ଭୁବନେଶ୍ବର: ନାୟିକା ତ ଅନେକ ଥିଲେ। ମାତ୍ର ସେ ଥିଲେ ଆଲବମ୍ ଜଗତର ରାଣୀ। ଦିନେ ତାଙ୍କ ମଖମଲ୍ଲୀ ଚେହେରା ପାଇଁ ଅନେକ ଦିୱାନା ଥିଲେ। ପରଦା ଉପରେ ତାଙ୍କ ଚୁଲବୁଲି ଅଭିନୟ ଦର୍ଶକଙ୍କୁ ଟିଭି ଆଗେ ବାନ୍ଧି ରଖୁଥିଲା। ଓଡ଼ିଆ ଆଲବମ୍ କହିଲେ, ଯେଉଁ କେତେଜଣ ହିରୋଇନଙ୍କ ନାଁ ସାମ୍ନାକୁ ଆସୁଥିଲା, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ଦୀପା ସାହୁ। ମାତ୍ର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣିରେ ମତୁଆଲା କରିଥିବା ଏହି ଆଲବମ କୁଇନ ଆଉ ନାହାନ୍ତି। ଦୁଃଖ ଏହି ଯେ ଦିନେ ନିଜ ମା’ଙ୍କୁ କ୍ୟାନ୍ସର ହୋଇଥିବା ଯୋଗୁଁ ଯୋଉ ଚର୍ଚ୍ଚିତ ନାୟିକା ପରଦାରୁ ମୁହଁ ଫେରାଇ ନିଜ ପରିବାର ଉପରେ ଧ୍ୟାନକେନ୍ଦ୍ରିତ କରିଥିଲେ, ଆଜି ସେଇ ବ୍ୟାଧି ଯୋଗୁଁ ତାଙ୍କ ଜୀବନଦୀପ ଲିଭିଗଲା।
ମା’ଙ୍କୁ କ୍ୟାନ୍ସର ଯୋଗୁଁ ଛାଡ଼ିଥିଲେ ଆଲବମ୍ ଦୁନିଆ
୨୦୦୨ ମସିହାରେ ମେଡ୍ ଇନ୍ ଓଡ଼ିଶା ଗୀତରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ। ମାତ୍ର ସ୍ଥିତି ଏମିତି ହେଲା ଯେ ସେ ହଠାତ ଆଲବମ ଦୁନିଆଠୁ ଦୂରେଇଗଲେ। ଦୀପା ଥିଲେ ଘରର ବଡ଼ ଭଉଣୀ। ଏହା ବ୍ୟତୀତ ତାଙ୍କର ଦୁଇ ସାନ ଭାଇ। ଆଲବମରେ ସବୁଠୁ ଚର୍ଚ୍ଚିତ ହୋଇ ସାରିଥିବା ବେଳେ ତାଙ୍କ ମା’ଙ୍କଠାରେ କ୍ୟାନ୍ସର ଚିହ୍ନଟ ହେଲା। ଏହାପରେ ଦୀପାଙ୍କ ପୂରା ପରିବାର ଭାଙ୍ଗି ପଡ଼ିଥିଲେ। ତେଣୁ ନିଜ ପରିବାରକୁ ସମୟ ଦେବା ପାଇଁ ଦୀପା ଅଭିନୟ ଜୀବନରୁ ସନ୍ନ୍ୟାସ ନେଇଯାଇଥିଲେ। ଏହା ମଧ୍ୟରେ ସେ କେତୋଟି ଫିଲ୍ମରେ ନାୟିକା ହେବାକୁ ଅଫର ପାଇଲେ। କିନ୍ତୁ ମା’ଙ୍କ ଯୋଗୁଁ ସେ ଫିଲ୍ମ ଅଫର ଗ୍ରହଣ କଲେ ନାହିଁ। ପରେ ଯଦିଓ ପୁଣି ଫେରିଥିଲେ, କିନ୍ତୁ ସେତେବେଳକୁ ଆଲବମ ଦୁନିଆରେ ଯବନିକା ପଡ଼ି ସାରିଥିଲା।
ବାପାଙ୍କ ଇଚ୍ଛା ନଥିଲା, ତଥାପି ଅଭିନୟକୁ ଆସିଥିଲେ
ଢେଙ୍କାନାଳରେ ଜନ୍ମିତ ଦୀପାଙ୍କର ପିଲାବେଳୁ ନୃତ୍ୟ ପ୍ରତି ସଉକ ଥିଲା। ସଉକ ପୂରଣ ପାଇଁ ସେ ଓଡ଼ିଶୀ ନୃତ୍ୟ ଶିଖୁଥିଲେ। ପ୍ରଥମଥର ପାଇଁ ସେ ଶାନ୍ତିନିକେତନ ଯାଇ ସେଠାରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ବାପାଙ୍କୁ କହିଥିଲେ, ମୋ’ର ଏଟା ପ୍ରଥମ ଓ ଶେଷ। ମାତ୍ର ଥରେ ମୁହଁରେ ମେକଅପ ବୋଳିବା ପରେ ଦୀପା ଆଉ ଏ ଅଭିନୟର ମାୟାମହଲରୁ ଖସି ପାରିନଥିଲେ। ପରେ ତାଙ୍କର ପରଦା ପ୍ରତି ଆକର୍ଷଣ ବଢ଼ିଲା। ତେଣୁ ତାଙ୍କ ନୃତ୍ୟାନୁଷ୍ଠାନକୁ ଆସୁଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ସେ କହିଲେ, ଯଦି ମତେ କିଛି ସୁଯୋଗ ମିଳେ ତେବେ ମୁଁ ଅଭିନୟ କରନ୍ତି। ଏହା ଶୁଣିବା ପରେ ଶକ୍ତି ମିଶ୍ର ତାଙ୍କୁ ଆଣି ବବି ଇସଲାମଙ୍କ ସହ ପରିଚୟ କରାଇଦେଲେ। ସେବେଠୁ ଦୀପା ସାହୁଙ୍କ ଅଭିନୟର ଜୟଯାତ୍ରା ଆରମ୍ଭ ହୋଇଯାଇଥିଲା। ଓଡ଼ିଆ ଆଲବମ ରାଇଜରେ ସେ ପାଲଟି ଯାଇଥିଲେ ସୋନପରୀ।
ପ୍ରେମ ବିବାହ ପରେ ବି ଦୀପାଙ୍କୁ ଆସିଥିଲା ପ୍ରେମର ଗୋଲାପ
ବ୍ୟବସାୟୀ ମନୀନ୍ଦ୍ରନାଥ ଦିନେ ପୁରୀ ଆସିଥିବା ବେଳେ ସଂଯୋଗବଶତଃ ଦୀପା ପୁରୀକୁ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିଲେ। ପ୍ରଥମ ଦେଖାରେ ହିଁ ଉଭୟ ପରସ୍ପରକୁ ପସନ୍ଦ କଲେ। ମାତ୍ର ୨-୩ ମାସର ଡେଟିଂ ପରେ ଦୁହେଁ ୨୦୦୭ରେ ବିବାହ କଲେ। ମନୀନ୍ଦ୍ର ଦତ୍ତଙ୍କୁ ଦୀପା ବିବାହ କରିବା ପରେ ତାଙ୍କର ସାଇନି ନାମରେ ଝିଅଟିଏ ମଧ୍ୟ ଅଛି। ମାତ୍ର ବିବାହ ପରେ ମଧ୍ୟ ଦୀପାଙ୍କ ନିକଟକୁ ଥରେ ଭ୍ୟାଲେଣ୍ଟାଇନରେ ଆସିଥିଲା ୧୫୦ ଗୋଲାପ ଖଞ୍ଜା ହୋଇଥିବା ଏକ ବୁକେ। ମନୀନ୍ଦ୍ର ସେତେବେଳେକୁ ବ୍ୟବସାୟ କାମରେ କୋଲକାତା ଯାଇଥାଆନ୍ତି। ଦୀପା ଭାବିଲେ ମନୀନ୍ଦ୍ର ଏହା ପଠାଇଛନ୍ତି। ତେଣୁ ସେ ତାଙ୍କୁ ଧନ୍ୟବାଦ ଜଣାଇବା ବେଳେ ମନୀନ୍ଦ୍ର କହିଲେ, ମୁଁ ତ ତୁମକୁ କିଛି ପଠାଇ ନାହିଁ। ସେଇଠୁ ସେ ଜାଣିଲେ ଯେ ତାଙ୍କର କିଏ ଜଣେ ପ୍ରଶଂସକ ତାଙ୍କୁ ଏ ଗୋଲାପ ଗୁଚ୍ଛ ପଠାଇଛନ୍ତି।