ଅକ୍ଟୋବର ୧୨ରେ ଛାତ୍ର ସଂସଦ ନିର୍ବାଚନ!

ଅକ୍ଟୋବର ପ୍ରଥମ ସପ୍ତାହରୁ କଲେଜସ୍ତରରେ ପ୍ରକ୍ରିୟା, ମନ୍ତ୍ରୀଙ୍କ ମୋହର ପରେ ଘୋଷଣା ହେବ ତାରିଖ

ଭୁବନେଶ୍ୱର: ଅକ୍ଟୋବର ୧୨ରେ ସାରା ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ବିଭାଗୀୟ ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମ୍ଭାବ୍ୟ ତାରିଖ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ। ମନ୍ତ୍ରୀଙ୍କ ମୋହର ପରେ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରତିଥର ପରି ଏଥର ମଧ୍ୟ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଅକ୍ଟୋବର ୧୪ରୁ ସମସ୍ତ ଡିଗ୍ରି କଲେଜ ଓ ୧୬ ତାରିଖଠାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଛୁଟି କରାଯିବ। ତେଣୁ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସରିବ। ୧୨ ତାରିଖରେ ନିର୍ବାଚନ ସରିବା ପରେ ୧୩ରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଦଶହରା ଛୁଟି ରହିଛି। ଅକ୍ଟୋବର ପ୍ରଥମ ସପ୍ତାହରୁ ନିର୍ବର୍ାଚନ ନେଇ ପ୍ରକ୍ରିୟା ଆରମ୍ଭ ହେବ। କଲେଜସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। କ୍ୟାମ୍ପସରେ ପ୍ରଚାର ପାଇଁ ଏଥର ପ୍ରାର୍ଥୀଙ୍କୁ କମ୍‌ ଦିନ ସମୟ ଦିଆଯିବ। ଅକ୍ଟୋବର ୧୧ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ପରଦିନ ଅର୍ଥାତ୍‌ ୧୨ ତାରିଖରେ ନିର୍ବାଚନ କରାଯିବ। ସେହିଦିନ ଭୋଟ ଗଣତି ହେବା ସହ ଅପରାହ୍‌୍‌ଣ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବ ବୋଲି ସ୍ଥିର ହୋଇଛି। ଯଦି ମନ୍ତ୍ରୀ ଚାହିଁବେ ତେବେ ତାରିଖରେ ପରିବର୍ତନ କରିପାରିବେ ବୋଲି ଅଧିକାରୀ ଜଣକ କହିଛନ୍ତି। ଯେଉଁ କ୍ୟାମ୍ପସରେ ଅଶାନ୍ତି ଲାଗିରହିବ ସେଠାକାର କର୍ତୃପକ୍ଷ ଚାହିଁଲେ ନିର୍ବାଚନ ବାତିଲ୍‌ କରିପାରିବେ। ଇଲେକ୍ସନ ବଦଳରେ ସିଲେକ୍ସନ ପ୍ରକ୍ରିୟା କରିବାକୁ କେତେକ କଲେଜ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। କଲେଜ କର୍ତୃପକ୍ଷ ଚାହିଁଲେ ସହମତି ଭିତ୍ତିରେ ଛାତ୍ର ପ୍ରତିନିଧି ବାଛିବେ। ଏଥର ମଧ୍ୟ ଯୁକ୍ତ୨ କଲେଜରେ ନିର୍ବାଚନ ହେବ ନାହିଁ। ଯେଉଁଠି ଉଭୟ ଯୁକ୍ତ୨ ଓ ଯୁକ୍ତ୩ କଲେଜ ଗୋଟିଏ କ୍ୟାମ୍ପସରେ ରହିଛି ସେଠାରେ ସୁରକ୍ଷା ବଢ଼ାଯିବ। ଯୁକ୍ତ୨ ପିଲାଙ୍କର ଯେପରି ପାଠପଢ଼ାରେ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର