ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା, ନିର୍ଦେଶିକା ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ ପାର୍ବତୀ ଘୋଷ ଆଉ ନାହାନ୍ତି। ରବିବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ତାଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଶ୍ରୀମତୀ ଘୋଷ ଆଜି ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ପରଲୋକ ଘଟିଥିଲା।

Advertisment

ରବିବାର ରାତିରେ ଏହି ଦାରୁଣ ଦୁଃସମ୍ବାଦ ମିଳିବା ପରେ ତାଙ୍କ ଭାଇ ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏବଂ ବହୁ ସିନେ ବ୍ୟକ୍ତିତ୍ୱ ଡାକ୍ତରଖାନାରେ ପହଞ୍ଚିଥିଲେ। ଶ୍ରୀମତୀ ଘୋଷଙ୍କ ପୁଅ ଝିଅ ଆମେରିକାରେ ରହୁଥିବାରୁ ମରଶରୀରକୁ ଶବାଗାରରେ ରଖାଯାଇଛି।

କଟକ ମାନସିଂହପାଟଣା ଅଞ୍ଚଳରେ ୧୯୩୩ ମାର୍ଚ୍ଚ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ। ୧୯୫୦ ମସିହାରେ ପାର୍ବତୀ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ରାଜ୍ୟରେ ବେଶ୍‌ ସୁପରିଚିତ ହୋଇଥିଲେ। ଏହାପରେ ଆମରି ଗାଁ ଝିଅ, ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ଇତ୍ୟାଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁ ପାରିଥିଲେ। ଏହି ସମୟରେ ସେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା, ନିର୍ଦେଶକ, ପ୍ରଯୋଜକ ଗୌରପ୍ରସାଦ ଘୋଷଙ୍କୁ ବିବାହ କରିଥିଲେ। ତାଙ୍କ ନାମ ପାର୍ବତୀ ଘୋଷ ହୋଇଥିଲା। ଗୌର-ପାର୍ବତୀଙ୍କ ଯୋଡ଼ି ଓଡ଼ିଆ ସିନେଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ଲକ୍ଷ୍ମୀ, କା ଏବଂ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୮୬ ମସିହାରେ ଫକୀରମୋହନଙ୍କ ଉପନ୍ୟାସ ଛମାଣ ଆଠଗୁଣ୍ଠ ଉପରେ ସିନେମା ନିର୍ମାଣ କରି ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ପାର୍ବତୀ। ତାଙ୍କୁ ଜୟଦେବ ପୁରସ୍କାର, ଫିଟ୍‌ଫାଟ ବାଇସ୍କୋପ୍‌ ପୁରସ୍କାର ସମେତ ବହୁ ସମ୍ମାନ ମିଳିଥିଲା।

ପାର୍ବତୀ ଘୋଷଙ୍କ ବିୟୋଗରେ ଓଡ଼ିଆ ସିନେଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବହୁ ବିଶିଷ୍ଟ କଳାକାର ଓ ସିନେବ୍ୟକ୍ତିତ୍ୱ କହିଛନ୍ତି। ତାଙ୍କ ଭାଇ ସ୍ୱରୂପ ନାୟକ ଓ ପ୍ରଯୋଜକ ବାପୁ ଲେଙ୍କାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।