ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବିଧାସଭା ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡ଼ିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରାର୍ଥିତ୍ବକୁ ନେଇ ଦଳୀୟ କର୍ମୀ ଖୋଲାଖୋଲି ବିରୋଧ କରିଛନ୍ତି। ମଙ୍ଗଳବାର ଦିନ ବିଜେପୁର ବ୍ଲକ ଅନ୍ତର୍ଗତ ବୁଢ଼ାପାଲି ଗ୍ରାମ ନିକଟରେ ଅନୁଷ୍ଠିତ ନିର୍ବାଚନମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରତି ସେଠାରେ ଉପସ୍ଥିତ ଥିବା କର୍ମୀ ତଥା ନେତା ନିଜର ବିରୋଧାଭାସ ପ୍ରକଟ କରିଥିଲେ। ସମାବେଶରେ ‘ରୀତା ହଟାଓ, ବିଜେପୁର ବଞ୍ଚାଓ’ ନାରା ଦେଇଥିଲେ। ଏହାସହିତ ବିଜେଡି ସୁପ୍ରିମୋଙ୍କୁ ଏହାର ପୁନଃବିଚାର କରିବା ପାଇଁ ଦାବି କରିଥିଲେ। ଏହି କର୍ମୀ ସମ୍ମିଳନୀରେ ଦେବାନନ୍ଦ ଗଡ଼ତିଆ, ବିଜେପୁର ସରପଞ୍ଚ ସଂଘ ସଭାପତି ସବିତା ସାହୁ, ଜୟକୃଷ୍ଣ ଦଣ୍ଡସେନା, କମଳାକାନ୍ତ ପ୍ରଧାନ, ଆଗଲପୁର ପ୍ୟାକ୍ସ ସଭାପତି ବୀରୋସନ ସାହୁ, ବରପାଲି ପ୍ୟାକ୍ସ ସଭାପତି ଗୁରୁ ମେହେରଙ୍କ ସମେତ ବିଜେପୁର ଓ ବରପାଲି ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର କର୍ମୀମାନେ ଯୋଗ ଦେଇଥିଲେ। ଏନେଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ପଚାରିବାରୁ ଦଳରେ ଯାହା ମନୋମାଳିନ୍ୟ ରହିଛି ତାହା ସମାଧାନ କରାଯିବ ବୋଲି କହିଛନ୍ତି।