ସୋର : ଓଡ଼ିଆ ଚଳଚିତ୍ର ଜଗତର ସୁନାମଧନ୍ୟ ହାସ୍ୟ ଅଭିନେତା ତଥା ଅନ୍ନପୂର୍ଣ୍ଣା ଥିଏଟର ଓ ଜନତା କଳା ପରିଷଦର ବିଶିଷ୍ଟ କଳାକାର ଶରତ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତି ସାଢ଼େ ୧୦ରେ ସୋର ପୌରାଞ୍ଚଳର ଓ୍ଵାର୍ଡ ୧୯ କ୍ଷୀରକୋଣୀ ଗ୍ରାମସ୍ଥ ନିଜ ବାସଭବନରେ ସେ ଇହଲୋକ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କିଛିଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସାଧୀନ ଥିଲେ। ଦି’ଦିନ ତଳେ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ। ଗତ ରାତିରେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ୩୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ଯାଇଛନ୍ତି। ଅମଡ଼ାବାଟ, ସ୍ତ୍ରୀ, ପୂଜାଫୁଲ, ଲକ୍ଷ୍ମୀ, କା, କାହାର ଛାଇ, ଏମିତି ବି ହୁଏ, ମଲ୍ଲାଜହ୍ନ, ସକଳ ତୀର୍ଥ ତୋ ଚରଣେ ଆଦି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଉଲ୍ଲେଖନୀୟ ସ୍ୱାକ୍ଷର ଛାଡ଼ିଯାଇଛି। ଅନ୍ନପୂର୍ଣ୍ଣା ଥିଏଟର, ଜନତା କଳା ପରିଷଦରେ ତାଙ୍କ ଅଭିନୟ ଜୀବନର ଅଭୂଲା ସ୍ମୃତି ରହିଛି। ଅଭିନୟ କ୍ଷେତ୍ରରେ ସ୍ୱାତନ୍ତ୍ର୍ୟ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁବାର ସମ୍ବର୍ଧିତ ଓ ପ୍ରଶଂସିତ ହୋଇଥିଲେ। ତାଙ୍କର ନିଜସ୍ୱ ଜମିବାଡ଼ି ନାହିଁ। କଳାକାର ଭତ୍ତା ବାବଦରେ ମିଳୁଥିବା ସ୍ୱଳ୍ପ ଅର୍ଥରେ ତାଙ୍କ ପରିବାର ଚଳୁଥିଲା। ଘରେ ତାଙ୍କର ଏକମାତ୍ର କନ୍ୟା ଓ ପତ୍ନୀ ଅଛନ୍ତି। ତାଙ୍କ ବିୟୋଗ ଖବର ପାଇ ସୋର ଅଞ୍ଚଳର ବହୁ କଳାକାର ଓ ବୁଦ୍ଧିଜୀବୀଙ୍କ ସହ ବିଧାୟକ ପର୍ଶୁରାମ ଧଡ଼ା, ପୌରାଧ୍ୟକ୍ଷା ଶୁଭସ୍ମିତା ମହାନ୍ତି, ପାରିଷଦ ରାଜେଶ କୁମାର ବେହେରା, ଜନତା କଳା ପରିଷଦର ମୁଖ୍ୟ ଧ୍ରୁବଚରଣ ବାରିକ, ମୋହନ ଚରଣ ମହାଳିକ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ନାତି ବୁନୁ ମୁଖାଗ୍ନି ଦେଇଥିଲେ।

Advertisment

ସଂସ୍କୃତି ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଣ୍ଡା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ମହାନ୍ତି ହାସ୍ୟ ଅଭିନୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ। ତାଙ୍କ ବିୟୋଗରେ ନିଶ୍ଚିତ ଭାବେ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା। ଶ୍ରୀ ପଣ୍ଡା ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।