ଭୁବନେଶ୍ୱର : ସରିଯାଇଛି ଦେବୁ ଦା’ଙ୍କ ଅଭିନୟ। ମଞ୍ଚ ଓ ପରଦାରେ ଅଭିନୟ କରି ଲକ୍ଷ ଲକ୍ଷ ଆଖିକୁ ଓଦା କରିଥିବା ଦେବୁ ଦା ଦୁନିଆ ରଙ୍ଗମଞ୍ଚରୁ ମେଲାଣି ନେଇଛନ୍ତି। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ରେ ହାଇଦ୍ରାବାଦର ଏକ ହସ୍ପିଟାଲ୍ରେ ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ୬ ମାସ ହେଲା ହାଇଦ୍ରାବାଦରେ ସାନ ପୁଅ ସିଦ୍ଧାର୍ଥଙ୍କ ପାଖରେ ରହୁଥିଲେ। ୪ମାସ ଧରି ଅସୁସ୍ଥ ଥିଲେ। ମଙ୍ଗଳବାର ଗୁରୁତର ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ଦେବୁ ଦା’ଙ୍କ ପତ୍ନୀ ମଧୁମିତା ବୋଷ, ପୁଅ ସିଦ୍ଧାର୍ଥ ବୋଷ, ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବୁ ବୋଷଙ୍କ ପ୍ରକୃତ ନାମ ରଥୀନ୍ଦ୍ରନାଥ ବୋଷ। ୧୯୪୨ ଡିସେମ୍ବର ୨ ତାରିଖରେ କଟକ ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିବା ଦେବୁ ଦା ୧୦ ବର୍ଷ ବୟସରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ରାଣା ପ୍ରତାପ ନାଟକରେ ଅଭିନୟ କରିବା ପରେ ତାଙ୍କୁ ମେଡାଲ୍ ଦେଇ ପୁରସ୍କୃତ କରାଯିବା ପରେ ଅଭିନୟର ମାୟା ଲାଗିଯାଇଥିଲା। ପିଲାଦିନୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ୮ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଅତ୍ୟନ୍ତ କଳାପ୍ରିୟ। ସମ୍ବଲପୁରରେ ଚାକିରି କାଳରେ ସେ ‘ମନ ଆକାଶ’ରେ ସୁଆଙ୍ଗ ନୃତ୍ୟ କରି ଓଲିଉଡ୍ ଜଗତକୁ ଆସିଥିଲେ। ତେବେ ୧୯୭୮ ମସିହାରେ ‘ତପସ୍ୟା’ ଚଳଚ୍ଚିତ୍ରରେ ଖଳନାୟକ ଭାବେ ଆରମ୍ଭ ହୋଇଥିଲା ଅଭିନୟ। ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ହିରୋ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ। ମାତ୍ର ବାପା ଭୂମିକାରେ ତାଙ୍କର ଅଭିନୟ ପରେ ସେ ହୋଇଯାଇଥିଲେ ‘ଓଲିଉଡ୍ର ବାପା’। ଫୁଲ ଚନ୍ଦନ, ସୁନା ଚଢ଼େଇ, କି ହେବ ଶୁଆ ପୋଷିଲେ, ସମୟ ଖେଳୁଛି ଚକା ଭଉଁରୀ, ପୁଅ ମୋର କଳାଠାକୁର, ପୁଅ ମୋ’ର ଭୋଳା ଶଙ୍କର ଚଳଚ୍ଚିତ୍ରରେ ବାପା ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ଓ ପ୍ରାଣସ୍ପର୍ଶୀ ସଂଳାପ ଆଜି ବି ଅନେକଙ୍କ ମନରୁ ଲିଭିନାହିଁ।
