମେଣ୍ଟ, ୨୦୧୫ ଓ ସମ୍ବଦ୍ଧିତ ଅନୁମୋଦିତ ମାଇନିଂ ପ୍ଲାନ(ଆରଇଭି-୨) ଅନୁଯାୟୀ ପ୍ରଥମ ବର୍ଷ‌ ପାଇଁ କୋଇଲା ଉତ୍ପାଦନ ୧ ମିଲିଅନ୍ ଟନ ଓ ଦ୍ବିତୀୟ ବର୍ଷ ପାଇଁ ୨ ମିଲିଅନ ଟନ୍ ନିର୍ଧାରିତ ହୋଇଥିଲା। ଓସିପିଏଲ ତା’ର ପ୍ରଥମ ବର୍ଷ ୨୦୧୯-୨୦ରେ ୧.୦୦୩ ମିଲିଅନ ଟନ ଓ ଦ୍ବିତୀୟ ବର୍ଷ ୨୦୨୦-୨୧ରେ ୨.୦୦୧ ମିଲିଅନ ଟନ୍ କୋଇଲା ଉତ୍ତୋଳନ କରି ଅନୁମୋଦିତ ଖଣି ପ୍ଲାନ୍‌ର ଅନୁପାଳନ କରାଯାଇଛି। ଓସିପିଏଲ ପାଇଥିବା ଦ୍ବିତୀୟ କୋଲ ବ୍ଲକ୍ ଯଥା ଡିପ-ସାଇଡ ମନୋହରପୁର ବ୍ଲକ୍ ସମ୍ବନ୍ଧରେ କୋଇଲା ମନ୍ତ୍ରାଳୟର ନିର୍ଦେଶାନୁସାରେ ମନୋହରପୁର ଓ ଡିପ ସାଇଡ ମନୋହରପୁର ବ୍ଲକ୍‌ର ଏକୀକୃତ ମାଇନିଂ ପ୍ଲାନ କୋଇଲା ମନ୍ତ୍ରାଳୟ ସେପ୍ଟେମ୍ବର ୨୦୧୯ରେ ତୃତୀୟ ପର୍ଯ୍ୟାୟରେ ଅନୁମୋଦିତ ହୋଇଥିଲା। ମନୋହରପୁର ଓ ଡିପ ସାଇଡ ମନୋହରପୁର ଏକୀକୃତ ମାଇନିଂ ପ୍ଲାନରେ ପ୍ରସ୍ତାବିତ ଜଙ୍ଗଲ ମନ୍ତ୍ରାଳୟର ବିଚାରାଧୀନ ରହିଛି। ଆନୁସଙ୍ଗିକ ଭାବେ ଦୁଇଟି ଯାକ ଅନୁମୋଦିତ ମାଇନିଂ ପ୍ଳାନ ଅନୁଯାୟୀ ଚତୁର୍ଥ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ତୋଳନ ୮ ମିଲିଅନ ଟନ୍ ଧାର୍ଯ୍ୟ କରାଯାଇଛି। ଓସିପିଏଲ ଚଳିତବର୍ଷ କୋଇଲା ମନ୍ତ୍ରାଳୟର ସନ୍ତୁଷ୍ଟତା ସହିତ ଏହାକୁ ପାଳନ କରିବାରେ ସକ୍ଷମ ହୋଇଛି। ଓପିସିଏଲ ଗତ ୨ବର୍ଷ ହେଲା ଆବଶ୍ୟକତାଠାରୁ ଅଧିକ କୋଇଲା ଉତ୍ପାଦନ କରୁଛି। ତେଣୁ କୌଣସି ପ୍ରକାରର ବିଫଳତାର ଆଶଙ୍କା ନାହିଁ।

ସମ୍ବନ୍ଧିତ ଖବର