ଭୁବନେଶ୍ୱରରେ ଲାଗୁ ହେବ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା, ଲାଗିଲା ସାଧାରଣ ପରିବହନ ଉପରେ କଟକଣା

ମାର୍ଚ୍ଚ ୨୨ରେ ଗାଡ଼ିର ଶେଷ ଅଙ୍କ ଯୁଗ୍ମ ନମ୍ବର ଥଲେ ରାଜଧାନୀରେ ଗଡ଼ିପାରିବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ରାଜ୍ୟ ସରକାର ଏ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଘର ବ୍ୟତୀତ ଅନ୍ୟ ସର୍ବସାଧାରଣସ୍ଥାନରେ ୭ଜଣ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଏକତ୍ରୀତ ହୋଇ ପାରିବେ ନାହିଁ। ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବସାଧାରଣ ପରିବହନ ଉପରେ ନିୟନ୍ତ୍ରଣ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୁପ  ରାଜରାସ୍ତାରୁ ଗାଡ଼ି ସଂଖ୍ୟା କମାଇବାକୁ ନୂଆ ତରିକା ଆପଣା ଯାଇଛି। ଦେଶର ରାଜଧାନୀ ଦିଲ୍ଲୀ ଭଳି ଭୁବନେଶ୍ବରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ ଗାଡ଼ି। ବସ୍, ଅଟୋ ରିକ୍ସା ଓ ଅନ୍ୟ ସାଧାରଣ ପରିବହନ ଯୋଗାଉଥିବା ଗାଡ଼ି ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡ଼ିବ। ତେବେ ଘରୋଇ ଗାଡ଼ିଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। କେବଳ ସେତିକି ନୁହେଁ, ହସ୍ପିଟାଲ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ମଧ୍ୟ ଏହି କଟକଣାରୁ ବାଦ ପଡ଼ିବ।

ଜନସମାଗମରୁ ମୁକ୍ତ ରହିବା ପାଇଁ ଶନିବାର ଠାରୁ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ଫଳରେ ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ। ସେହିପରି ବସ୍‌, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୦, ୨, ୪, ୬ ଓ ୮ ଥିଲେ, ସେହି ପ୍ରକାର ଗାଡ଼ିଗୁଡ଼ିକ ରବିବାର ଯାତାୟତ କରିପାରିବ।

ଯୁଗ୍ମ-ଅଯୁଗ୍ମ ନମ୍ବରଯୁକ୍ତ ଯାନବାହାନ ଚଳାଚଳ ନିୟମ ବ୍ୟକ୍ତିଗତ ଗାଡ଼ି ଉପରେ ଲାଗୁ ହେବ ନାହିଁ। ସେହିପରି ସରକାରୀ ଗାଡ଼ି ଅଥବା ଜରୁରୀକାଳୀନ ପରିସ୍ଥିତିରେ ଭଡାରେ ନିଆଯାଉଥିବା ଗାଡ଼ିକୁ କୌଣସି ଅସୁବିଧା ହେବ ନାହିଁ। ଘରୋଇ ହସ୍‌ପିଟାଲ ଦ୍ୱାରା ଡାକ୍ତର ଓ ହସ୍‌ପିଟାଲ କର୍ମଚାରୀଙ୍କୁ ନେବା-ଆଣିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର