କଟକ-ବିଦ୍ୟାଧରପୁର : ‘ହେ ପ୍ରଭୁ’ ସିରିଏଲର ସୁଟିଂ କରୁଥିଲେ। ହୃଦ୍ଘାତର ଅଭିନୟ କରିବାକୁ ଥିଲା। ଅବିକଳ ଅଭିନୟ କରୁ କରୁ ଅସୁସ୍ଥ ହୋଇପଡ଼ିଲେ। ଆଉ କିଛି ଘଣ୍ଟା ବ୍ୟବଧାନରେ ହୃଦ୍ଘାତର ଶିକାର ହୋଇ ଆରପାରିକୁ ଚାଲିଗଲେ। ଏଭଳି ଏକ ଘଟଣାରେ ଚିରନିଦ୍ରାରେ ଶୋଇ ଯାଇଥିବା ଓଡିଆ ଚଳଚ୍ଚିତ୍ର ଓ ସିରିଏଲ୍ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତା ରବିନାରାୟଣ ମିଶ୍ର (୬୫)ଙ୍କ ପାଇଁ ସମଗ୍ର କଳାକାର ଜଗତ, ସିନେ ପ୍ରେମୀ ଶୋକରେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସୂଚନା ଅନୁଯାୟୀ ଗତକାଲି ଭୁବନେଶ୍ବରରେ 'ହେ ପ୍ରଭୁ' ସିରିଏଲର ଶେଷ ସିନ୍ରେ ସେ ହୃଦଘାତର ଶିକାର ହେଉଥିବା ଅଭିନୟ କରିଥିଲେ। କିନ୍ତୁ ସେହି ସିନ୍ ସୁଟିଂ କରୁକରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତଥାପି ନିଖୁଣ ଅଭିନୟ କରି ସୁଟିଂ ଶେଷ କରିବା ପରେ ରାତି ୯ଟା୩୦ ମିନିଟ୍ରେ ଘରକୁ ଫେରିଥିଲେ। କିନ୍ତୁ ରାତି ୧୨ଟାବେଳେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ସକାଳ ପ୍ରାୟ ୫ଟା ସମୟରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବାବେଳେ ତାଙ୍କର ପରଲୋକ ଘଟିଥିଲା।
‘ ହେ ପ୍ରଭୁ’ ସିରିଏଲର ସହ ପ୍ରଯୋଜକ କ୍ଷିରୋଦ ପଟ୍ଟନାୟକ କହିବା ଅନୁଯାୟୀ ଗତକାଲି ସୁଟି°ଚାଲିଥିଲା। ସନ୍ଧ୍ୟାବେଳେ ସିଙ୍ଗଡ଼ା ଖାଇଥିଲେ। ଅଧଘଣ୍ଟାଏ ପରେ କହି ଥିଲେ ଗ୍ୟାସ ହୋଇଗଲା। ଥମସ୍ଅପ୍ ଓ ଜଲଜିରା ଦେବାକୁ କହିଥିଲେ। ତାକୁ ପିଇସାରି ୧ଘଣ୍ଟା ଶୋଇବା ପରେ ଭଲ ଲାଗିଲା ବୋଲି କହିବା ସହିତ ସୁଟିଂ ଆରମ୍ଭ କରିବାକୁ କହିଥିଲେ। ସୁଟିଂ ସାରି ଘରକୁ ଫେରିଲେ। ଏଭଳି ଅଘଟଣକୁ ବିଶ୍ବାସ କରି ହେଉନାହିଁ।
ତାଙ୍କ ମରଶରୀରକୁ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ନେତାଜୀ ନଗର ବାସଭବନକୁ ଅଣାଯାଇଥିଲା। ଅନେକ ବିଶିଷ୍ଟ ବ୍ୟକ୍ତି ସେଠାରେ ତାଙ୍କର ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଖାନନଗର ସ୍ଥିତ ସ୍ବର୍ଗଧାମ ଶ୍ମଶାନକୁ ନିଆଯାଇ ସତ୍କାର କରାଯାଇ ଥିଲା। ତାଙ୍କ ତିନି ଝିଅଙ୍କ ମଧ୍ୟରୁ ମଝିଆ ଝିଅ ସୋନାଲି ଓ ସାନ ଝିଅ ମୋନାଲି ମୁଖାଗ୍ନି ଦେଇଥିଲେ। ସାନ ଝିଅ ମୋନାଲି ପରଂପରା ଅନୁଯାୟୀ ସବୁ କ୍ରିୟାକର୍ମ କରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Rabi-Mishra-Dies_Thumbnail.jpg)