ଭୁବନେଶ୍ବର : ଅଭିନେତା ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସୁଛି। ଦୁଇଦିନ ତଳେ ହୃଦ୍‌ଘାତ ଯୋଗୁଁ ଭେଣ୍ଟିଲେଟର୍‌ରେ ଭର୍ତି ହୋଇଥିବା ବେଳେ ଗତକାଲି ଏ ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେଇଥିଲା। ଏହା ଶୁଣିବା ପରେ କେନ୍ଦ୍ରପଡ଼ାସ୍ଥିତ ତାଙ୍କ ଜନ୍ମିତ ଗ୍ରାମରେ ଇଷ୍ଟଦେବ ନାରାୟଣଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମବାସୀ ତାଙ୍କ ଶୁଭ ମନାସି ଇଷ୍ଟଦେବଙ୍କ ପାଖେ ଦୀପ ଜାଳିଥିଲେ। ବିଜୟଙ୍କ ଲକ୍ଷଲକ୍ଷ ପ୍ରଶଂସକ ବିଜୟଙ୍କ ପାଇଁ ପ୍ରଭୁଙ୍କ ନିକଟରେ ଗୁହାରି କରିଥିଲେ।

Advertisment

ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକଙ୍କ ସୂଚନା ମୁତାବକ, କିଛି ମାସ ତଳେ ହାର୍ଣ୍ଣିଆ ଅପରେସନ୍‌ ଅସଫଳ ହେବାରୁ ତାଙ୍କର ସ୍ବାସ୍ଥ୍ୟ ଭଲ ନଥିଲା। ୨ ଘଣ୍ଟା ଜାଗାରେ ଏହି ଅପରେସନ୍‌ ୧୭ ଘଣ୍ଟା ହୋଇଥିଲା। ଫଳରେ ସେ କିଛି ଦିନ ହେବ ମେଡିସିନ୍‌ ଚାଲୁ ରଖିଥିଲେ। ତେବେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କର ଆଲର୍ଜି ସମସ୍ୟା ଉପୁଜିଥିଲା। ଏହାପରେ ଚେକ୍‌-ଅପ୍‌ ପାଇଁ ସେ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ଡାକ୍ତରଖାନାରେ ଥାଇ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସୌଭାଗ୍ୟବଶତଃ ସେ ମେଡିକାଲ୍‌ରେ ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଭେଣ୍ଟିଲେଟରରେ ରଖାଯାଇଥିଲା। ବିଜୟଙ୍କ ଅବସ୍ଥା ଭଲ ନାହିଁ ବୋଲି ଡାକ୍ତର ପ୍ରଥମେ କହୁଥିଲେ। ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏଥିପାଇଁ ଲକ୍ଷଲକ୍ଷ ପ୍ରଶଂସକଙ୍କ ପ୍ରାର୍ଥନା ଓ ଭଲ ପାଇବାକୁ ମଧ୍ୟ ବିଜୟଙ୍କ ପତ୍ନୀ ଶ୍ରେୟ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆଜି ବିଜୟଙ୍କୁ କିଛି ତରଳ ଖାଦ୍ୟ ଦିଆଯାଇଥିଲା। ସେ ପତ୍ନୀ ତନ୍ଦ୍ରାଙ୍କୁ ନିଜ ନିକଟକୁ ଡକାଇ ପଠାଇଥିଲେ। ତନ୍ଦ୍ରା ମଧ୍ୟ ଅଳ୍ପ କିଛି କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ମାତ୍ର ଡାକ୍ତରଖାନାରୁ କେବେ ସୁସ୍ଥ ହୋଇ ଘରକୁ ଫେରିବେ, ସେ ସମ୍ପର୍କରେ କୌଣସି ନିର୍ଦିଷ୍ଟ ସୂଚନା ମିଳି ନାହିଁ।