୩୫ ବର୍ଷର ଅଭିନୟ ଜୀବନ କାଳରେ ୧୨୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ସମେତ କିଛି ବଙ୍ଗଳା ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ନିଭାଉଥିବା ଚରିତ୍ର ଭଳି ତାଙ୍କର ଅତ୍ୟନ୍ତ ମେଳାପି ସ୍ୱଭାବକୁ ନେଇ ଆଜି ଝୁରି ହୋଇଛନ୍ତି ବିଜୟ ମହାନ୍ତି, ମିହିର ଦାସ, ଅଜିତ ଦାସ, ନମ୍ରତା, ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀତମ ଦାସ, ଅନୁ ଚୌଧୁରୀଙ୍କ ଭଳି ସିନେ ଅଭିନେତା। ଇଡ୍କଲ୍ରୁ ବରିଷ୍ଠ ଅଧିକାରୀ ଭାବେ ଚାକିରିରୁ ଅବସର ନେଇଥିଲେ। ‘ଓଡ଼ିଶା ସିନେ ଆର୍ଟିଷ୍ଟ୍ ଆସୋସିଏସନ୍’ର ସଭାପତି ରହି କଳାକାରଙ୍କ ଅଧିକାର ବାବଦରେ ସ୍ୱର ବି ଉଠାଇଥିଲେ।
ଗତ ୬ ମାସ ହେଲା ସେ ହାଇଦ୍ରାବାଦରେ ରହୁଥିବା ସାନପୁଅ ସିଦ୍ଧାର୍ଥଙ୍କ ନିକଟକୁ ଚାଲି ଯାଇଥିଲେ। ଏହା ଭିତରେ ତାଙ୍କୁ ଦୁଇ ଥର ହୃଦଘାତ ହୋଇଥିଲା। ୪ ମାସ ତଳେ ତାଙ୍କର ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଦେଢ଼ ମାସର ଚିକିତ୍ସା ପରେ ସଂକ୍ରମଣ ଭୟ ଥିବାରୁ ଘରକୁ ଚାଲି ଆସିଥିଲେ। ଘରେ ମଧ୍ୟ ତାଙ୍କ ପାଇଁ ଆଇସିୟୁ ଭଳି ବନ୍ଦୋବସ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ଆଖି ଖୋଲି ସବୁ ଦେଖୁଥିଲେ। କିନ୍ତୁ କାହାକୁ ଚିହ୍ନନଥିଲେ। ଧୀରେଧୀରେ ସମସ୍ତ ଅଙ୍ଗ ଚଳପ୍ରଚଳ ହେବା ବନ୍ଦ ହୋଇଯାଇଥିଲା।
ଆଜି ଦେବୁ ଦାଙ୍କ ମୃତ୍ୟୁ ପରେ ତାଙ୍କୁ ଓଡ଼ିଶା ଆଣିବା ପାଇଁ ଓଡ଼ିଶା ସିନେ ଆର୍ଟିଷ୍ଟ୍ ଆସୋସିଏସନ୍ ପକ୍ଷରୁ ପରିବାର ଲୋକଙ୍କୁ ନିବେଦନ କରାଯାଇଛି। କିନ୍ତୁ ଦେବୁ ଦାଙ୍କ ବଡ଼ ପୁଅ ସାର୍ଥକ ବୋଷ ଆମେରିକାରୁ ଆସୁଥିବାରୁ ତାଙ୍କୁ ଓଡ଼ିଶା ଆଣିବା ସମ୍ଭବ ହୋଇପାରିନାହିଁ। ବଡ଼ପୁଅ ଆସିବାକୁ ଡେରି ଥିବାରୁ ଦେବୁ ଦା’ଙ୍କ ମରଶରୀରକୁ ଶନିବାର ପର୍ଯ୍ୟନ୍ତ ସେଇ ହସ୍ପିଟାଲ୍ରେ ରଖାଯିବ। ସମ୍ଭବତଃ ସେଇ ହାଇଦ୍ରାବାଦରେ ଶନିବାର ଦିନ ଦାହ କରାଯିବ ବୋଲି ଦେବୁ ଦା’ଙ୍କ ଭାଇ ତାପସ ବୋଷ ସୂଚନା ଦେଇଛନ୍ତି।