ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ତଥା ଦେବୁ ଦା ଆଇସିୟୁରେ ଭର୍ତି ହୋଇଛନ୍ତି। ଜନପଥ ନିକଟସ୍ଥ ଘରେ ରହୁଥିବା ଦେବୁ ଦା କିଛିଦିନ ତଳେ ହାଇଦ୍ରାବାଦରେ ରହୁଥିବା ତାଙ୍କ ସାନ ପୁଅ ବବିଙ୍କ ନିକଟକୁ ଯାଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତେଣୁ ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି।
ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରକ୍ତ ସଂକ୍ରମଣ ଯୋଗୁଁ ଦେବୁ ଦା ଭେଣ୍ଟିଲେଟରରେ ଭର୍ତି ହୋଇଛନ୍ତି। ବର୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି। ପୁଅ ବବି ଏବଂ ବଡ଼ ପୁଅ ସାର୍ଥକ ବାପାଙ୍କ ନିକଟରେ ଥିବା ବେଳେ ଡାକ୍ତର ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ତାଙ୍କୁ ତୃତୀୟଥର ହୃଦ୍ଘାତ ନେଇ ଖବର ଖେଳି ଯାଇଥିଲେ ମଧ୍ୟ ଏହାକୁ ଦେବୁ ଦାଙ୍କ ପତ୍ନୀ ଅସ୍ୱୀକାର କରିଛନ୍ତି। ଓଡ଼ିଶା ସିନେ ଆର୍ଟିଷ୍ଟ୍ସ ଆସୋସିଏସନ୍ର ସମ୍ପାଦକ ତଥା ବିଶିଷ୍ଟ ଅଭିନେତା କୁନା ତ୍ରିପାଠୀଙ୍କ ସୂଚନା ମୁତାବକ, ରକ୍ତଚାପ କମ ଥିବା ବେଳେ ଡାଏବେଟିସ୍କୁ ନିୟନ୍ତ୍ରଣ କରାଯାଇପାରିଛି।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବାପା ଭାବେ ପରିଚିତ ଦେବୁ ଦା ୧୫୦ ଚଳଚ୍ଚିତ୍ରରେ କାମ କରି ନିଜର ଯାଦୁକରୀ ଅଭିନୟରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। କିଛି ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ଇଡ୍କୋରେ ଚାକିରିକାଳ ମଧ୍ୟରେ ବି ଦୀର୍ଘ ୩୫ ବର୍ଷକାଳ ସେ ଚଳଚ୍ଚିତ୍ର ଦୁନିଆରେ ସକ୍ରିୟ ରହି ପାରିଥିଲେ। ୧୯୭୮ ମସିହାରେ ‘ତପସ୍ୟା’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଦେବୁ ଦା’ଙ୍କୁ ବୟସ ୭୫ ଛୁଇଁଥିଲେ ବି ସେ ଓଡ଼ିଶା ସିନେ ଆର୍ଟିଷ୍ଟ୍ସ ଆସୋସିଏସନ୍ର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି। ଆଜି ଦେବୁ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଖବର ପ୍ରଘଟ ହେବା ପରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକଙ୍କ ସମେତ ସିନେ କଳାକାରମାନେ ତାଙ୍କର ଦୀର୍ଘ ସ୍ୱାସ୍ଥ୍ୟ କାମନା କରି ପ୍ରାର୍ଥନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Debu-Bose-photo.jpg)