ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷାଫଳ ପ୍ରକାଶ

୭୮୫ କୃତକାର୍ଯ୍ୟ; ସେପ୍ଟେମ୍ବର ୧୯ରୁ ପ୍ରମାଣପତ୍ର ଯାଞ୍ଚ, ସାକ୍ଷାତକାର ପରୀକ୍ଷା

କଟକ : ଦୀର୍ଘଦିନର ଅପେକ୍ଷା ପରେ ଶୁକ୍ରବାର ଦିନ ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍) -୨୦୨୦ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ପରୀକ୍ଷାଫଳ ସଂପର୍କରେ ୱେବସାଇଟ୍‌ ଜରିଆରେ ବିସ୍ତୃତ ସୂଚନା ଦିଆଯାଇଛି। ଲିଖିତ ପରୀକ୍ଷାରେ ମୋଟ ୭୮୫ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନେ ‌ସାକ୍ଷାତକାର ପରୀକ୍ଷା ଦେବାକୁ ମନୋନୀତ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୨୮୭ ଜଣ ମହିଳା ବର୍ଗର ଅଛନ୍ତି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା କଟକ ସ୍ଥିତି ଓଡ଼ିଶା ଲୋକସେବା ଆୟୋଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ୱେବସାଇଟ୍‌ରୁ ସେମାନଙ୍କ ଘୋଷଣାପତ୍ର ଫର୍ମାଟ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଓସିଏସ୍-୨୦୨୦ ରେ ୩୯୨ ଗ୍ରୁପ ଏ ଓ ବି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରୁ ୧୨୮ ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ‌ଓଏଏସ( ଓଡ଼ିଶା ପ୍ରଶାସନିକ ସେବ‌ା) ପାଇଁ ୧୩୭ଟି ପଦବି, ଓଏଫଏସ୍‌ ଗ୍ରୁପ ଏ ପାଇଁ ୧୦୪ଟି, ଓପିଏସ ପାଇଁ ୬ଟି ପଦବି ଥିବା ବେଳେ ଗ୍ରୁପ ବିର ଓସିଏସ ପାଇଁ ୮ଟି, ଗ୍ରୁପ୍ ବିର ଓଆରଏସ୍ ପାଇଁ ୭୪ଟି, ଗ୍ରୁପ୍ ବିର ଓଟି ଆଣ୍ଡ୍ ଏଏସ ପାଇଁ ୬୦ଟି ପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ୩୯୨ଟି ପଦବିରୁ ଅନୁସୂଚିତ ଜାତି ପାଇଁ ୬୩, ଜନଜାତି ପାଇଁ ୮୯ ଓ ଏସଇବିସି ପାଇଁ ୪୩ ପଦବି ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧିତ ଖବର