କୋରାପୁଟ: କୋରାପୁଟ ପରି ଅନୁନ୍ନତ ତଥା ପଛୁଆ ଜିଲ୍ଲାର ଆଗୁଆ  ଚିତ୍ରକାର ତେଲେଙ୍ଗାନ୍ନାରେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ। କୋରାପୁଟ ପୋଷ୍ଟ ଅଫିସ ସମ୍ମୁଖରେ ରହୁଥିବା ସିଏଚ୍ .ଜାଗା ରାଓ  ହାଇଦ୍ରାବାଦରେ ୭୦ଫୁଟର ଶ୍ରୀସପ୍ତମୁଖା ମହାଶକ୍ତି ଗଣପତି (ଗଣେଶ )ମୂର୍ତ୍ତି ନିର୍ମାଣ କରି ସ୍ଥାପନ କରିଛନ୍ତି ନୂଆ କୀର୍ତ୍ତିମାନ। ହାଇଦ୍ରାବାଦର ଖଇରଥାବାଦ୍ ଗଣେଶ ଉତ୍ସବ କମିଟିର ୭୦ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ୭୦ଫୁଟର ଶ୍ରୀସପ୍ତମୁଖା ମହାଶକ୍ତି ଗଣପତି ପ୍ରତିମୂର୍ତ୍ତି କରି ପୂଜା କରାଯିବ। ମୂର୍ତ୍ତିର ତଳ ଭାଗରେ ରାମଲାଲା ଓ ଅନ୍ୟ ପାର୍ଶ୍ବରେ ରାହୁ ଓ କେତୁ ୧୧ଫୁଟିଆ ମୂର୍ତ୍ତି ରଖାଯାଉଛି। ସେହିପରି ମୂର୍ତ୍ତିର ବାହାର ପାର୍ଶ୍ବରେ ୨ଟି ଆର୍କ ମଧ୍ୟରେ ୧୨ଫୁଟିଆ ଶ୍ରୀନିବାସ କଲ୍ୟାଣମ୍ (ଶ୍ରୀନିବାସ ବିବାହ) ଓ ଅନ୍ୟପାର୍ଶ୍ବରେ ଶିବପାର୍ବତୁଲା କଲ୍ୟାଣମ୍  (ଶିବପାର୍ବତୀ ବିବାହ) ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, କୋରାପୁଟର ସିଏଚ୍ ଜାଗା ରାଓ ଏହି ମୂର୍ତ୍ତି ନିର୍ମାଣ କରିବାକୁ ଗତ ଜୁଲାଇ ୩୦ତାରିଖରୁ କୋରାପୁଟ, ଜୟପୁର, ପାରାଦୀପ ଅଂଚଳର ବଚ୍ଛା ବଚ୍ଛା ଚିତ୍ରକାରଙ୍କୁ ନେଇ ହାଇଦ୍ରାବାଦ ଯାଇ କାମ ଆରମ୍ଭ କରିଥିଲେ। ପରିବେଶପ୍ରେମୀ ଜାଗା ରାଓ ରାଜସ୍ଥାନରୁ ଆସୁଥିବା ପ୍ୟାକେଟ୍‌ ମାଟି ଏଥି ପାଇଁ ବ୍ୟବହାର କରିଛନ୍ତି। ଯେଉଁ ମାଟି ପାଣିରେ ମିଳେଇ ଯିବ ଏବଂ ପରିବେଶ ପ୍ରଦୁଷିତ ହେବ ନାହିଁ। ଶେଷ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ ଜାରି ରହିଥିବା କହିଛନ୍ତି ଜାଗା ରାଓ। ବଂଶାନୁକ୍ରମିକ ଭାବେ ଜାଗା ରାଓଙ୍କ ଜେଜେବାପା ନରସିହ୍ମୁଲୁ, ବାପା କାମା ଲିଙ୍ଗମ୍ ଆଚାରୀ  କୋରାପୁଟ ସହରରେ ବିଭିନ୍ନ ପୂଜା ଓପାର୍ବଣରେ ମାଟି, ପଥରର ମୂର୍ତ୍ତି ନିର୍ମାଣ କରି ଆସୁଥିଲେ।ତା ସହ ଦେବା ଦେବୀଙ୍କ ସୁନା, ରୁପା ମୂର୍ତ୍ତି ଓ ଅଳଙ୍କାର ବି ନିର୍ମାଣ କରି ଆସୁଛନ୍ତି। ସହରର ଆରାଧ୍ୟ ଦେବୀ ମା’ ମୁତ୍ୟାଲୁମ୍ମାଙ୍କ ନିକଟରେ ଦଶହରା ସମୟରେ ବସାଯାଉଥିବା ମା’ ଦୁର୍ଗାଙ୍କ ମୂର୍ତ୍ତି ସହ ସହରର ବିଭିନ୍ନ ପୂଜା ଅନୁଷ୍ଠାନର ଗଣେଶ ମୂର୍ତ୍ତି ସହ ଶାବରଶ୍ରୀକ୍ଷେତ୍ରରେ ବିଭିନ୍ନ ଜଗନ୍ନାଥ ଓପାର୍ଶ୍ବ ଦେବତାଙ୍କ ମୂର୍ତ୍ତି ଜାଗା ରାଓ ନିର୍ମାଣ କରିଛନ୍ତି।

ସେହିପରି ପଟ୍ଟଚିତ୍ର ବି ଆଙ୍କୁଛନ୍ତି ଜାଗା ରାଓ। ତେବେ ଜାଗା ରାଓ ପାରିବାରିକ କୌଳିକ ବୃତ୍ତିକୁ ଆପଣାଇ ସୁନାଓ ରୁପା ଆଦି ଅଳଙ୍କାର ତିଆରି କରନ୍ତି। ତେବେ ଚିତ୍ରକଳା ଓ ମୂର୍ତ୍ତିନିର୍ମାଣ କରିବା ତାଙ୍କ ଋଚି। ପିଲା ବେଳରୁ ମୂର୍ତ୍ତି ତିଆରି କରି ଆସୁଥିବା ଜାଗା ରାଓ କୋରାପୁଟ ବାଲଗଣପତି ପୂଜା କମିଟି ପାଇଁ ନିୟମିତ ଗଣେଶ ମୂର୍ତ୍ତି ତିଆରି କରି ଦେଉଛନ୍ତି। ଏପରିକି ପୂର୍ବରୁ ପଥରରେ ଅତ୍ୟନ୍ତ ସୁକ୍ଷ୍ମ ଗଣେଶ ମୂର୍ତ୍ତି ସହ ଅନ୍ୟାନ୍ୟ ଦେବା ଦେବୀ ମୂର୍ତ୍ତି ବି ନିର୍ମାଣ କରି ଘରେ ସାଇତି ରଖିଛନ୍ତି ଜାଗା ରାଓ। ତାଙ୍କ ପୁଅ ସିଏଚ୍ କାର୍ତ୍ତିକ ଡାକ୍ତରୀ ପଢ଼ିବା ସହ ସୁନ୍ଦର  ଚିତ୍ର ଆଙ୍କିବା ସହ ପରିବାରରେ ଥିବା ଚିତ୍ରକର ଋଚିକୁ ବଜାୟ ରଖିଛନ୍ତି। ଗତ ତିନି ବର୍ଷ ହେବ ସେ ଏହି ପୂଜାକମିଟିରେ ମାଟିର ମୂର୍ତ୍ତି ନିର୍ମାଣ କରିକି ଦେଉଥିବା କହିଛନ୍ତି ଜାଗା ରାଓ। ମୁମ୍ବାଇ ସହ ଦେଶର କୋଣ ଅନୁକୋଣରେ ଏହି ଉଚ୍ଚତାରେ ବହୁ କମ୍ ସଂଖ୍ୟକ ମୂର୍ତ୍ତି ନିର୍ମାଣ କରାଯାଉଛି। ପ୍ରାକୃତି  ଓ ପରିବେଶକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଉଥିବା ପ୍ରତିମୂର୍ତ୍ତି ମଧ୍ୟରେ ଏହା ନିଶ୍ଚିତ ରୂପେ ସ୍ଥାନିତ ହେବ ବୋଲି ଜାଗା ରାଓ ଆଶା ପ୍ରକଟ କରିଛନ୍ତି। ପ୍ଲାଷ୍ଟର ଅଫ ପ୍ୟାରିସ୍‌ରେ ମୂର୍ତ୍ତି ତିଆରି ନ କରି ମାଟିରେ ମୂର୍ତ୍ତି ତିଆରି କରିବାକୁ ସେ ଚିତ୍ରକରମାନଙ୍କୁ ଅନୁରୋଧ କରିଛନ୍ତି ଜାଗା ରାଓ।