ଆଜିଠାରୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ଦିନକୁ ୩ଲକ୍ଷ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ

ବ୍ଲକ୍‌/ଏନ୍‌ଏସିରେ ୫, ମ୍ୟୁନିସିପାଲଟିରେ ୧୦ ଓ ମହାନଗର ନିଗମରେ ୨୦ ଅଧିବେଶନ

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ ଆରମ୍ଭ ହେବ। ରାଜ୍ୟର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ ଟିକାକରଣ କରାଯିବ। ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ଆସନ୍ତାକାଲିଠାରୁ ଜିଲ୍ଲା‌ସ୍ତରରେ ଏଥିପାଇଁ ଆବଶ୍ୟକ ପ୍ଲାନିଂ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଏବେ ଦୈନିକ ଟିକାକରଣ ଦେଢ଼ ଲକ୍ଷଠାରୁ କମ୍ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲିଠାରୁ ୧୮-୪୪ବର୍ଗଙ୍କ ପାଇଁ ଟିକା ଯୋଗାଇ ଦିଆଯିବ। ଟିକା ନଷ୍ଟକୁ କମାଇବା ଓ ଯେତେ ଅଧିକ ସଂଖ୍ୟାରେ ଟିକାକରଣ କରାଯିବ, ସେହି ଅନୁଯାୟୀ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୧୮-୪୪ବର୍ଗର ୩.୦୯ କୋଟି ଲୋକ ଥିବା ବେଳେ ସେମାନଙ୍କ ପାଇଁ ୬.୧୮ କୋଟି ଡୋଜ୍‌ର ଟିକା ଆବଶ୍ୟକ। ଚଳିତବର୍ଷ ଜାନୁଆରି ୧୬ତାରିଖରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୬ଲକ୍ଷ ୭୭ହଜାର ୫୯୨ ଡୋଜ୍ ଟିକା ଦିଆସରିଛି। ତହିଁରୁ ୧୭.୯୭ଲକ୍ଷରୁ ଅଧିକ ଉଭୟ ଡୋଜ୍‌ର ଟିକା ନେଇସାରିଛନ୍ତି। ତେଣୁ ଟିକାକରଣ ସଂଖ୍ୟାକୁ ବଢ଼ାଇବାକୁ ହେଲେ ତୃଣମୂଳସ୍ତରରେ ଟିକାକରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜିଠାରୁ ପ୍ରତ୍ୟେକ ବ୍ଲକ୍‌ ଓ ଏନ୍‌ଏସିରେ ୫ଟି ଲେଖାଏଁ ଟିକାକରଣ ଅଧିବେଶନ ଆୟୋଜିତ କରିବା ଲାଗି କୁହାଯାଇଛି। ମ୍ୟୁନିସିପାଲଟିରେ ୧୦ ଓ ମହାନଗର ନିଗମରେ ଅତିକମ୍‌ରେ ୨୦ଟି ଅଧିବେଶନ ଆୟୋଜିତ ହେବ। ଆବଶ୍ୟକ ପଡ଼ିଲେ ଧାର୍ଯ୍ୟ ଅଧିବେଶନକୁ ମଧ୍ୟ ବଢ଼ାଯାଇପାରେ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଟିକାକୁ ୧୮-୪୪ବର୍ଗ ଓ ୪୫ବର୍ଷରୁ ଅଧିକ ଲୋକଙ୍କୁ ପ୍ରଦାନ କରିବା ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଉଭୟ ଅନଲାଇନ୍‌ ଓ ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ ଜରିଆରେ ଜଣେ ଟିକା ନେଇପାରିବେ। ଅପରପକ୍ଷରେ ଯେଉଁ ଲୋକମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ଅବଧି ହୋଇଗଲାଣି, ସେମାନଙ୍କୁ ଠିକ୍ ସମୟରେ ଟିକା ପ୍ରଦାନ କରିବା ଉପରେ ମଧ୍ୟ ନଜର ଦେବାକୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁସାରେ ଟିକାକରଣ କରାଯିବ। ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେଣୁ ଅଧିକ ସଂଖ୍ୟାରେ ଟିକାକରଣ ଅଧିବେଶନ ଆୟୋଜିତ ହେବ। ରାଜ୍ୟର ୨୨% ଲୋକଙ୍କୁ ଟିକା ଦିଆଯାଇଛି। ରାଜ୍ୟ‌ରେ ଏବେ ୧୦ଲକ୍ଷ ‘କୋଭିସିଲ୍‌ଡ’ ଓ ୪ ଲକ୍ଷ ‘କୋଭାକ୍ସିନ୍‌’ ଟିକା ମହଜୁଦ ରହିଛି। ଟିକାକରଣକୁ ଭୟ କରୁଥିବା ଲୋକମାନଙ୍କୁ ସଚେତନ କରାଯାଉଛି। ତେଣୁ ଆଗାମୀ ଦିନରେ ଟିକାକରଣ ବୃଦ୍ଧି ପାଇବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର